ଅତ୍ୟାଧୁନିକ ହେବ କମିଶନରେଟ୍ ପୁଲିସ୍:ସୁଧାଂଶୁ ଷଡ଼ଙ୍ଗୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): କମିଶନ୍ରେଟ୍ ପୁଲିସ୍ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି । ଟ୍ର୍ରାଫିକ୍ ସମସ୍ୟା ଓ ସାଇବର ଅପରାଧ ଉପରେ ମୁଁ ଅଧିକ ଗୁରୁତ୍ୱ ଦେବି । କମିଶନରେଟ୍ ପୁଲିସ୍କୁ ଅତ୍ୟାଧୁନିକ କରିବି । ମାମଲାର ତଦନ୍ତ ଓ ଅପରାଧ ନିୟନ୍ତ୍ରଣକୁ ଅଧିକ ନଜର ଦେବି । ସେଥିପାଇଁ ଗୁଇନ୍ଦା ତଥ୍ୟକୁ ପ୍ରାଧାନ୍ୟ ଦିଆଯିବ । ଅପରାଧୀଙ୍କ ବିଷୟରେ ତଥ୍ୟ ହାସଲ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦିଗକୁ ସମୀକ୍ଷା କରିବି । ବୁଧବାର ଟ୍ୱିନ୍ସିଟିର ନୂଆ କମିଶନର ଭାବେ ଦାୟିତ୍ୱ ନେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଡ. ସୁଧାଂଶୁ ଷଡ଼ଙ୍ଗୀ । ଆଜି ପୂର୍ବତନ ପୁଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ ଠାରୁ ଶ୍ରୀ ଷଡ଼ଙ୍ଗୀ କମିଶନ୍ରେଟ୍ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଦାୟିତ୍ୱ କରିଛନ୍ତି । \n ପୂର୍ବାହ୍ନରେ ଶ୍ରୀ ଷଡ଼ଙ୍ଗୀ ପହଞ୍ଚିଥିଲେ କମିଶନରେଟ୍ ପୁଲିସ୍ ମୁଖ୍ୟାଳୟରେ । କଟକ-ଭୁବନେଶ୍ୱରର ସମସ୍ତ ପୁଲିସ ଅଧିକାରୀ ତାଙ୍କୁ ସ୍ୱାଗତ କରିଥିଲେ । ଚୌକିରେ ବସିବା ପରେ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ପୁଲିସର ମୌଳିକ କର୍ତ୍ତବ୍ୟ ହେଉଛି ଆଇନଶୃଙ୍ଖଳା ରକ୍ଷା ସହ ଓ ଧନ ଜୀବନକୁ ସୁରକ୍ଷା କରିବା । ସହରରେ ସୁରକ୍ଷାର ବାତାବରଣ ସୃଷ୍ଟି ପାଇଁ ଆମେ ଉଦ୍ୟମ କରିବୁ । ସହରବାସୀଙ୍କ ସହଯୋଗ ନେଇ ମୁଁ କାମ କରିବି । ରାଜ୍ୟ ସରକାର ଯେଉଁ ୫ ‘ଟି’ ବ୍ୟବସ୍ଥା କରିଛନ୍ତି ତାହାକୁ ଅଗ୍ରାଧିକାର ଦେଇ କାମ କରାଯିବ । ଟେକ୍ନୋଲୋଜି କ୍ଷେତ୍ରରେ ସାରା ଭାରତରେ ଓଡ଼ିଶା ପୁଲିସ୍ ଅଗ୍ରଣୀ । କମିଶନରେଟ୍ ପୁଲିସ୍ର ସ୍ଥିତି, ସମ୍ବଳ ଓ ସମସ୍ୟା ବିଷୟରେ ମୋ ସହକର୍ମୀଙ୍କ ସହ ଆଲୋଚନା କରିବି । \n ସେହିଭଳି ମହିଳା, ଶିଶୁ ଓ ବରିଷ୍ଠ ନାଗରିକ ପ୍ରତି କମିଶନ୍ରେଟ୍ ପୁଲିସ ସମ୍ବେଦନଶୀଳ ରହିବ । ସେମାନଙ୍କ ସୁରକ୍ଷାକୁ ଅଧିକା ଗୁରୁତ୍ୱ ଦିଆଯିବ । କମିଶନରେଟ୍ ପୁଲିସ୍କୁ ପାଖରୁ ଦେଖିଛି । ଅନେକ ଚ୍ୟାଲେଞ୍ଜ ରହିଛି । କମିଶନରେଟ୍ ପୁଲିସ୍ର ସମସ୍ତ କର୍ମଚାରୀଙ୍କ ସହଯୋଗରେ ସବୁ ସମସ୍ୟାର ସମାଧାନ ଲାଗି ମୁଁ ଚେଷ୍ଟା କରିବି । ସରକାର ଦେଇଥିବା ଗୁରୁଦାୟିତ୍ୱ ସୂଚାରୁ ରୂପେ ତୁଲାଇବି । ଡିଜିପି ବିଜୟ କୁମାର ଶର୍ମା ପୂର୍ବରୁ ପୁଲିସ୍ କମିଶନର ଭାବେ କାମ କରିଛନ୍ତି । ମୁଁ ତାଙ୍କ ସହଯୋଗ ଲୋଡ଼ିବି । \n ଶ୍ରୀ ଷଡ଼ଙ୍ଗୀଙ୍କ ଜନ୍ମ ଢେଙ୍କାନାଳ ଜିଲ୍ଳାରେ । କଟକ ରେଭେନ୍ସା କଲେଜରୁ ସେ ସ୍ନାତକ । ୧୯୯୦ରେ ସେ ଆଇପିଏସ୍ ହୋଇଥିଲେ । ପ୍ରଥମେ ସେ ବ୍ରହ୍ମପୁର ଏସ୍ପି ଭାବେ ଦାୟିତ୍ୱ ନେଇଥିଲେ । ତା’ପରେ ମାଲକାନଗିରି, ବାଲେଶ୍ୱରରେ ଏସ୍ପି ଭାବେ କାର୍ଯ୍ୟ କରିଥିଲେ । ଇତିମଧ୍ୟରେ ସେ ଷ୍ଟଡି ଲିଭ୍ରେ ଲଣ୍ଡନ ଯାଇ କ୍ରିମିନାଲ୍ ସାଇକୋଲୋଜି ବିଷୟରେ ପିଜି କରିଥିଲେ । ତା’ପରେ ଉଗ୍ରବାଦ ଉପରେ ପିଏଚ୍ଡି କରିଥିଲେ । କଟକ ଚାରିବାଟିଆ ଏୟାର ସର୍ଭିଲାନ୍ସ ୱିଙ୍ଗ୍ରେ ଦେଢ଼ ବର୍ଷ କାମ କରିଥିଲେ । ଅପରେସନ୍ ଆଇଜି ଭାବେ ସେ ପ୍ରାୟ ଏକ ବର୍ଷ କାର୍ଯ୍ୟ କରିଛନ୍ତି । ଏହି ସମୟରେ ବଡ଼ ବଡ଼ ମାଓ ନେତାଙ୍କୁ ଗିରଫ କରିବାରେ ସେ ସଫଳ ହୋଇଥିଲେ । \n ଏହାପରେ ସେ କେନ୍ଦ୍ରୀୟ ଡେପୁଟେସନ୍ରେ ଯାଇ ‘ର’ରେ ଦୀର୍ଘ ଦିନ କାମ କରିଥିଲେ । ସେଠାରୁ ଫେରିବା ପରେ ପୁଲିସ୍ ହାଉସିଂ କର୍ପୋରେସନ, ଓଏସ୍ଆରଟିସି, ସରକାରୀ ପ୍ରେସ୍ରେ ଦାୟିତ୍ୱ ନେଇଥିଲେ । ଏ ସବୁ ସଂସ୍ଥାରେ ସେ ଅନେକ ପରିବର୍ତ୍ତନ ଆଣିଥିଲେ । ତା’ଛଡା ଚନ୍ଦକା ଏସ୍ଓଜି କ୍ୟାମ୍ପ ଓ କମିଶନରେଟ୍ ପୁଲିସ୍ ସୌଧ ନିର୍ମାଣ ପଛରେ ତାଙ୍କର ଅନେକ ଭୂମିକା ରହିଛି । ଦୀର୍ଘ ଦିନ ହେବ ସେ ଏସ୍ସିଆରବିରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ଏସ୍ସିଆରବି ଅତ୍ୟାଧୁନିକ ହେବା କ୍ଷେତ୍ରରେ ଶ୍ରୀ ଷଡ଼ଙ୍ଗୀଙ୍କ ପ୍ରମୁଖ ଭୂମିକା ରହିିଛି । ସରକାରଙ୍କ ସହଯୋଗରେ ଏସ୍ସିଆରବି ଢେର ଆଗକୁ ଯାଇଛି । ଏବେ ପୁଲିସ୍ କମିଶନର ଭାବେ ଦାୟିତ୍ୱ ନେଲାପରେ ସାରା ଦେଶରେ କମିଶନରେଟ୍ ପୁଲସକୁ ନମ୍ବର ୱାନ୍ କରିବାକୁ ବହୁତ କିଛି କାର୍ଯ୍ୟ କରିବେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons