ନବୀନ-ଧର୍ମେନ୍ଦ୍ର ଭେଟ:ଓଡ଼ିଶାର ବିକାଶ ଆମର ଲକ୍ଷ୍ୟ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଆଖି ଆଗରେ ରହିଛି ଅନେକ ଚାଲେଞ୍ଜ । ବେକାରୀ ଦୂରୀକରଣ, ବାତ୍ୟା ‘ଫୋନି’ ପରବର୍ତ୍ତୀ ପୁନରୁଦ୍ଧାର, ସର୍ବୋପରି ସାଢ଼େ ୪ କୋଟି ଓଡ଼ିଆଙ୍କର ବିକାଶ । ଦୀର୍ଘଦିନ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଗୋଟିଏ ବିନ୍ଦୁରେ ଏକମତ ହୋଇଛନ୍ତି । ଏକଥା ବି ବାର୍ତ୍ତା ଦେଇଛନ୍ତି, ସବୁବେଳେ ରାଜନୀତି ନୁହେଁ, ରାଜ୍ୟ ସ୍ୱାର୍ଥ ହିଁ ପ୍ରଥମେ ।
ନିର୍ବାଚନର ମୁହାଁମୁହିଁ ସମର ପରେ ଆଜି ଉଭୟ ନେତା ସାମ୍ନାସାମ୍ନି ହୋଇଥିଲେ ଦିଲ୍ଲୀସ୍ଥିତ ଓଡ଼ିଶା ଭବନର ଗୋଟିଏ କୋଠରୀରେ । ରାଗ, ଦ୍ୱେଷ କିମ୍ବା ଆକ୍ଷେପ ପ୍ରତ୍ୟାକ୍ଷେପ ନଥିଲା । ଆଲୋଚନା ବେଶ୍ ସୌଜନ୍ୟମୂଳକ ଓ ସୌହାର୍ଦ୍ୟପୂର୍ଣ୍ଣ ଥିଲା । ପାଖାପାଖି ୪୦ ମିନିଟ ଧରି ଦୁହିଁଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ପ୍ରଥମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ହସହସ ମୁହଁରେ ବାହାରକୁ ଆସିଥିଲେ । ଅପେକ୍ଷାରତ ସାମ୍ବାଦିକମାନଙ୍କୁ କହିଥିଲେ, “ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀଙ୍କର ଏହା ଥିଲା ପ୍ରଥମ ଦିଲ୍ଲୀ ଗସ୍ତ । ମୁଁ ଜଣେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ହିସାବରେ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ଆସିଥିଲି । ଏଥିରେ ରାଜନୀତି ନାହିଁ । ”
ସେ କହିଥିଲେ, ଓଡ଼ିଶାର ବିକାଶ ସମ୍ପର୍କରେ ଆମେ ଆଲୋଚନା କରିଛୁ । କେନ୍ଦ୍ର-ରାଜ୍ୟ ସମନ୍ୱୟ ରକ୍ଷା କରି ଯେଭଳି ଓଡ଼ିଶାର ବିକାଶ ଦିଗରେ କାର୍ଯ୍ୟ କରିହେବ, ସେନେଇ ଆଲୋଚନା ହୋଇଛି । ପେଟ୍ରୋଲିୟମ ମନ୍ତ୍ରଣାଳୟ ସହ ପ୍ରଥମ ଥର ପାଇଁ ମୋତେ ଇସ୍ପାତ ମନ୍ତ୍ରଣାଳୟ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଏହି ବିଭାଗର ଦାୟିତ୍ୱ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ହାତରେ ଥିଲା ଏବଂ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ତାଙ୍କ ପ୍ରଶାସନିକ ଦାୟିତ୍ୱ ଇସ୍ପାତ ବିଭାଗରୁ ହିଁ ଆରମ୍ଭ କରିଥିଲେ । ଭାରତ ସରକାରଙ୍କ ଇସ୍ପାତ ନୀତି ଅନୁସାରେ ସାରା ଦେଶରେ ୩୦୦ ନିୟୁତ ଟନ୍ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି । ସେଥିରୁ କେବଳ ଓଡ଼ିଶାରେ ରହିଛି ୧୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନର ସମ୍ଭାବନା । ଏହି ଲକ୍ଷ୍ୟ କେମିତି ହାସଲ କରିହେବ, ସେନେଇ ଅନୁଧ୍ୟାନ କରାଯାଉଛି । ଧର୍ମେନ୍ଦ୍ର କହିଥିଲେ, ଫୋନି ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମ୍ପର୍କରେ ବି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା । କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟ କିଭଳି ସହାୟତା ଚାହୁଁଛି ଏବଂ କେନ୍ଦ୍ର କ’ଣ କରିପାରିବ, ସେନେଇ ଆଲୋଚନା ହୋଇଥିଲା । ମୁଖ୍ୟତଃ ସାଢ଼େ ୪ କୋଟି ଓଡ଼ିଆଙ୍କ ଜୀବନରେ ପରିବର୍ତ୍ତନ କରିବା, ବେକାରୀ ସମସ୍ୟା ଦୂର କରିବା ଉପରେ ଆଲୋଚନା ହୋଇଥିଲା ।
ପରେ ପରେ ମୁଖ୍ୟମନ୍ତ୍ରୀ ବାହାରକୁ ଆସିଥିଲେ । ସାମ୍ବାଦିକମାନଙ୍କୁ ଆଲୋଚନା ଉପରେ ସୂଚନା ଦେଇ କହିଥିଲେ, ଆଲୋଚନା ସୌହାର୍ଦ୍ୟପୂର୍ଣ୍ଣ ଓ ସୌଜନ୍ୟମୂଳକ ଥିଲା । ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସମନ୍ୱୟ ରକ୍ଷା କରି କିଭଳି ଜନହିତକର ଯୋଜନାଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚାଇହେବ, ବେରୋଜଗାରି ଦୂର କରିହେବ, ସେ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି । ଆଲୋଚନା ଆଗାମୀ ଦିନରେ ଅନେକ ନୂଆ ସମ୍ଭାବନା ଓ ସୁଫଳ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ବିଜେଡି ସମଦୂରତା ରକ୍ଷା କରିବା ପାଇଁ ନିର୍ବାଚନ ପୂର୍ବରୁ ବାର୍ତ୍ତା ଦେଇଥିଲା । ଏବେ ଏହି ନୀତିରେ ପରିବର୍ତ୍ତନ କରୁଛି କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ନବୀନ କହିଥିଲେ, ଗଠନମୂଳକ ସହଯୋଗରେ ସେ ବିଶ୍ୱାସ କରନ୍ତି । ରାଜ୍ୟର ବିକାଶ ଲାଗି କେନ୍ଦ୍ର ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ତାଙ୍କ ସରକାର ଚାହେଁ ବୋଲି ସେ କହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons