ସାଙ୍ଘାଇ: ଆମେରିକା ଓ ଚୀନ୍ ମଧ୍ୟରେ ଦେଖାଦେଇଥିବା ବାଣିଜ୍ୟ ଯୁଦ୍ଧ କ୍ରମେ ବ୍ୟାପକତାର ରୂପ ନେଇ ଚାଲିଛି । ସଦ୍ୟତମ ଘଟଣା ଭାବେ ଉଭୟ ରାଷ୍ଟ୍ର ପରସ୍ପରର ସାମଗ୍ରୀ ଉପରେ ସାନି ଟିକସ କଷି ବିବାଦକୁ ଇନ୍ଧନ ଯୋଗାଇଛନ୍ତି । ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇଉଠି ଆମେରିକୀୟ କମ୍ପାନିଗୁଡ଼ିକୁ ଚୀନ୍ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ଟ୍ୱିଟ୍ କରି ଟ୍ରମ୍ପ୍ ଆମେରିକୀୟ କମ୍ପାନିଗୁଡ଼ିକୁ ଚୀନ୍ ବଜାର ଛାଡ଼ିବା ଲାଗି କହିଛନ୍ତି । ଏମିତି କି ଏଭଳି ନିର୍ଦ୍ଦେଶ ଦେବା ତାଙ୍କର ଅଧିକାର ବୋଲି ଦର୍ଶାଇଛନ୍ତି ଟ୍ରମ୍ପ୍ । ଏହାକୁ ନେଇ ହରଡ଼ଘଣାରେ ପଡ଼ିଛନ୍ତି ଘରୋଇ ସଂସ୍ଥା । ପ୍ରକୃତରେ ଏଭଳି ନିର୍ଦ୍ଦେଶ ଦେବା କ୍ଷମତା ଟ୍ରମ୍ପ୍ଙ୍କର ରହିଛି କି ନାହିଁ, ତାହା ଉପରେ ୱାସିଂଟନ୍ ଆଇନ ପ୍ରଣେତା ଏବଂ ଓକିଲମାନେ ପରେ ନିଷ୍ପତ୍ତି ନେଇପାରିବେ । କିନ୍ତୁ ଚୀନ୍ର ହାତ ଛାଡ଼ି ଆମେରିକୀୟ କମ୍ପାନିମାନେ ତିଷ୍ଠିବାକୁ ସାମର୍ଥ୍ୟ ରଖିଛନ୍ତି କି ନାହିଁ, ତାହା ଉପରେ ବିଚାର କରିବା ଅଧିକ ଜରୁରୀ ହୋଇପଡ଼ିଛି । ଆମେରିକା ଓ ଚୀନ୍ ମଧ୍ୟରେ ଯେଉଁଭଳି ଭାବେ ବିବାଦ ଚାଲିଛି, ସେଥିରୁ ବୁଝାପଡୁଛି ଯେ ଏବେ ନହେଲେ ଆଗାମୀ କେଇ ବର୍ଷ ମଧ୍ୟରେ ଆମେରିକୀୟ ସଂସ୍ଥା ଚୀନ୍ରୁ ବାହାରି ଯାଇ ପାରନ୍ତି ।

ଦୀର୍ଘମିଆଦୀ ଦୃଷ୍ଟିରୁ ଦେଖିଲେ ଏହା ଅସମ୍ଭବ ନୁହେଁ । କିନ୍ତୁ ଏବେ ହଠାତ୍ ଚୀନ୍ ବଜାର ଛାଡ଼ିବା କିନ୍ତୁ ସମ୍ଭବ ନୁହେଁ । ଆମେରିକାର ଟାରିଫ୍ ଏବଂ ବେଜିଂ ଓ ୱାସିଂଟନ୍ ମଧ୍ୟରେ ଚାଲିଥିବା ବିବାଦ ଯୋଗୁ ଚୀନ୍ ବଜାରକୁ ନେଇ ଏବେ ଆମେରିକୀୟ ସଂସ୍ଥାଗୁଡ଼ିକ ଚିନ୍ତାରେ ପଡ଼ିଲେଣି । ଚୀନ୍ ଉପରେ ନିର୍ଭର କରାଯିବା ଆବଶ୍ୟକ, ତାହା ନେଇ ସେମାନେ ଭାବିବା ଆରମ୍ଭ କଲେଣି । କିନ୍ତୁ ଚୀନ୍କୁ ସମ୍ପୂର୍ଣ୍ଣ ଭାବେ ଛାଡ଼ିବା ସେତେ ସହଜ ନୁହେଁ ବୋଲି ସେମାନେ ଭଲ ଭାବେ ଜାଣିଛନ୍ତି ।ବିଶେଷକରି ଚୀନ୍ର ବିଶାଳ କ୍ରମବର୍ଦ୍ଧିଷ୍ଣୁ ଖାଉଟି ବଜାର ଆମେରିକୀୟ କମ୍ପାନିଗୁଡ଼ିକୁ ବାନ୍ଧି ରଖିବାରେ ସମର୍ଥ ହେବ । ଆମେରିକା କାହିଁକି ଏଠାକାର ଖାଉଟି ବଜାରରେ ନିବେଶ କରିଥିବା ଅନ୍ୟ ଦେଶର କମ୍ପାନିଙ୍କ ପକ୍ଷେ ଏହା ସମ୍ଭବ ନୁହେଁ । ତା’ଛଡ଼ା ବିଶ୍ୱ ଅର୍ଥନୀତିରେ ଚୀନ୍ର ସିଧାସଳଖ ସମ୍ପର୍କ ରହିଛି । ବିଶ୍ୱ ଅଭିବୃଦ୍ଧିର ଏହା ଅନ୍ୟତମ ଇଞ୍ଜିନ୍ ଭାବେ କାମ କରୁଛି ।ବିଶ୍ୱବାସୀ ବ୍ୟବହାର କରୁଥିବା ସାମଗ୍ରୀ ମଧ୍ୟରେ ଅଧିକାଂଶ ଚୀନ୍ ନିର୍ମିତ ରହିଛି ।
ଚୀନ୍ର କମ୍ପାନିମାନେ ବୃହତ୍ ପରିମାଣର ସ୍ମାର୍ଟଫୋନ୍, ନୋଟ୍ ପ୍ୟାଡ୍, ଭିଡିଓ ଗେମ୍ କନ୍ସୋଲ୍, ଅଟୋ ଉପକରଣ, ଇଣ୍ଡଷ୍ଟ୍ରିଆଲ୍ ମ୍ୟାଗ୍ନେଟ୍, ପ୍ଲାଷ୍ଟିକ୍, ବିନିର୍ମାଣ ପାଇଁ ବ୍ୟବହୃତ ହେଉଥିବା ରାସାୟନିକ ପଦାର୍ଥ ଆଦି ଉତ୍ପାଦନ କରୁଛନ୍ତି । ଏହାଛଡ଼ା ବିଶ୍ୱ ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ଚୀନ୍ରେ ନିର୍ମାଣ ହେଉଛି । ଚୀନ୍ ଏଭଳି ଏକ ବଜାର, ଯେଉଁଠି ଏକ ବ୍ୟାପକ ବର୍ଗର ଉତ୍ପାଦ ନିର୍ମାଣ କରାଯାଉଛି । ଚୀନ୍ରେ ଛୋଟ ଛୋଟ କମ୍ପାନିଙ୍କୁ ନେଇ ବଡ଼ ବଡ଼ ନେଟ୍ୱର୍କ ସୃଷ୍ଟି କରାଯାଇଛି, ଯାହା ବିଶ୍ୱର ବୃହତ୍ ସଂସ୍ଥାଗୁଡ଼ିକୁ ଅତ୍ୟାବଶ୍ୟକ ଉପକରଣ ଯୋଗାଉଛନ୍ତି । ଏହା ନିକଟରେ କୋଟି କୋଟି ଲୋକଙ୍କୁ ନେଇ କୁଶଳୀ ଶ୍ରମଶକ୍ତି ରହିଛି, ଯାହା ବିଦେଶୀ କମ୍ପାନିଙ୍କୁ ସହାୟକ ହେଉଛି । ଚୀନ୍ର ଦ୍ରୁତ ରେଳ ବ୍ୟବସ୍ଥା, ଦୃଢ଼ ସଡ଼କ ନେଟ୍ୱର୍କ, ଉନ୍ନତ ବନ୍ଦର ବ୍ୟବସ୍ଥା ରହିଛି । ବିଶ୍ୱରେ କଳକାରଖାନାରେ ଉତ୍ପାଦିତ ହେଉଥିବା ମୋଟ ସାମଗ୍ରୀରେ ଚୀନ୍ର ଅଂଶ ଏକଚତୁର୍ଥାଂଶ ରହିଛି ।ବିଶ୍ୱ ବଜାରରେ ବିକ୍ରି ହେଉଥିବା ଆଇଫୋନ୍, ନାଇକି ଜୋତା, ସେଭ୍ରୋଲୋ ଏବଂ ଫୋର୍ଡ କାର୍ ଆଦିର ଏକ ବୃହତ୍ ଅଂଶ ଚୀନ୍ରେ ବିକ୍ରି ହେଉଛି । କାରଣ ଚୀନ୍ର ଖାଉଟି ବଜାର ସବୁଠୁ ବିଶାଳ । ଦେଶରେ ବିପୁଳ ସଂଖ୍ୟାର ପର୍ଯ୍ୟଟକ ରହିଛନ୍ତି, ଯେଉଁମାନେ ବୋଇଂ ବିମାନର ଚାହିଦା ବୃଦ୍ଧିରେ ସହାୟତ ହେଉଛନ୍ତି । ଆମେରିକାର ବିଭିନ୍ନ ଉତ୍ପାଦକୁ ଚୀନ୍ ଖାଉଟିମାନେ ବେଶ୍ ପସନ୍ଦ କରନ୍ତି । ତେଣୁ ଚୀନ୍ ବଜାର ଛାଡ଼ିବା ଆମେରିକୀୟ କମ୍ପାନିଗୁଡ଼ିକ ପାଇଁ ଆଦୌ ସହଜ ହେବନାହିଁ ।
Comments are closed, but trackbacks and pingbacks are open.