ରାଉରକେଲା,(ବି.ବି.ବ୍ୟୁରୋ): ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି)ର ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଓ ତାଙ୍କ ପତ୍ନୀଙ୍କ ମୃତ ଦେହକୁ ବନ୍ଦ ଥିବା ରୁମ୍ରୁ ଉଦ୍ଧାର କରାଯାଇଛି । ପ୍ରଫେସର ଦମ୍ପତି ରହୁଥିବା ରୁମ୍ଟି ତିନି ଦିନ ଧରି ବନ୍ଦ ପଡ଼ିଥିବା ବେଳେ ଭିତରୁ ଦୁର୍ଗନ୍ଧ ବାହାରିବାରୁ ଏନ୍ଆଇଟି କର୍ତ୍ତୃପକ୍ଷ ପୁଲିସ୍କୁ ସୂଚନା ଦେଇଥିଲେ । ପୁଲିସ୍ ସେଠାରେ ପହଞ୍ଚି ରୁମ୍ ଭିତରୁ ପ୍ରଫେସର ଦମ୍ପତିଙ୍କ ମୃତ ଦେହ ଉଦ୍ଧାର କରିବା ସହ ୪ ପୃଷ୍ଠା ଲେଖାଥିବା ଏକ ସୁଇସାଇଡାଲ ନୋଟ ଜବତ କରିଛି । ଏହି ଘଟଣା ରାଉରକେଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ତାମିଲନାଡୁ ଏରଡ ଗ୍ରାମ ନିବାସୀ ଆର. ଜୟବାଲନ (୩୮) ୨୦୧୧ ମସିହାରେ ଏନ୍ଆଇଟିରେ ଲାଇଫ୍ ସାଇନ୍ସ ବିଭାଗରେ ଆସିଷ୍ଟାଣ୍ଡ ପ୍ରଫେସର ଭାବେ ନିଯୁକ୍ତି ପାଇଥିଲେ । ଏଠାରେ ନିଯୁକ୍ତି ପାଇବା ପରେ ନିଜ ପତ୍ନୀ ମାଲିନି କେଶବ ବାଲନ (୩୬)ଙ୍କୁ ଏଠାକୁ ଆଣିଥିଲେ । ଏନ୍ଆଇଟି ପରିସରରେ ଥିବା ଏଫ୍ଆର ବିଲ୍ଡିଂର ଏଫ୍ଆର-ଏ/୧୦୨ ରୁମ୍ରେ ପତିପତ୍ନୀ ରହୁଥିଲେ । ମାଲିନି କେଶବ ବାଲନ ଜଗଦା ସ୍ଥିତ ସିଡବ୍ଲ୍ୟୁଏସ୍ ହସ୍ପିଟାଲରେ ଡାଇଟିସିଆନ ଭାବେ କାର୍ଯ୍ୟ କରୁଥିଲେ । ତେବେ ଗତ ୧୪ ତାରିଖ ରାତି ୭ଟା ପରେ ରୁମ୍ଟି ବନ୍ଦ ଥିଲା । ୧୫ ତାରିଖ ଦିନ ତମାମ ରୁମ୍ ବନ୍ଦ ପଡ଼ିଥିବାରୁ ସେମାନେ କୁଆଡ଼େ ବୁଲିବାକୁ ଯାଇଥିବେ ବୋଲି ସେହି ବିଲ୍ଡିଂରେ ରହୁଥିବା ଅନ୍ୟ ପ୍ରଫେସରମାନେ ଭାବିଥିଲେ । ହେଲେ ଗତକାଲି ରାତି ୯ଟା ସମୟରେ ରୁମ୍ ଭିତରୁ ଦୁର୍ଗନ୍ଧ ବାହାରିଥିଲା । ଏଥିରେ ସନ୍ଦେହ ହେବାରୁ ରାତି ପ୍ରାୟ ୧୧.୪୫ ମିନିଟ୍ ସମୟରେ ସେକ୍ଟର-୩ ଥାନା ପୁଲିସ୍କୁ ଏନ୍ଆଇଟି କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା । ମାତ୍ର ଭିତର ପଟୁ କବାଟ ବନ୍ଦ ଥିବାରୁ ତାହା ଖୋଲିନଥିଲା । ଆଜି ସକାଳେ ରାଉରକେଲା ଏସ୍ପି ଡା. ସାର୍ଥକ ଷଡଙ୍ଗୀ, ଅତିରିକ୍ତ ଏସ୍ପି ନୃସିଂହଚରଣ ସ୍ୱାଇଁ, ଅତିରିକ୍ତ ଏସ୍ପି ସୁରେଶ ଚନ୍ଦ୍ର ପାଠୀ, ଡିଏସ୍ପି ଜ୍ୟୋର୍ତିମୟୀ ଭୁକ୍ତା, ସେକ୍ଟର-୩ ଥାନା ଅଧିକାରୀ ସରସ୍ୱତୀ ଟୁଡୁ, ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସନ୍ଧାନୀ କୁକୁର ସହାୟତା ମଧ୍ୟ ନିଆଯାଇଥିଲା । ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତରେ କବାଟ ଖୋଲା ଯାଇଥିଲା । ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଭିତରେ ପଶିଥିଲେ । ରୁମ୍ର ଖଟ ଉପରେ ମାଲିନି କେଶବ ବାଲନଙ୍କ ମୃତ ଦେହ ପଡ଼ିଥିବା ବେଳେ ବାଥରୁମ୍ରେ ଆର.ଜୟବାଲନଙ୍କ ମୃତ ଦେହ ପଡ଼ିଥିଲା । ସେଠାରେ ପୁଲିସ୍ ଯାଞ୍ଚ କରିବା ସମୟରେ ୪ ପୃଷ୍ଠା ଲେଖାଥିବା ସୁଇସାଇଡାଲ ନୋଟ ଜବତ କରିଛି । ସେଥିରେ ଆମ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ଏବଂ ଅନ୍ୟାନ୍ୟ ପାରିବାରିକ ଘଟଣା ବିଷୟରେ ଉଲ୍ଲେଖ କରାଯାଇଛି । ଏପରିକି ଉକ୍ତ ୪ଟି ପୃଷ୍ଠାରେ ଦମ୍ପତିଙ୍କ ଦସ୍ତଖତ ମଧ୍ୟ ରହିଛି । ଅପରପକ୍ଷରେ ରୁମ ଭିତରେ ବିଷ ବୋତଲ ମଧ୍ୟ ପଡ଼ିଥିବା ପୁଲିସ୍ କହିଛି । ଗତ ୧୪ ତାରିଖ ରାତିରୁ ସେମାନେ ଏକାଠି ବିଷପାନ କରିଥିବା ଅନୁମାନ କରାଯାଉଛି ।
ଏସ୍ପି ଡା. ଷଡଙ୍ଗୀ କହିଛନ୍ତି ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ଜଣାପଡ଼ୁଛି । ସେମାନଙ୍କ ବିବାହ ପ୍ରାୟ ୮ ବର୍ଷ ହୋଇଥିଲେ ମଧ୍ୟ କୌଣସି ସନ୍ତାନ ନଥିଲେ । ଏହି କାରଣରୁ ସେମାନେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ଗତ କିଛି ଦିନ ହେଲା ଦମ୍ପତି ନିଜ ଗ୍ରାମକୁ ଯାଇ ଫେରିଛନ୍ତି । ସେମାନେ ଛାଡ଼ି ଯାଇଥିବା ସୁସାଇଡାଲ ନୋଟକୁ ଜବତ କରାଯାଇ ତଦନ୍ତ ଜାରି ରହିଛି । ଏନ୍ଆଇଟି ରେଜିଷ୍ଟ୍ରାର ପ୍ରଦୀପ କୁମାର ଦାସ କହିଛନ୍ତି ଗତକାଲି ରାତିରେ ଏ ଖବର ମିଳିବା ପରେ ପୁଲିସ୍କୁ ସୂଚନା ଦିଆଯାଇଥିଲା । ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା । କଣ ପାଇଁ ସେମାନେ ଆତ୍ମହତ୍ୟା କଲେ ସେ ସମ୍ପର୍କରେ ପଚରାଯିବାରେ ଶ୍ରୀ ଦାସ କହିଲେ ଆମେ ସେ ବିଷୟରେ ଜାଣିନାହୁଁ, ପୁଲିସ୍ ଘଟଣାର ତଦନ୍ତ କରୁଛି । ସେକ୍ଟର-୩ ଥାନା ପୁଲିସ୍ କହିଛି ସେମାନଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି । ଆସନ୍ତାକାଲି ଏଠାରେ ପରିବାର ଲୋକେ ପହଞ୍ଚିବେ । ଏନ୍ଆଇଟିରେ କାର୍ଯ୍ୟ କରୁଥିବା ପ୍ରଫେସରମାନଙ୍କ କହିବା କଥା ହେଲା ଆର.ଜୟବାଲନ ଓ ତାଙ୍କ ପତ୍ନି ଅତି ମେଳାପି ଥିଲେ । ସମସ୍ତଙ୍କୁ ସେମାନେ ନିଜର ବୋଲି ଭାବୁଥିଲେ । ଏଭଳି ପଦକ୍ଷେପ ସେମାନେ ନେବେ ବୋଲି କେବେ କେହି ହେଲେ ଭାବି ନଥିଲେ । ଦମ୍ପତିଙ୍କ ମୃତ ଦେହ ପୁଲିସ୍ ଜବତ କରି ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍) ମର୍ଗ ହାଉସରେ ରଖିଛି । ଆସନ୍ତାକାଲି ପରିବାର ଲୋକେ ଏଠାରେ ପହଞ୍ଚିବା ପରେ ମୃତ ଦେହକୁ ବ୍ୟବଚ୍ଛେଦ ଲାଗି ପଠାଯିବ ।
Comments are closed, but trackbacks and pingbacks are open.