ଗାନ୍ଧୀ ଜୟନ୍ତୀରୁ ୭ ଜିଲ୍ଲାରେ ପାଲିଆଟିଭ୍ କେୟାର ୟୁନିଟ୍: ମନ୍ତ୍ରୀ ନବ କିଶୋର ଦାସ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଆସନ୍ତା ଗାନ୍ଧୀ ଜୟନ୍ତୀରୁ କର୍କଟ ରୋଗୀମାନଙ୍କୁ ରାଜ୍ୟ ସରକାର ଜିଲ୍ଲାସ୍ତରରେ ପାଲିଆଟିଭ୍ କେୟାର (ଉପଶମ ଚିକିତ୍ସା) ମିଳିବ । ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସ୍ପିଟାଲ ସମେତ ୭ଟି ଜିଲ୍ଲାରେ ଏହି ସେବା ମିଳିବ । ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ବୈଠକରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।
କର୍କଟରୋଗୀମାନେ କେମୋ ଗ୍ରହଣ କରିବା ପରେ ଭୀଷଣ ଯନ୍ତ୍ରଣା ଭୋଗିଥା’ନ୍ତି । ସେମାନଙ୍କୁ ଯନ୍ତ୍ରଣାରୁ ଉପଶମ ଲାଗି ରାଜ୍ୟ ସରକାର ଏହି ସୁବିଧା ଯୋଗାଇଦେବେ । ପାଲିଆଟିଭ୍ କେୟାର ୟୁନିଟ୍ରେ କେମୋ ପରେ ରୋଗୀ ଯେମିତି କମ୍ ଯନ୍ତ୍ରଣା ପାଇବେ, ସେଥିପାଇଁ ଧ୍ୟାନ ଦିଆଯିବ ଏହି ବିଭାଗରେ । ହସ୍ପିଟାଲରେ ସ୍ୱତନ୍ତ୍ର ଶଯ୍ୟା ସହିତ ଆବଶ୍ୟକ ଔଷଧ ମଧ୍ୟ ଯୋଗାଇ ଦିଆଯିବ ।
ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସ୍ପିଟାଲ ସମେତ ବାଲେଶ୍ୱର, ବରଗଡ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନୟାଗଡ ଓ ସୁନ୍ଦରଗଡରେ ଏହି ଚିକିତ୍ସା ଆରମ୍ଭ ହେବ । ୨୦୨୦-୨୧ ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାକୁ ଏହା ସମ୍ପ୍ରସାରିତ କରିବାକୁ ସରକାର ଯୋଜନା ରହିଛି ।
ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲ ସମେତ ୨୬ଟି ଜିଲ୍ଲାରେ କର୍କଟରୋଗୀଙ୍କୁ କେମୋ ଚିକିତ୍ସା ଯୋଗାଇ ଦିଆଯାଉଛି । ଖୁବ୍ଶୀଘ୍ର କଟକ ସିଟି ହସ୍ପିଟାଲ, ପୁରୀ, ମାଲକାନଗିରି, ମୟୁରଭଞ୍ଜ, ଦେବଗଡ, ଅନୁଗୁଳ, ବୁର୍ଲାର ଭିମ୍ସାର ଓ ବ୍ରହ୍ମପୁରର ଏମ୍କେସିଜିରେ ଏହା ଆରମ୍ଭ ହେବ ।
ଏମ୍କେସିଜି ବ୍ରହ୍ମପୁର ଓ ଭିମ୍ସାର ବୁର୍ଲାର କର୍କଟ ବିଭାଗରେ ରୋଗୀଙ୍କ ଲାଗି ଉନ୍ନତମାନର ଚିକିତ୍ସା ବ୍ୟବସ୍ଥା କରାଯିବ । ଏଥିପାଇଁ ରାଜ୍ୟ ସରକାର ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବେ । କଟକ ଏସ୍ସିବି ମେଡିକାଲର ଛାତି ଓ ଯକ୍ଷ୍ମାରୋଗ ବିଭାଗକୁ ଏକ ଉକ୍ରର୍ଷକେନ୍ଦ୍ରରେ ପରିଣତ କରିବାପାଇଁ ଚାଲିଥିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହିତ ଏଠାରେ ଡିଏମ୍ ପାଠ୍ୟକ୍ରମ ଆରମ୍ଭ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ନିଷ୍ପତି ହୋଇଛି । ସେହିଭଳି ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ସରକାର ଆରମ୍ଭ କରୁଥିବା ‘ମୋ ସରକାର’ ଯୋଜନାରେ ସ୍ୱାସ୍ଥ୍ୟ ବିଭାଗର ସଚିବଙ୍କ ଠାରୁ ଆରମ୍ଭକରି ଅନ୍ୟାନ୍ୟ ଅଧିକାରୀମାନେ ରୋଗୀମାନଙ୍କୁ ସିଧାସଳଖ ଟେଲିଫୋନ୍ କରି ସେମାନଙ୍କର ସୁବିଧା ଅସୁବିଧା ବୁଝିବେ । କଟକ ଜିଲ୍ଲାର ବାରଙ୍ଗ ଠାରେ କର୍କଟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଲାଗି ଟାଟା ଟ୍ରଷ୍ଟ ସହ ରାଜ୍ୟ ସରକାର କରିଥିବା ବୁଝାମଣା ଅନୁଯାୟୀ ୨୦୨୦ସୁଦ୍ଧା ୧୫ଟି କର୍କଟ କେନ୍ଦ୍ର କାର୍ଯ୍ୟକ୍ଷମ ଲାଗି ବୈଠକରେ ସ୍ଥିର ହୋଇଛି ।
ଆଜିର ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ମେଡିକାଲ ନିଗମର ଏମ୍ଡି ୟାମିନୀ ଷଡଙ୍ଗୀ, ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ସ୍ୱତନ୍ତ୍ର ସଚିବ, ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ, ତିନି ମେଡିକାଲ କଲେଜର ପ୍ରିନ୍ସିପାଲ, ସୁପରିଟେଣ୍ଡଣ୍ଟ ଓ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons