ମହାନଦୀ ପାଣିରେ ଫସିଗଲା କଲେଜ ବସ୍

Get real time updates directly on you device, subscribe now.

କଟକ,(ବି.ବି.ବ୍ୟୁରୋ): ମହାନଦୀ ଫୁଲିଲେ ଯୋବ୍ରା ତତ୍ତ୍ୱବଟ ନିକଟ ରେଲ୍ୱେ ଅଣ୍ଡର୍ ପାସ୍ ରାସ୍ତାକୁ ପାଣି ମାଡିଯାଇଥାଏ । ଆଜି ଅପରାହ୍ନରେ ଏହି ରାସ୍ତାରେ ପ୍ରବାହିତ ମହାନଦୀ ପାଣିରେ ଏକ ଘରୋଇ କଲେଜ୍ ବସ୍ ଫସିଯିବାରୁ ଘଟଣାସ୍ଥଳରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ବସ୍ଟି ରାସ୍ତାରେ ପ୍ରବାହିତ ପାଣି ଭିତରେ ଫସି ରହିଯିବାରୁ ଗାଡ଼ିରେ ଥିବା ପ୍ରାୟ ୫୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନେ ସଙ୍କଟରେ ପଡ଼ିଥିଲେ । ଜୀବନ ବଞ୍ଚାଇବା ପାଇଁ ଛାତ୍ରଛାତ୍ରୀମାନେ ତ୍ରାହିତ୍ରାହି ଡାକିଥିଲେ । ଚିକ୍ରାର କରିଥିଲେ । ଛାତ୍ରଛାତ୍ରୀଙ୍କ କାନ୍ଦ ବୋବାଳି ଶୁଣି ସ୍ଥାନୀୟ ଲୋକେ ତତ୍ତ୍ୱବଟ ଏବଂ ମହାନଦୀ ନଦୀ ବନ୍ଧ କଡ଼ରେ ରୁଣ୍ଡ ହୋଇଯାଇଥିଲେ । ଖବର ପାଇ ଚାଉଳିଆଗଞ୍ଜ ଦମକଳ କେନ୍ଦ୍ର ଏବଂ ମାଲଗୋଦାମ ଥାନା ପୁଲିସ୍ ପହଞ୍ଚି ବସ୍ ଭିତରୁ ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନଙ୍କୁ ଉଦ୍ଧାର କରିବା ପାଇଁ ନାକେଦମ୍ ହୋଇପଡ଼ିଥିଲେ । ପ୍ରାୟ ଘଣ୍ଟାଏ କାଳ ପାଣି ଭିତରେ ଫସି ରହିଥିବା କଲେଜ ବସ୍ରୁ ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଦମକଳ କର୍ମଚାରୀମାନେ କସରତ କରି ବିଫଳ ହେବା ପରେ କ୍ରେନ୍ର ସହାୟତା ନିଆଯାଇ ଗାଡ଼ିକୁ ପାଣି ଭିତରୁ ଟାଣି ବାହାରକୁ ଅଣାଯାଇଥିଲା । ଏକ ବଡ଼ ଧରଣର ବିପତ୍ତିରୁ ଛାତ୍ରଛାତ୍ରୀମାନେ ବର୍ତ୍ତି ଯାଇଥିଲେ ।
ମିଳିଥିବା ସୂଚନାନୁସାରେ, ଭୁବନେଶ୍ୱର ପିତାପଲ୍ଲି ଅଞ୍ଚଳର ଏକ ଘରୋଇ କଲେଜ୍ର ଛାତ୍ରଛାତ୍ରୀମାନେ ଆଜି ଯୋବ୍ରା ରିଂ ବନ୍ଧରେ ଥିବା ମହାନଦୀ ନୌବାଣିଜ୍ୟ ସଂଗ୍ରହାଳୟକୁ ବୁଲିବାକୁ ଆସିଥିଲେ । ସଂଗ୍ରହାଳୟ ବୁଲି ସାରିବା ପରେ ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନେ ନିଜ କଲେଜ୍ ବସ୍ ଯୋଗେ ଭୁବନେଶ୍ୱର ଫେରୁଥିବା ସମୟରେ ଯୋବ୍ରା ତତ୍ତ୍ୱବଟ ପାଖ ରେଲୱେ ଅଣ୍ଡର ପାସ୍ ତଳେ ପ୍ରବାହିତ ମହାନଦୀ ପାଣି ଭିତରେ ଗାଡ଼ି ଫସିଯାଇଥିଲା । ରାସ୍ତା ଉପରେ ପ୍ରବାହିତ ପାଣିକୁ କାଟି ଡ୍ରାଇଭର ଗାଡ଼ିକୁ ନେଇଯିବା ପାଇଁ ଉଦ୍ୟମ କରି ଅଡୁଆରେ ପଡ଼ିଥିଲେ । ଗାଡ଼ି ଚଳେଇ ନେବା ସମୟରେ ଠିକ୍ ରାସ୍ତା ମଝିରେ ବସ୍ ଇଞ୍ଜିନ୍ ଭିତରେ ପାଣି ପଶିଯିବାରୁ ଡ୍ରାଇଭର୍ ଉପାୟଶୂନ୍ୟ ହୋଇଯାଇଥିଲେ । ବସ୍କୁ ଆଗପଛ କରିବା ମଧ୍ୟରେ ଷ୍ଟାଟର୍୍ ବନ୍ଦ ହୋଇଯାଇଥିଲା । ପାଣି ଘେରରେ ରାସ୍ତା ମଝିରେ ବସ୍ଟି ଫସି ରହିଯିବାରୁ ଗାଡ଼ି ଭିତରେ ବସିଥିବା ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନେ ଆତଙ୍କିତ ହୋଇପଡିଥିଲେ । ଏପରି ସ୍ଥିତିରେ ବସ୍ ଭିତରେ କାନ୍ଦବୋବାଳି ପଡ଼ିଥିଲା । ରାସ୍ତାରେ ଅଧିକ ପାଣି ଜମି ରହିଥିବାରୁ ଭୟରେ ଛାତ୍ରଛାତ୍ରୀ କିମ୍ବା କର୍ମଚାରୀମାନେ ଗାଡ଼ିରୁ ବାହାରକୁ ଓହ୍ଲାଇ ପାରିନଥିଲେ । ପାଣି ଭିତରେ ବସ୍ ଫସି ରହିଥିବା ଦେଖି ସ୍ଥାନୀୟ ଲୋକେ ନିକଟସ୍ଥ ମାଲଗୋଦାମ ଥାନାକୁ ଖବର ଦେଇଥିଲେ । ପୁଲିସ୍ ଚାଉଳିଆଗଞ୍ଜ ଦମକଳ କେନ୍ଦ୍ର କର୍ମଚାରୀଙ୍କୁ ଡକାଇ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଶେଷରେ କ୍ରେନ୍ର ସହାୟତା ନିଆଯାଇ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons