ମୁଖ୍ୟ ସଚିବଙ୍କୁ ବିଦାୟ ସମ୍ବର୍ଦ୍ଧନା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ବିଭିନ୍ନ ପଦପଦବୀରେ କାମ କରୁଥିବା ସରକାରୀ ଅଧିକାରୀମାନେ ସାଧାରଣ ସେବକ । ସେବା ପାଇବା ଜନସାଧାରରଙ୍କ ନ୍ୟାୟ ସଙ୍ଗତ ଅଧିକାର । ତେଣୁ ନିରପେକ୍ଷ ଭାବେ ସେବା ଯୋଗାଇବା ପ୍ରତ୍ୟେକ ସେବକର ଦାୟିତ୍ୱ । ଏକଥାକୁ ସମସ୍ତେ ମନେ ରଖିବା ଉଚିତ୍ । ଏହାକୁ ମାନି କାମ କଲେ ସରକାରୀ ଚାକିରିରେ ଆଦର ଓ ପ୍ରତିଷ୍ଠା ମିଳିବ । ବିଦାୟୀ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏଭଳି ପରାମର୍ଶ ଦେଇଛନ୍ତି ।
ଆଜି ରାଜ୍ୟ ସଚିବାଳୟରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଶ୍ରୀ ପାଢ଼ୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ସଭାରେ ଅଧ୍ୟକ୍ଷତା କରିଥିଲେ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା । ସେ କହିଲେ, ନିଷ୍ଠାପର ସେବା, ନ୍ୟାୟ, ନିରପେକ୍ଷତା ଓ ନମ୍ରତାର ମାଇଲ ଖୁଣ୍ଟ ହେଉଛନ୍ତି ଶ୍ରୀ ପାଢ଼ୀ । ଜଣେ ପ୍ରଶାସନିକ ଅଧିକାରୀ ଭାବେ ତାଙ୍କଠାରୁ ଏସବୁ ଗୁଣ ଶିଖିଛି ।
ଅତିରିକ୍ତ ଶାସନ ସଚିବ ତଥା ମୁଖ୍ୟ ଶାସନ ସଚିବଙ୍କ ଓଏସ୍ଡି ଦିଲ୍ଲୀପ ରାଉତରାଏ କହିଲେ, ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ସମସ୍ୟା ସମ୍ମୁଖରେ ସ୍ଥିତପ୍ରଜ୍ଞ ଭାବେ ଠିକ୍ ନିଷ୍ପତ୍ତି ନେବା ସହ ସେଗୁଡ଼ିକର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ପାଇଁ ଉଚିତ୍ ମାର୍ଗ ପ୍ରଦର୍ଶନ କରିଛନ୍ତି । ପ୍ରଶାସନ ମୁଖ୍ୟ ଭାବେ ପଦାଧିକାରୀମାନଙ୍କୁ କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେଇ ରାଜ୍ୟ ପାଇଁ ସେ ବିଭିନ୍ନ ସଫଳତା ହାସଲ କରିଛନ୍ତି ।
ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ରବୀନ୍ଦ୍ରନାଥ ସାହୁ, ଅତିରିକ୍ତ ଶାସନ ସଚିବ ଅବନୀକାନ୍ତ ପଟ୍ଟନାୟକ ନିଜ ବକ୍ତବ୍ୟରେ ଶ୍ରୀ ପାଢ଼ୀଙ୍କ କାର୍ଯ୍ୟଶୈଳୀର ଭୂୟସୀ ପ୍ରଶଂସା କରିଥିଲେ । ଓଡ଼ିଶା ରାଜ୍ୟ ସଚିବାଳୟ ସେବା ସଂଘର ସାଧାରଣ ସମ୍ପାଦକ ବିବେକାନନ୍ଦ ସାମଲ ସଂଘ ତରଫରୁ ଶ୍ରୀ ପାଢ଼ୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପାଢ଼ୀ କହିଲେ, ଭାରତୀୟ ତୈଳ ବିଶୋଧନାଗାର (ଆଇଓସିଏଲ୍) ସହ ରାଜସ୍ୱକୁ ନେଇ ଯେଉଁ ବିବାଦ ଉପୁଜିଥିଲା, ତା’ର ସମାଧାନ କରିବା ତାଙ୍କ କାର୍ଯ୍ୟକାଳ ଭିତରେ ଏକ ବଡ଼ ସଫଳତା ଥିଲା । ଏହି ବୁଝାମଣା ଯୋଗୁ ଉଭୟ ତୈଳ ନିଗମ ଓ ରାଜ୍ୟ ସରକାର ଉପକୃତ ହୋଇଛନ୍ତି । ବିବାଦ ସମାଧାନ ହେବା ଯୋଗୁ ରାଜ୍ୟ ରାଜକୋଷକୁ ପ୍ରତିବର୍ଷ ୨୫୦୦ କୋଟି ଟଙ୍କାର ରାଜସ୍ୱ ଆସୁଛି । ନିଜ କାର୍ଯ୍ୟକାଳ ଭିତରେ ଏହା ତାଙ୍କ ସ୍ମରଣୀୟ ।
ସେ ଆହୁରି କହିଲେ, ମୁଖ୍ୟ ସଚିବ ଥିବାବେଳେ ବିଭିନ୍ନ ଯୋଜନାର ଠିକ୍ କାର୍ଯ୍ୟାନ୍ୱୟନ ତାଙ୍କ କାମ ଥିଲା । ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱରେ ରାଜ୍ୟରେ ବିକାଶଧାରା ତ୍ୱରାନ୍ୱିତ ହୋଇଛି । ଆଗାମୀ ବର୍ଷମାନଙ୍କରେ ଏହି ଧାରା ଅବ୍ୟାହତ ରହିବ । ଗ୍ରାମୀଣ ଆବାସ, ପାନୀୟ ଜଳ ଯୋଗାଣ, ମୌଳିକ ସ୍ୱାସ୍ଥ୍ୟ ସେବା, ବିପର୍ଯ୍ୟୟ ପରିଚାଳନା, କ୍ରୀଡ଼ାର ବିକାଶ ଆଦି କ୍ଷେତ୍ରରେ ରାଜ୍ୟ ବିଶେଷ ପ୍ରଗତି ହାସଲ କରିଛି । ଏସବୁ କ୍ଷେତ୍ରରେ ରାଜ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ପାଇଛି ।
ଶ୍ରୀ ପାଢ଼ୀ କହିଲେ, ଆସନ୍ତା ୫ ବର୍ଷ ପାଇଁ ରାଜ୍ୟ ନିର୍ବାଚନ କମିଶନ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ପଦବୀରେ ଆସନ୍ତା ସୋମବାର ଦିନ ଯୋଗ ଦେବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons