ପୁରୀ,(ବି.ବି.ନ୍ୟୁଜ୍): ଶ୍ରୀକ୍ଷେତ୍ରର ନବକଳେବର କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ଓ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫୦୦ କୋଟିର ପ୍ୟାକେଜ୍ ଘୋଷଣା ପରେ ଜିଲ୍ଲା ପ୍ରଶାସନ ଜୋରଦାର୍ କାମ ଆରମ୍ଭ କରିଛି । ଆସନ୍ତା ୨ ବର୍ଷ ମଧ୍ୟରେ ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ପାଇଁ ଜିଲ୍ଲା ପ୍ରଶାସନ ସବୁ ପ୍ରସ୍ତୁତି ଚଳାଇଛି । ଐତିହ୍ୟ ବିକାଶ ସହ ସରକାରୀ କାର୍ଯ୍ୟାଳୟଗୁଡ଼ିକର ଚିତ୍ର ଯେପରି ବଦଳିବ ସେଥିପାଇଁ ମଧ୍ୟ ନକ୍ସା ପ୍ରସ୍ତୁତ ହୋଇଛି । ଶ୍ରୀମନ୍ଦିର ମେଘନାଦ ପାଚେରି ଚତୁଃପାଶ୍ୱର୍ରେ ଅବରୋଧ ମୁକ୍ତ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ସିପସରୁବାଲି ଅଞ୍ଚଳରେ ଜବରଦଖଲ ଉଚ୍ଛେଦ କରାଯାଇଛି । ଏଠାରେ ପୁରୀ ଜିଲ୍ଲାପାଳଙ୍କ ନୂଆ କାର୍ଯ୍ୟାଳୟ ‘ଲୋକସେବା ଭବନ’ ନିର୍ମାଣ ହେବାର ଯୋଜନା ରହିଛି । ପୁରୀ ବଳିଆପଣ୍ଡାରେ ଅଞ୍ଚଳ ଅନ୍ତର୍ଗତ ଯାତ୍ରୀକା ସହିତ ସିପସରୁବାଲି ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି । ଷ୍ଟର୍ଲିଂ ହୋଟେଲ ନିକଟସ୍ଥ ଜମିଗୁଡ଼ିକରେ ଏହି ଉଚ୍ଛେଦ କରାଯାଇଛି । ଜମିରେ ରହିଥିବା ପୁରୁଣା କୋଠା ଓ ଅର୍ଦ୍ଧନିର୍ମିତ କାନ୍ଥଗୁଡ଼ିକୁ ଭଙ୍ଗାଯାଇଛି । ମାଜିଷ୍ଟ୍ରେଟ ଓ ପୁଲିସ ଫୋର୍ସ ଉପସ୍ଥିତିରେ ସନ୍ଧ୍ୟା ପର୍ଯ୍ୟନ୍ତ ଉଚ୍ଛେଦ ଚାଲିଥିଲା । ସିପସରୁବାଲି ମୌଜାରେ ଜବରଦଖଲ ହେଉଥିବା ଜମିରେ ଜିଲ୍ଲାପାଳଙ୍କ ନୂଆ କାର୍ଯ୍ୟାଳୟ ‘ଲୋକସେବା ଭବନ’ ନିର୍ମାଣ ହେବାର ଯୋଜନା ରହିଛି । ସିପସରୁବାଲି ମୌଜାରେ ଆସୁଥିବା ଶାବକ ଖାତା ୭୦ରୁ ପ୍ଲଟ ୮୫ରେ ରହିଛି ୫୨ ଏକର ଅନାବାଦି ଜମି । ଏହି ଜମିରେ ଲୋକସେବା ଭବନ ନିର୍ମାଣ ଯୋଜନା କରୁଛି ପ୍ରଶାସନ ।\nଉଲ୍ଲେଖଯୋଗ୍ୟ ଯେ, ସିପସରୁବାଲି ଠାରେ ପ୍ରାୟ ୧୦ ଏକର ଜମିରେ ଲୋକସେବା ଭବନ କରିବା ନିମନ୍ତେ ପ୍ରଶାସନିକ ପଦକ୍ଷେପ ନିଆଯାଉଥିବା ଆଲୋଚନା ହେଉଛି । ୧ ଲକ୍ଷ ୬୦ ହଜାର ବର୍ଗଫୁଟ ଜମିରେ ଏହି କୋଠା ହେବାର ଯୋଜନା ରହିଛି । ୫୫ ହଜାର ବର୍ଗଫୁଟ ପାର୍କିଂ ନିମନ୍ତେ ରହିବ । ଯାହା ଭିତରେ ଜିଲ୍ଲାପାଳ ଓ ଏସ୍ପିଙ୍କ ସମସ୍ତ ଅଫିସ ରହିବ ।
Comments are closed, but trackbacks and pingbacks are open.