ଜେଟ୍ଲୀଙ୍କ ଦେଶର ଶାସନ ବ୍ୟବସ୍ଥାକୁ ଅବଦାନ ଅତୁଳନୀୟ:ନବୀନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଜେଟଲୀଙ୍କ ଶେଷ ଦର୍ଶନ କରିବା ସହ ଶୋକବାର୍ତ୍ତାରେ କହିଛନ୍ତି, ଦେଶର ଶାସନ ବ୍ୟବସ୍ଥା ପ୍ରତି ଜେଟଲୀଙ୍କ ଅବଦାନ ଅତୁଳନୀୟ ଥିଲା । ସେ ଜଣେ ପ୍ରଖ୍ୟାତ ଆଇନଜୀବୀ ଓ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଥିଲେ । ସୁଦକ୍ଷ ସାଂସଦ ଭାବେ ସେ ଉଦାହରଣ ସୃଷ୍ଟି କରିଥିଲେ । ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି । ଓଡ଼ିଶା ସହ ଜେଟଲୀଙ୍କ ସଂପର୍କ ମଧ୍ୟ ନିବିଡ଼ ଥିଲା । ବ୍ୟକ୍ତିଗତ ଭାବେ ଜେଟଲୀଙ୍କର ନବୀନଙ୍କ ସହ ନିବିଡ଼ ବନ୍ଧୁତା ମଧ୍ୟ ଥିଲା । ଓଡ଼ିଶାରେ ଶିଳ୍ପାୟନ ପାଇଁ ୨୦୧୬ ଡିସେମ୍ବରରେ ପ୍ରଥମ କରି ଆୟୋଜିତ ‘ମେକ ଇନ ଓଡ଼ିଶା’ରେ ଜେଟ୍ଲୀ ଯୋଗଦେଇ ଉପସ୍ଥିତ ଶିଳ୍ପପତିମାନଙ୍କୁ ଉତ୍ସାହିତ କରିବା ସହ ଓଡ଼ିଶାରେ ନିବେଶ ପାଇଁ ଭରସା ଦେଇଥିଲେ । କାର୍ଯ୍ୟକ୍ରମ ପରେ ଜେଟଲୀ ନବୀନଙ୍କ ସହ ନବୀନ ନିବାସ ଯାଇ ମଧ୍ୟାହ୍ନ ଭୋଜନରେ ସାମିଲ ହୋଇଥିଲେ । ସେହିଦିନ ଜେଟଲୀ ବିଜେପି ପକ୍ଷରୁ ଆୟୋଜିତ ‘ଇଣ୍ଡିଆନ ଇକୋନୋମୀ: ଦ ନ୍ୟୁ ନର୍ମାଲ’ ଶୀର୍ଷକ ଆଲୋଚନାଚକ୍ରରେ କହିଥିଲେ, ପୂର୍ବରୁ ଦେଶର ଅର୍ଥ ବ୍ୟବସ୍ଥା ବା କାରବାର ‘କ୍ୟାସ୍-ଚେକ୍’, ‘କଚ୍ଚା-ପକ୍କା’ ରହିଥିଲା । ଜମି କିଣିଲେ କିଛି କ୍ୟାସ୍ ଆଉ କିଛି ଚେକ୍ରେ କାରବାର ହେଉଥିଲା । କ୍ୟାସ୍ ହେଉଛି କଳାଧନ । ସେହିପରି ଅନ୍ୟ ବେପାରରେ କିଛି କଳା ଓ କିଛି ଧଳା କାରବାର ହେଉଥିଲା । ସ୍ୱାଧୀନତାର ୭୦ବର୍ଷ ପରେ ଭାରତ ଆର୍ଥିକ ସ୍ୱାଧୀନତା ପାଇଛି । ଅର୍ଥ ବ୍ୟବସ୍ଥାରେ ପ୍ରଚଳିତ ଧାରାକୁ ବଦଳାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନୂଆ ଧାରା (ନ୍ୟୁ ନର୍ମାଲ) ଆରମ୍ଭ କରିଛନ୍ତି । ଦେଶ ଗୋଟିଏ, ଟିକସ୍ ବି ଗୋଟିଏ ମାଧ୍ୟମରେ ଦେଶର ଅର୍ଥ ବ୍ୟବସ୍ଥାକୁ ଏକ କରିବାକୁ ଆରମ୍ଭ ହୋଇଥିବା ଉଦ୍ୟମ ଓ ବିମୁଦ୍ରୀକରଣ ଦ୍ୱାରା କଳା ଟଙ୍କାକୁ ଅର୍ଥ ବ୍ୟବସ୍ଥାରୁ ଦୂରେଇବା ଏବଂ ଡିଜିଟାଲ କାରବାର ଦ୍ୱାରା ଦେଶର ଅର୍ଥନୀତି ସମଗ୍ର ବିଶ୍ୱର ସ୍ୱତନ୍ତ୍ର ହୋଇପାରିବ ବୋଲି ତକ୍ରାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଓଡ଼ିଶା ଗସ୍ତରେ ଆସି କହିଥିଲେ । ଡିଜିଟାଲ କାରବାର ସପକ୍ଷରେ ଓକିଲାତି ମଧ୍ୟ କରିଥିଲେ । ଶେଷ ଥର ପାଇଁ ସ୍ୱର୍ଗତଃ ଜେଟ୍ଲୀ ୨୦୧୭ ଏପ୍ରିଲ ମାସରେ ଜନତା ମଇଦାନରେ ଆୟୋଜିତ ବିଜେପିର ଜାତୀୟ କାର୍ଯ୍ୟକାରିଣୀରେ ଯୋଗ ଦେଇଥିଲେ । ତାଙ୍କ ବିୟୋଗରେ ରାଜ୍ୟ ବିଜେପି ସହ ବିଜେଡି, କଂଗ୍ରେସ ଦଳର ନେତାଙ୍କ ସହ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons