ମନମୁଣ୍ଡା,(ବି.ବି.ନ୍ୟୁଜ୍): ମନମୁଣ୍ଡା ଥାନା ଦମାମୁଣ୍ଡା-ଦପଲା ରାସ୍ତା ଡିମିରିମୁଣ୍ଡା କ୍ରସର ନିକଟରେ ଘିକୁଣ୍ଡି ଓ ଲମ୍ବସରୀ ପଞ୍ଚାୟତ ଦାୟିତ୍ୱରେ ଥିବା ଇଓ ବିପୁଳ ଦାସଙ୍କ ଠାରୁ ୩.୯୩ ଲକ୍ଷ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଲୁଟ୍ ହୋଇଛି । ଶ୍ରୀ ଦାସଙ୍କ ଠାରୁ ମନମୁଣ୍ଡା ଥାନାରେ ଏତଲା ଦିଆଯାଇଥିଲା । ପୁଲିସ୍ ଏନେଇ ତଦନ୍ତ ଆରମ୍ଭ କରିଛି ।
ପ୍ରକାଶ ଯେ ଶ୍ରୀ ଦାସ କାର୍ ଓଡ଼ି ୨୭ ଏ ୧୩୬୯ରେ ଲମ୍ବସରୀ ପଞ୍ଚାୟତର ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଧରି ଯାଉଥିଲେ । ଆଜି ଲମ୍ବସରୀ ପଞ୍ଚାୟତରେ ଭତ୍ତା ବଣ୍ଟନ କରାଯିବାର ଥିଲା । ସେ ଗଲା ବେଳେ ୨ଟି ବାଇକ୍ରେ ୫ ଜଣ ଦୁର୍ବୃତ୍ତ ଆସି ଦମାମୁଣ୍ଡାରୁ ଦପଲା ରାସ୍ତା ଡିମିରିମୁଣ୍ଡା କ୍ରସ୍ର ନିକଟରେ ଗାଡ଼ି ଅଟକାଇଥିଲେ । ସେମାନେ ମାରଣାସ୍ତ୍ର ଦେଖାଇ ଡ୍ରାଇଭର ମନୋଜ ନାଏକଙ୍କୁ ମାଡ଼ ମାରି ଗାଡ଼ି ଚାବି ଲୁଟି ନେଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଗାଡ଼ି ଚଳାଇବା ବେଳେ ଅନ୍ୟ ୨ ଜଣ ନିର୍ବାହୀ ଅଧିକରୀଙ୍କ ଦୁଇ ପାଖରେ ବସିଥିଲେ । ସେମାନେ ଗାଡ଼ିକୁ ଏକ ଜଙ୍ଗଲିଆ ଅଞ୍ଚଳକୁ ନେଇଯାଇଥିଲେ । ସେଠାରେ ଶ୍ରୀ ଦାସଙ୍କୁ ମାଡ଼ମାରି ସବୁ ଟଙ୍କା ୨ଟି ବାଇକ୍ରେ ଲୁଟି ନେଇଥିଲେ । ଫୋନ୍ କଲ ପାଇ ଗାଡ଼ି ମାଲିକ ମନମଣ୍ଡାର ସତ୍ୟନାରାୟଣ ମେହେର ଘଟଣାସ୍ଥଳରୁ ପିଇଓଙ୍କୁ ଉଦ୍ଧାର କରିଥିଲେ ।


Comments are closed, but trackbacks and pingbacks are open.