୨ ଲକ୍ଷ କୋଟିର ନିବେଶକୁ ମଞ୍ଜୁରି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଓଡ଼ିଶା ହେବ ପୂର୍ବ ଭାରତର ପେଟ୍ରୋକେମିକାଲ ହବ୍ । ଏହି ଉଦ୍ଦେଶ୍ୟରେ ରାଜ୍ୟ ସରକାର ସୋମବାର ୨ଟି ମେଗା ପେଟ୍ରୋକେମିକାଲ ପୁଞ୍ଜିନିବେଶ ପ୍ରସ୍ତାବରେ ମୋହର ଲଗାଇଛନ୍ତି । ଏହି ୨ ପ୍ରକଳ୍ପକୁ ମିଶାଇ ମୋଟ ୨ ଲକ୍ଷ ୪ ହଜାର ୬୯ କୋଟି ଟଙ୍କା ମୂଲ୍ୟର ୫ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ସରକାର ।
ନିକଟରେ ଉଦ୍ଘାଟିତ ଖାରବେଳ ଭବନ (ନୂଆ ସଚିବାଳୟ)ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଂଶତମ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍ଏଲ୍ସିଏ)ରେ ଏସବୁ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ଏହି ପ୍ରସ୍ତାବଗୁଡ଼ିକ କାର୍ଯ୍ୟକ୍ଷମ ହେଲେ, ରାଜ୍ୟରେ ୨୭,୬୪୫ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସିଏଲ୍) ଦ୍ୱାରା ପ୍ରସ୍ତାବିତ ୧,୦୯,୪୩୬ କୋଟି ଟଙ୍କା ମୂଲ୍ୟର ୨ଟି ପ୍ରସ୍ତାବକୁ ଏଚ୍ଏଲ୍ସିଏ ମୋହର ଲଗାଇଛି । ୧,୦୦,୩୦୦ କୋଟି ଟଙ୍କା ମୂଲ୍ୟର ପ୍ରଥମ ପୁଞ୍ଜିନିବେଶ ପ୍ରସ୍ତାବ ମୁତାବକ, ଆଇଓସିଏଲ ପାରାଦୀପସ୍ଥିତ ନିଜ ରିଫାଇନରି ୟୁନିଟର କ୍ଷମତାକୁ ଏବେକାର ୧୫ ନିୟୁତ ଟନ୍ରୁ ୨୫ ନିୟୁତ ଟନ୍କୁ ସମ୍ପ୍ରସାରଣ କରିବ । ଏହାଛଡ଼ା କମ୍ପାନି ପାରାଦୀପଠାରେ ଏକ ପେଟ୍ରୋକେମିକାଲ କମ୍ପେ୍ଲକ୍ସ ସ୍ଥାପନ କରିବ । ଆଇଓସିଏଲ୍ର ଏ ପ୍ରସ୍ତାବ ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ଆସିଥିବା ସର୍ବବୃହତ ନିବେଶ ପ୍ରସ୍ତାବ ବୋଲି କୁହାଯାଉଛି । ପ୍ରସ୍ତାବିତ ପେଟ୍ରୋକେମିକାଲ୍ କମ୍ପେ୍ଲକ୍ସରେ ଏକ ଡୁଆଲ ଫିଡ୍ କ୍ରାକର, ନାଫ୍ଥା କ୍ରାକର ଓ ପେଟ୍କୋକ୍ ଗ୍ୟାସିଫିକେସନ୍ ପ୍ଲାଣ୍ଟ ରହିବ । ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ୧୨,୫୯୫ ଜଣ ଲୋକଙ୍କୁ ନିଯୁକ୍ତି ଯୋଗାଇବ ।
ଆଇଓସିଏଲ୍ର ଦ୍ୱିତୀୟ ପ୍ରସ୍ତାବ ଅନୁସାରେ, କମ୍ପାନି ନିଜ ପୁରୁଣା ପାରାଦୀପ ରିଫାଇନରି ପରିସରରେ ଏକ ପିଏକ୍ସ-ପିଟିଏ (ପ୍ୟୁରିଫାଏଡ୍ ଟେରିଫ୍ଥାଲିକ୍ ଏସିଡ୍ କମ୍ପେ୍ଲକ୍ସ) ବସାଇବ । ବାର୍ଷିକ ୧.୨ ନିୟୁତ ଟନ୍ କ୍ଷମତାର ଏହି ପିଏକ୍ସ-ପିଟିଏ ପାଇଁ କମ୍ପାନି ୯,୧୩୬ କୋଟି ଟଙ୍କା ପୁଞ୍ଜିନିବେଶ କରିବ । ଏହା ଚାଲୁ ହେଲେ ୩,୨୦୦ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବ ।
ହଳଦିଆ ପେଟ୍ରୋକେମିକାଲ୍ସ (ଏଚ୍ପିଏଲ୍) ଦେଇଥିବା ଏକ ମେଗା ପେଟ୍ରୋକେମିକାଲ୍ସ ପ୍ରସ୍ତାବ ମଧ୍ୟ ଏଚ୍ଏଲ୍ସିଏର ଅନୁମୋଦନ ପାଇଛି । ହଳଦିଆ ପେଟ୍ରୋକେମିକାଲ୍ସ ବାଲେଶ୍ୱର ଜିଲ୍ଲାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ନିକଟରେ ଏକ ହାଇଡ୍ରୋକାର୍ବନ ପ୍ରୋସେସିଂ କମ୍ପେ୍ଲକ୍ସ ସ୍ଥାପନ କରିବ । ୭୮,୦୦୦ କୋଟି ବିନିଯୋଗରେ ଏହି କମ୍ପେ୍ଲକ୍ସରେ ଏକ ହାଲୁକା ଅଶୋଧିତ ତୈଳ ରିଫାଇନରି ସମେତ ଆରୋମେଟିକ୍ସ କମ୍ପେ୍ଲକ୍ସ ଓ ଏଥିଲିନ୍ କ୍ରାକର୍ କମ୍ପେ୍ଲକ୍ସ ରହିବ । ଏଚ୍ପିଏଲ୍ର ଏହି ପୁଞ୍ଜିନିବେଶ ପ୍ରାୟ ୧୦,୦୦୦ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି କରିବ ।
ଏସବୁ ବ୍ୟତୀତ ଏଚ୍ଏଲ୍ସିଏ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ପ୍ରସ୍ତାବିତ ଏକ ମେଟାଲ ଡାଉନ୍ଷ୍ଟ୍ରିମ୍ ପ୍ରକଳ୍ପକୁ ଅନୁମୋଦନ କରିଛି । କମ୍ପାନି ଯାଜପୁରସ୍ଥିତ କଳିଙ୍ଗନଗର ଇଣ୍ଡଷ୍ଟ୍ରିଆଲ କମ୍ପେ୍ଲକ୍ସରେ ୦.୫୦ ନିୟୁତ ଟନ୍ କ୍ଷମତାର ଏକ କୋଲ୍ଡ ରୋଲିଂ କମ୍ପେ୍ଲକ୍ସ ଓ ଏକ ଇସ୍ପାତ ପ୍ରକ୍ରିୟାକରଣ ପ୍ଲାଣ୍ଟ ସ୍ଥାପନ କରିବ । ୧,୬୭୬ କୋଟି ଟଙ୍କା ପୁଞ୍ଜିନିବେଶରେ ଆସିବାକୁ ଥିବା ଏହି ପ୍ରକଳ୍ପ ୧,୩୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ଆଣିବ ।
ଅନୁଗୁଳ ଜିଲ୍ଲା ତାଳଚେରଠାରେ ବାର୍ଷିକ ୧.୯୯ ନିୟୁତ ଟନ୍ କ୍ଷମତାର ଏକ କୋଇଲାଭିତ୍ତିକ ୟୁରିଆ ସାର କମ୍ପେ୍ଲକ୍ସ ସ୍ଥାପନ ପାଇଁ ତାଳଚେର ଫର୍ଟିଲାଇଜର ଦେଇଥିବା ପ୍ରସ୍ତାବକୁ ମଧ୍ୟ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ପାଇଁ କମ୍ପାନି ୧୪,୭୩୨ କୋଟି ଟଙ୍କା ନିବେଶ କରିବ ଓ ଏହା ୫୫୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ଆଜି ଅନୁଷ୍ଠିତ ଏଚ୍ଏଲ୍ସିଏ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ମହାପାତ୍ର ଓ ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons