ଚିଦାମ୍ବରମ ଗିରଫ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଗତ ୨୭ ଘଣ୍ଟାର ହାଇଡ୍ରାମା ପରେ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଫସିଥିବା ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ଶେଷରେ ସିବିଆଇ ଗିରଫ କରିଛି । ଦିଲ୍ଲୀର ଜୋରବାଗ ସ୍ଥିତ ତାଙ୍କ ବାସଭବନରୁ ଆଜି ସନ୍ଧ୍ୟାରେ ତାଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ତାଙ୍କୁ ଗିରଫ କରିବାକୁ ଯାଇ ସିବିଆଇ ଟିମ୍କୁ ଆଜି ନାକେଦମ୍ ହେବାକୁ ପଡ଼ିଥିଲା । ଚିଦାମ୍ବରମଙ୍କର ଗତ କାଲି ସନ୍ଧ୍ୟାରୁ ପତ୍ତା ମିଳୁନଥିଲା । ଆଜି ସନ୍ଧ୍ୟାରେ ସେ ଆକସ୍ମିକ ଭାବେ କଂଗ୍ରେସ ମୁଖ୍ୟାଳୟରେ ହାଜର ହୋଇ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହାପରେ ସେ ସେଠାରେ କିଛି ସମୟ ପାଇଁ ଦଳର କେତେକ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଥିଲେ ଏବଂ ପରେ ସେଠାରୁ ଦିଲ୍ଲୀର ଜୋରବାଗ ସ୍ଥିତ ବାସଭବନକୁ ଯାଇଥିଲେ । ସେ କଂଗ୍ରେସ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଥିବା ବେଳେ ତାଙ୍କୁ ଗିରଫ କରିବା ପାଇଁ ସିବିଆଇର ଏକ ଟିମ୍ ସେଠାକୁ ଯାଇଥିଲା । ମାତ୍ର ସେଇ ଟିମ୍କୁ ନିରାଶ ହେବାକୁ ପଡ଼ିଥିଲା । \nଚିଦାମ୍ବରମ ତାଙ୍କ ବାସଭବନକୁ ଆସିଥିବାର ସୂଚନା ମିଳିବା ପରେ ସିବିଆଇର ତିନୋଟି ଟିମ୍ ସେଠାରେ ପହଞ୍ôଚଥିଲେ । ଇଡିର ଏକ ଟିମ୍ ବି କିଛି ସମୟ ଭିତରେ ପହଞ୍ôଚ ଯାଇଥିଲା । ଚିଦାମ୍ବରମଙ୍କ ବାସଭବନର ସାମ୍ନା ପଟ ଗେଟରେ ସିବିଆଇ ଟିମ୍ ଜଗି ରହିଥିଲା ଏବଂ ପଛରେ ଥିବା ଗେଟରେ ଇଡି ଟିମ୍ ଜଗି ରହିଥିଲା । କିନ୍ତୁ ଉଭୟ ଏଜେନ୍ସିର ଟିମ୍କୁ ବାସଭବନ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନଥିଲା । ଏହାପରେ ସିବିଆଇ ଅଧିକାରୀମାନେ ଗେଟ୍ ଉପରେ ଚଢ଼ି ଭିତରେ ପ୍ରବେଶ କରିଥିଲେ ଏବଂ ପରେ ଉକ୍ତ ଗେଟ୍କୁ ଖୋଲିଥିଲେ । ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା ଥିବାରୁ ସିବିଆଇ ଦିଲ୍ଲୀ ପୁଲିସର ସହାୟତା ଲୋଡ଼ିଥିଲା । ଏହାପରେ ଦିଲ୍ଲୀ ପୁଲିସର ୨୦ ଜଣ କର୍ମଚାରୀ ସେଠାରେ ପହଞ୍ôଚଥିଲେ । ଚିଦାମ୍ବରମଙ୍କ ବାସଭବନ ନିକଟରେ ଉପସ୍ଥିତ କଂଗ୍ରେସ କର୍ମୀମାନେ ପୁଲିସର ଗାଡ଼ିକୁ ଅଟକାଇବାକୁ ପ୍ରୟାସ କରିବାରୁ ପୁଲିସ ସହିତ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । କଂଗ୍ରେସ କର୍ମୀମାନେ ମଧ୍ୟ ସେଠାରେ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ସେପଟେ ସିବିଆଇ ଅଧିକାରୀମାନେ ଘର ଭିତରେ ଚିଦାମ୍ବରମଙ୍କୁ କିଛି ସମୟ ପାଇଁ ଜେରା କରିଥିଲେ ଏବଂ ପରିଶେଷରେ ତାଙ୍କୁ ଗିରଫ କରିଥିଲେ । ତାଙ୍କୁ ଜେରା କରିବା ପାଇଁ ସିବିଆଇ ମୁଖ୍ୟାଳୟରେ ଏଜେନ୍ସିର ଜଣେ ଯୁଗ୍ମ ସଚିବ ର‌୍ୟାଙ୍କର ଅଧିକାରୀ ପୂର୍ବରୁ ଉପସ୍ଥିତ ଅଛନ୍ତି । ତାଙ୍କୁ ଆଜି ରାତିରେ ହିଁ ଜେରା କରାଯିବାର ସମ୍ଭାବନା ରହିଛି । \n ଜୋରବାଗ ବାସଭବନକୁ ଫେରିବା ପୂର୍ବରୁ ସେ କଂଗ୍ରେସ ନେତାଙ୍କ ଗହଣରେ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ କରି କହିଥିଲେ ଯେ ସମ୍ବିଧାନର ଧାରା ୨୧ ଅଧୀନରେ ‘ଲାଇଫ୍ ଏଣ୍ଡ ଲିବର୍ଟି ( ଜୀବନ ଓ ସ୍ୱାଧୀନତା) କଥା ଉଲ୍ଲେଖ କରାଯାଇଛି । ଯଦି ଏହି ଦୁଇଟି ଭିତରୁ ଗୋଟିଏକୁ ଚୟନ କରିବାକୁ ତାଙ୍କୁ କୁହାଯାଏ, ତାହାହେଲେ ସେ ‘ଲିବର୍ଟି’କୁ ଚୟନ କରିବେ । ଚିଦାମ୍ବରମ ଅଭିଯୋଗ କରିଥିଲେ, ଆଇଏନଏକ୍ସ ମିଡିଆ ମାମଲାରେ ସେ ଅଭିଯୁକ୍ତ ନୁହନ୍ତି । ତାଙ୍କୁ ଏବଂ ତାଙ୍କ ପୁଅଙ୍କୁ ଏହି ମାମଲାରେ ଫସାଯାଉଛି । ଗତକାଲି ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ଏବଂ ତାଙ୍କର ଓକିଲମାନେ ରାତିସାରା ବସି ସୁପ୍ରିମକୋର୍ଟରେ ଆବେଦନ ଦାଖଲ ପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରୁଥିଲେ । କିନ୍ତୁ ଗତ ୨୪ ଘଣ୍ଟା ମଧ୍ୟରେ ତାଙ୍କୁ ନେଇ ଅନେକ ପ୍ରକାରର ଅପପ୍ରଚାର କରାଯାଇଥିଲା । ତେଣୁ ସେ ଏହା ଉପରେ ସ୍ପଷ୍ଟୀକରଣ ଦେବାକୁ ଉଚିତ ମନେ କରିଥିଲେ । \n ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମ୍ଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିବା ପର ଠାରୁ ତାଙ୍କର ପତ୍ତା ମିଳୁନଥିଲା । ଗିରଫଦାରୀକୁ ଏଡ଼ାଇବା ପାଇଁ ସେ କେଉଁଠି ଲୁଚିଥିବାର ଅନୁମାନ କରାଯାଉଥିଲା । ତାଙ୍କର ଫୋନ ସୁଇଚ୍ ଅଫ ରହିଥିଲା । ତେଣୁ ତାଙ୍କୁ ଠାବ କରିବା ମୁସ୍କିଲ ହୋଇଥିଲା । କାଳେ ସେ ଦେଶରୁ ଖସି ପଳାଇବେ, ସେଥିପାଇଁ ସିବିଆଇ ଏବଂ ଇଡି ତାଙ୍କ ବିରୋଧରେ ଲୁକ୍ ଆଉଟ ନୋଟିସ ମଧ୍ୟ ଜାରି କରିଥିଲେ । \nଅନ୍ୟପଟରେ, ସୁପ୍ରିମକୋର୍ଟରୁ ଆଜି ଚିଦାମ୍ବରମଙ୍କ ନିରାଶ ହୋଇଥିଲେ । ତାଙ୍କ ଓକିଲଙ୍କ ବାରମ୍ବାର ନିବେଦନ ସତ୍ତେ୍ୱ ସୁପ୍ରିମକୋର୍ଟ ଆଜି ଏହା ଉପରେ ତ୍ୱରିତ ଶୁଣାଣି କରିବାକୁ ମନା କରିଦେଇଥିଲେ । ଏହା ଉପରେ ଶୁକ୍ରବାର ଶୁଣାଣି ହେବ ବୋଲି କୁହାଯାଇଛି । ଚିଦାମ୍ବରମଙ୍କ ଓକିଲ ତଥା କଂଗ୍ରେସ ନେତା କପିଲ ସିବଲ ଆଜି ବିଚାରପତି ଏନ ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ନିକଟରେ ଏହି ମାମଲା ଉଠାଇଥିଲେ । ମାତ୍ର ଖଣ୍ଡପୀଠ ଏହାକୁ ପ୍ରଧାନ ବିଚାରପତିଙ୍କ ପାଖକୁ ପଠାଇ ଦେଇଥିଲେ ଏବଂ ସେ ହିଁ ଏହା ଉପରେ ବିଚାର କରିବା ପାଇଁ ଉପଯୁକ୍ତ ଖଣ୍ଡପୀଠ ଗଠନ କରିବେ ବୋଲି ମତ ଦେଇଥିଲେ । \nହେଲେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଆଜି ଦିନସାରା ଅଯୋଧ୍ୟା ମାମଲାର ଶୁଣାଣିକୁ ନେଇ ବ୍ୟସ୍ତ ରହିବାରୁ ସିବଲ ତାଙ୍କୁ ଏ ସମ୍ପର୍କରେ ଜଣାଇବାକୁ ବିଫଳ ହୋଇ ପୁଣି ଥରେ ପୂର୍ବ ଖଣ୍ଡପୀଠଙ୍କ ନିକଟରେ ଏନେଇ ଆବେଦନ କରିଥିଲେ । କିନ୍ତୁ ଖଣ୍ଡପୀଠ ଏଥରକ ବି ଏହା ଉପରେ ତ୍ୱରିତ ଶୁଣାଣି କରିବାକୁ ମନା କରିଦେଇଥିଲେ ଏବଂ ମାମଲା ତାଲିକାଭୁକ୍ତ ନହେବା ଯାଏଁ ଶୁଣାଣି କରାଯିବ ନାହିଁ ବୋଲି କହିଥିଲେ । ପ୍ରଧାନ ବିଚାରପତିଙ୍କ ନିକଟରେ ଏନେଇ ଆବେଦନ କରିବାକୁ ଖଣ୍ଡପୀଠ ପୁଣି ଥରେ କହିଥିଲେ । ଏହାପରେ ତାଙ୍କ ଓକିଲ ରେଜିଷ୍ଟ୍ରାରଙ୍କ ସହିତ ଯୋଗାଯୋଗ କରିଥିଲେ । ପ୍ରଧାନ ବିଚାରପତିଙ୍କ ସହ କଥା ହେବା ପରେ ଶୁକ୍ରବାର ଏହା ଉପରେ ଶୁଣାଣି କରାଯିବ ବୋଲି ରେଜିଷ୍ଟ୍ରାର ଚିଦାମ୍ବରମଙ୍କ ଓକିଲଙ୍କୁ ସୂଚନା ଦେଇଥିଲେ । \n ଇତିମଧ୍ୟରେ ଚିଦାମ୍ବରମଙ୍କ ବିରୋଧରେ ତଦନ୍ତକୁ ଇଡି ବ୍ୟାପକ କରିଛି । ସେ କେବଳ ଆଇଏନଏକ୍ସ ମିଡିଆ ଏବଂ ଏୟାରସେଲ-ମ୍ୟାକ୍ସିସ ମାମଲା ନୁହେଁ, ଆଉ ଚାରିଟି କଂପାନି ଯେପରିକି ଡିଏଗୋ ସ୍କଟଲ୍ୟାଣ୍ଡ ଲିମିଟେଡ, କଟାରା ହୋଲଡିଙ୍ଗ୍ସ୍, ଏସାର ଷ୍ଟିଲ ଲିମିଟେଡ ଏବଂ ଏଲଫୋର୍ଜ ଲିମିଟେଡରେ ମଧ୍ୟ ବିଦେଶୀ ପୁଞ୍ଜି ନିବେଶ ପ୍ରସ୍ତାବକୁ ସ୍ୱୀକୃତି ଦେବା ଆଳରେ ଲାଞ୍ଚ ନେଇଥିବାର ଅଭିଯୋଗ ଆଣିଛି ଇଡି । ଇଡି ଦେଇଥିବା ସୂଚନା ଅନୁସାରେ, ସେ ଅନେକ ଗୁଡିଏ ସେଲ୍ କଂପାନି ଜରିଆରେ ଲାଞ୍ଚ ଗ୍ରହଣ କରୁଥିଲେ । ଏଭଳି ଗୋଟିଏ ସେଲ କଂପାନିରେ ୩୦୦ କୋଟି ଟଙ୍କା ଜମା କରାଯାଇଥିବାର ପ୍ରମାଣ ମିଳିଛି । ଇଡି ମଧ୍ୟ ସୂଚନା ଦେଇଛି କି ଆଇଏନଏକ୍ସ ମିଡିଆ ମାମଲାରେ ଲାଞ୍ଚ ଭାବେ ପାଇଥିବା ୫୪ କୋଟି ଟଙ୍କାକୁ ବ୍ୟବହାର କରି ଚିଦାମ୍ବରମ ସ୍ପେନରେ ଏକ ଟେନିସ କ୍ଲବ୍ ଏବଂ ବ୍ରିଟେନରେ ଏକ କଟେଜ କିଣିଛନ୍ତି । \n ସେପଟେ କଂଗ୍ରେସର ଅନେକ ପ୍ରମୁଖ ନେତା ଚିଦାମ୍ବରମଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଟାର୍ଗେଟ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ ସିବିଆଇ, ଇଡି ଓ କିଛି ମିଡ଼ିଆ ସଂସ୍ଥାଙ୍କୁ ଅପବ୍ୟବହାର କରି କେନ୍ଦ୍ର ସରକାର ଚିଦାମ୍ବରମଙ୍କ ଚରିତ୍ର ହନନ କରିବାକୁ ଉଦ୍ୟମ କରୁଛନ୍ତି । ଦଳର ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ ଚିଦାମ୍ବରମ ଦୀର୍ଘ ଦିନ ଅର୍ଥ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ବିଶ୍ୱସନୀୟତାର ସହ ଦେଶସେବା କରିଆସିଛନ୍ତି । ସେ ଏବେକା ସରକାରଙ୍କ ବିଫଳତାକୁ ପଦାରେ ପକାଇବାରୁ ତାଙ୍କୁ ଟାର୍ଗେଟ କରାଯାଉଛି । ଦଳର ପ୍ରବକ୍ତା ରଣଦୀପ ସିଂ ସୂରଜୱାଲା କହିଛନ୍ତି କି ଦିଲ୍ଲୀ ହାଇକୋର୍ଟର ଯେଉଁ ବିଚାରପତି ଜଣକ ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଛନ୍ତି, ସେ ୭ ବର୍ଷ ହେଲା ଏହି ମାମଲାକୁ ଧରିକି ବସିଥିଲେ । କିନ୍ତୁ ଅବସର ନେବାର ଠିକ୍ ୭୨ ଘଣ୍ଟା ପୂର୍ବରୁ ଏହା ଉପରେ ରାୟ ଦେଇଛନ୍ତି । ଏଥିରୁ ଦେଶରେ କିଭଳି ଶାସନ ଚାଲିଛି, ତାହା ଜଣାପଡୁଛି । \nବିଜେପି କିନ୍ତୁ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିଛି । ଦଳ ତରଫରୁ ଅଭିଯୋଗ କରାଯାଇଛି କି ଗାନ୍ଧୀ ପରିବାରର ସ୍ୱୀକୃତି କ୍ରମେ ଚିଦାମ୍ବରମ ଆଇଏନଏକ୍ସ ମିଡିଆରେ ବିଦେଶୀ ପୁଞ୍ଜି ନିବେଶ ପ୍ରସ୍ତାବକୁ ମଂଜୁରି ଦେଇଥିଲେ । ସେ ଏବେ ପଳାତକ ଘୋଷିତ ହୋଇଥିବା ବିଜୟ ମାଲ୍ୟା ଏବଂ ନିରବ ମୋଦିଙ୍କ ପରି ଆଚରଣ କରୁଛନ୍ତି । ଚିଦାମ୍ବରମ ତଦନ୍ତରେ ଆଦୌ ସହଯୋଗ କରୁନାହାନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons