କାଶ୍ମୀରରେ ପୁଣି କଟକଣା

Get real time updates directly on you device, subscribe now.

ଶ୍ରୀନଗର: ଜମ୍ମୁ-କାଶ୍ମୀର କର୍ତ୍ତୃପକ୍ଷ ଶ୍ରୀନଗରରେ ପୁଣି କଟକଣା ଜାରି କରିଛନ୍ତି । ଗତକାଲି ରାତିରେ କେତେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ସୁରକ୍ଷାକର୍ମୀ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ୧୭ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ହିଂସାକାଣ୍ଡ ଉପଦ୍ରୁତ ସ୍ଥାନରେ ପୁଣିଥରେ କଟକଣା ଲଗାଯାଇଛି । ଶ୍ରୀନଗରର ୧୨ରୁ ଅଧିକ ସ୍ଥାନରେ ଢ଼େଲାପଥର ମାଡ ଘଟଣା ଘଟିଛି । ସହରର ରାଇନାୱାରି, ନୌହ;ା, ସୌରା ଓ ଗୋଜୱାରା ଭଳି ସ୍ଥାନରେ ହିଂସାକାଣ୍ଡ ଘଟିଛି । ବିକ୍ଷୋଭକାରୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଢ଼େଲାପଥର ମାଡ଼ କରିଥିଲା ବେଳେ ସେମାନଙ୍କୁ ଘଉଡାଇବା ଲାଗି ସୁରକ୍ଷାକର୍ମୀଙ୍କ ପକ୍ଷରୁ ପେଲେଟ ଓ ଚିଲି ଗ୍ରେନେଡ ବ୍ୟବହାର କରାଯାଇଛି । ସେହିଭଳି ଜମ୍ମୁର ୫ଟି ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ ସେବାକୁ ମଧ୍ୟ ଆଜି ବନ୍ଦ କରିଦିଆଯାଇଛି । ଗତକାଲି ଏହି ଜିଲ୍ଲାରେ ୨ଜି ମୋବାଇଲ ନେଟ୍ ସେବା ଆରମ୍ଭ ହୋଇଥିଲା । କିନ୍ତୁ ମୋବାଇଲ ନେଟ୍ ମାଧ୍ୟମରେ ଅପପ୍ରଚାର କରାଯିବା ସହ ଲୋକମାନଙ୍କୁ ବିଭ୍ରାନ୍ତ କରାଯାଉଥିବାରୁ ତାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ଗତକାଲି କାଶ୍ମୀରର ୧୭ଟି ଟେଲିଫୋନ୍ ଏକ୍ସଚେଞ୍ଜ ଅନ୍ତର୍ଗତ ୫୦ ହଜାର ଲ୍ୟାଣ୍ଡଲାଇନ ଫୋନ୍କୁ ସଚଳ କରାଯିବା ସହିତ ଜମ୍ମୁର ୧୦ଟି ଜିଲ୍ଲା ମଧ୍ୟରୁ ୫ଟିରେ ୨ଜି ମୋବାଇଲ ଇଣ୍ଟରନେଟ ସେବା ଆରମ୍ଭ ହୋଇଥିଲା । ତେବେ ବନ୍ଦ କରାଯାଇଥିବା ଯୋଗାଯୋଗ ବ୍ୟବସ୍ଥାକୁ ପୁଣି ସକ୍ରିୟ କରାଯିବ ବୋଲି ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରାମର୍ଶଦାତା କେ. ବିଜୟ କୁମାର ପ୍ରକାଶ କରିଛନ୍ତି । ସେ କହିଛନ୍ତି ମୋବାଇଲ ଫୋନ୍ ସେବା ସଚଳ କରାଯିବା ଯୋଗୁ ତାହାର ଅପବ୍ୟବହାର କରାଯାଉଛି । ତେଣୁ ଆଇନ ଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଏହାକୁ ପୁଣିଥରେ ବନ୍ଦ କରିବାକୁ ପଡିଛି । ସୂଚନାଯୋଗ୍ୟ ଯେ ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରାଯିବା ପରଠାରୁ ଅଗଷ୍ଟ ୫ରୁ ସମଗ୍ର ରାଜ୍ୟରେ କଟକଣା ଜାରି କରାଯାଇଥିବା ବେଳେ ଧିରେ ଧିରେ ତାକୁ ଉଠାଇ ଦିଆଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons