ନୂଆଦିଲ୍ଲୀ : ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଝଟକା । ସିବିଆଇ ରିମାଣ୍ଡ ବିରୋଧରେ ଚିଦାମ୍ବରମଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଏବେ ସିବିଆଇ ହେପାଜତରେ ରହିବେ ଚିଦାମ୍ବରମ ।ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ସିବିଆଇ ମାମଲାରେ ସୁପ୍ରିମକୋର୍ଟଙ୍କ କୌଣସି ହସ୍ତକ୍ଷେପ ରହିବନାହିଁ । ଏହାସହ ଟ୍ରାଏଲ କୋର୍ଟରେ ନିୟମିତ ବେଲ୍ ପିଟିସନ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏପଟେ ଆଜି ଚିଦାମ୍ବରମଙ୍କ ସିବିଆଇ ରିମାଣ୍ଡ ଅବଧି ସରୁଛି । ଅଗଷ୍ଟ ୨୧ତାରିଖରେ ସିବିଆଇ ଚିଦାମ୍ବରମଙ୍କୁ ଗିରଫ କରିଥିଲା । ଏହା ପରେ ଅଗଷ୍ଟ ୨୬ଯାଏଁ ସିବିଆଇ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ ସ୍ବତନ୍ତ୍ର ସିବିଆଇ କୋର୍ଟ ।ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ମାରାଥନ ଜେରା କରିଛି । ରିମାଣ୍ଡ ଅବଧି ସରିବା ପରେ ଆଜି ସିବିଆଇ ସ୍ବତନ୍ତ୍ର କୋର୍ଟରେ ଚିଦାମ୍ବରମଙ୍କୁ ହାଜର କରାଯିବ । ଏପଟେ ଆଇଏନଏକ୍ସ ମିଡିଆ ଦୁର୍ନୀତି ନେଇ ଇଡି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି । ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡି ସତ୍ୟପାଠରେ ଦର୍ଶାଇଛି, ତଦନ୍ତରେ ସହଯୋଗ କରୁନାହାନ୍ତି ଚିଦାମ୍ବରମ, ଚିଦାମ୍ବରମଙ୍କ ବିରୋଧରେ ପର୍ୟାପ୍ତ ପ୍ରମାଣ ରହିଛି ଏବଂ ଜାଲ କମ୍ପାନୀର ଶେୟାର ହୋଲଡିଂ ପାଟର୍ନ ହେରଫେର କରିଛନ୍ତି ଚିଦାମ୍ବରମ, ସେହିପରି ୧୭ବିଦେଶୀ ବ୍ୟାଙ୍କରେ ଚିଦାମ୍ବରମଙ୍କ ଖାତା ଥିବା ଇଡି ଦର୍ଶାଇଛି ।
Comments are closed, but trackbacks and pingbacks are open.