କାବୁଲରେ ଆତ୍ମଘାତୀ ବିସ୍ଫୋରଣ:୬୩ ମୃତ, ନିଜକୁ ଦାୟୀ କଲା ଆଇଏସ୍

Get real time updates directly on you device, subscribe now.

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲଠାରେ ଏକ ବଡ଼ଧରଣର ଆତ୍ମଘାତୀ ବିସ୍ଫୋରଣ ଘଟିଛି । ଏକ ବିବାହ ମଣ୍ଡପରେ ବିବାହ କାର୍ଯ୍ୟ ଚାଲିଥିଲା ବେଳେ ଏହି ବିସ୍ଫୋରଣ ଘଟିଥିଲା । ଏଥିରେ ୬୩ ଜଣ ପ୍ରାଣ ହରାଇଥିବା ବେଳେ ୧୮୨ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅନେକ ମହିଳା ଏବଂ ଶିଶୁ ଥିବା ଜଣାପଡ଼ିଛି । ଶନିବାର ରାତି ପ୍ରାୟ ୧୦.୪୦(ଭାରତୀୟ ସମୟ ଅନୁସାରେ ୧୧.୪୦)ସମୟରେ ଏହି ଘଟଣା ଘଟିଛି । ତେବେ ବିସ୍ଫୋରଣରୁ ବର ଓ କନ୍ୟା ଅଳ୍ପକେ ବର୍ତ୍ତିଯାଇଛନ୍ତି । କିସ୍କୁ କନ୍ୟା ପରିବାରର ୧୪ ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏହି ବିସ୍ଫୋରଣ ପାଇଁ ଇସ୍ଲାମିକ ଷ୍ଟେଟ (ଆଇଏସ୍)ନିଜକୁ ଦାୟୀ କରିଛି ।
ଆଫଗାନିସ୍ତାନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମୁଖପାତ୍ର ନୁସରତ ରହିମ ଏନେଇ ଟୁଇଟ କରି ସହର-ଏ-ଦୁବାଇ ବିବାହ ମଣ୍ଡପରେ ଏହି ବିସ୍ଫୋରଣ ହୋଇଥିବା ସୂଚିତ କରିଛନ୍ତି । ସଂଖ୍ୟାଲଘୁ ସମ୍ପ୍ରଦାୟ ‘ଶିୟା ହଜାରା’ର ଲୋକ ଏହି ବିବାହରେ ଅନେକ ସଂଖ୍ୟାରେ ଉପସ୍ଥିତ ଥିଲେ । ଏଣୁ ଆତ୍ମଘାତୀ ଜଣକ ଏହି ସମ୍ପ୍ରଦାୟର ଲୋକଙ୍କୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ବିସ୍ଫୋରଣ ଘଟାଇଥିବା ଅନୁମାନ କରାଯାଉଛି । ବିସ୍ଫୋରଣ ଘଟିଥିବା ଅଞ୍ଚଳରେ ବ୍ୟାପକ ସୁରକ୍ଷାବଳଙ୍କୁ ନିୟୋଜିତ କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବିସ୍ଫୋରଣ ବେଳେ ମଣ୍ଡପଟିରେ ଖୁବ୍ ଭିଡ଼ ଥିଲା । ନୃତ୍ୟ ସଙ୍ଗୀତ ଚାଲୁଥିବା ମଞ୍ଚ ନିକଟରେ ଜଣେ ଆତ୍ମଘାତୀ ପ୍ରବେଶ କରିବା ସହ ବିସ୍ଫୋରଣ ଘଟାଇଥିଲା । ଆଫଗାନିସ୍ତାନରେ ଆସନ୍ତା ୨୮ ତାରିଖରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ତାକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ଏଭଳି ବିସ୍ପୋରଣ ଘଟାଯାଇଥିବା ଚର୍ଚ୍ଚା ହେଉଛି ।
ଉଲ୍ଲେଖଯୋଗ୍ୟ, କାବୁଲଠାରେ ଚଳିତମାସରେ ଘଟିଥିବା ଏହା ଦ୍ୱିତୀୟ ବିସ୍ଫୋରଣ । ଏହା ପୂର୍ବରୁ ଗତ ୮ ତାରିଖରେ ଘଟିଥିବା ଅନ୍ୟ ଏକ ବିସ୍ଫୋରଣରେ ୧୪ ଜଣ ପ୍ରାଣ ହରାଇଥିବା ବେଳେ ୧୪୫ ଜଣ ଆହତ ହୋଇଥିଲେ । ଏକ କାରରେ ଏହି ବିସ୍ପୋରଣ କରାଯାଇଥିଲା । ସେହିଭଳି ଗତବର୍ଷ ନଭେମ୍ବରରେ କାବୁଲର ଏକ ବିବାହ ମଣ୍ଡପରେ ଆତ୍ମଘାତୀ ବିସ୍ଫୋରଣ ଘଟି ୪୦ ଜଣ ପ୍ରାଣ ହରାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons