ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଚଳିତ ବର୍ଷ ଛାତ୍ରସଂସଦ ନିର୍ବାଚନ ବାତିଲ କରିବା ପାଇଁ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପରେ ରାଜ୍ୟବ୍ୟାପୀ ଛାତ୍ରଅଶାନ୍ତି ମୁଣ୍ଡ ଟେକିବାକୁ ଲାଗିଛି । ବିଶେଷକରି ଏବିଭିପି, ଏଆଇଏସ୍ଏଫ୍, ଛାତ୍ର କଂଗ୍ରେସ, ଏସ୍ଏଫ୍ଆଇ, ଏଆଇଡିଏସ୍ଓ ଆଦି ବହୁ ଛାତ୍ର ସଙ୍ଗଠନ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏବିଭିପି ଗୋଟିଏ ପାଦ ଆଗକୁ ଯାଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ।\nଏବିଭିପି ପକ୍ଷରୁ ମନ୍ତ୍ରୀ ଡ. ସାହୁଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ ହେବ ବୋଲି ପୂର୍ବରୁ ଖବର ପାଇ କମିଶନରେଟ୍ ପୁଲିସ୍ ପ୍ରସ୍ତୁତ ହୋଇ ରହିଥିଲା । ଛାତ୍ରଛାତ୍ରୀଙ୍କୁ ମନ୍ତ୍ରୀଙ୍କ ଘର ଆଡ଼କୁ ମାଡ଼ିଯିବା ସମୟରେ ଅଟକାଇବାରୁ ପୁଲିସ୍ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ପରେ ପୁଲିସ ଏବିଭିପିର ୩୫ରୁ ଅଧିକ ଛାତ୍ରନେତା ଓ ୫ ଜଣ ଛାତ୍ରୀଙ୍କୁ ଅଟକ ରଖିଥିଲା । ସରକାର ନିର୍ବାଚନ ବାତିଲ ନିଷ୍ପତ୍ତିର ପୁନଃବିଚାର କରନ୍ତୁ ବୋଲି ଏବିଭିପି ଅଡ଼ି ବସିଛି । ନଚେତ୍ ସାରା ରାଜ୍ୟରେ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବ ବୋଲି ଏବିଭିପି ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ଚେତାବନୀ ଦେଇଛନ୍ତି ।\nଏହି ଅବସରରେ ଏବିଭିପିର ରାଷ୍ଟ୍ରୀୟ ସମ୍ପାଦକ ଅଭିଳାଷ ପଣ୍ଡା କହିଛନ୍ତି, କ୍ୟାମ୍ପସ୍ରେ ନିଜର ଛାତ୍ର ସଂଗଠନର ଦୁର୍ବଳତା ତଥା ଗୋଷ୍ଠୀ କନ୍ଦଳକୁ ଘୋଡ଼ାଇବାକୁ ଯାଇ ବିଜୁ ଛାତ୍ର ଜନତା ଦଳ ଏହିଭଳି ପଦକ୍ଷେପ ନେଇଛି । ବାଣୀବିହାରର ଛାତ୍ର ନେତା ସଞ୍ଜୟ ମଲ୍ଲିକ କହିଛନ୍ତି, ବିଭିନ୍ନ କ୍ୟାମ୍ପସରେ ବିଦ୍ୟାର୍ଥୀ ପରିଷଦର ଉତ୍ଥାନ ଦେଖି ସରକାର ଭୟଭୀତ ହୋଇପଡ଼ିଛନ୍ତି । ସମସ୍ତ ବିଶ୍ୱବିଦ୍ୟାଳୟ ଓ ପ୍ରମୁଖ ମହାବିଦ୍ୟାଳୟ ସାମ୍ନାରେ ଏବିଭିପି ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରିଛି । ଯଦି ଏହାର ପୁନର୍ବିଚାର କରାଯାଇ କିଛି ସମାଧାନ ନ କରାଯାଏ, ଆନ୍ଦୋଳନ ଭୟଙ୍କର ହେବ ବୋଲି ଏବିଭିପି ଚେତାବନୀ ଦେଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁଙ୍କ ଘର ସମ୍ମୁଖରେ ବିକ୍ଷୋଭ ସମୟରେ ଛାତ୍ରନେତା ସୌଭାଗ୍ୟ ରାଉତ, କିରଣ ପ୍ରଧାନ, ମହାନଗର ସହସମ୍ପାଦକ ସମ୍ୱିତ୍ ରାଉତ, ପିଣ୍ଟୁ ପ୍ରତୀକ ନାଏକ, ସୋମୁ ଦେ, ଲୀନା ନନ୍ଦିତା ପରିଡ଼ା, ମିଲନ ମହାପାତ୍ର ପ୍ରମୁଖ ବହୁ ଛାତ୍ରନେତା ନେତୃତ୍ୱ ନେଇଥିଲେ ।
Comments are closed, but trackbacks and pingbacks are open.