ଛାତ୍ର ସଂସଦ ନିର୍ବାଚନ ବାତିଲ ପ୍ରସଙ୍ଗ:ରମାଦେବୀର ଦୁଇ ଛାତ୍ରୀ ଗୋଷ୍ଠୀ ମୁହାଁମୁହିଁ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଛାତ୍ର ସଂସଦ ନିର୍ବାଚନ ବାତିଲ ପ୍ରସଙ୍ଗ ଥମିବାର ନାମ ନେଉନି । ପ୍ରତିଦିନ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜରେ ଛାତ୍ର ଅଶାନ୍ତି ଜାରି ରହିଛି । ତା’ଭିତରୁ ବାଦ୍ ପଡ଼ିନି ରାଜଧାନୀ ଭୁବନେଶ୍ୱର । ଏପରିକି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ନିର୍ବାଚନ ବାତିଲ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି । ତିନିଦିନ ଛୁଟିପରେ ଆଜି ବିଶ୍ୱବିଦ୍ୟାଳୟ ଖୋଲିଥିଲା । କିନ୍ତୁ ଗୋଟିଏ ଗୋଷ୍ଠୀର ଛାତ୍ରୀ ଏକ ନମ୍ବର ଗେଟ୍ରେ ତାଲା ପକାଇବା ସହିତ ବିଭିନ୍ନ ନାରାବାଜି କରିଥିଲେ । ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ଛଡ଼ାଇ ନିଆଯାଉଥିବା କହିଥିଲେ । ଏହା ଛଡ଼ା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ହାଏ ହାଏ କହିବା ସହ ତାଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଏପରିକି କିଛି ଛାତ୍ରୀ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଫଟୋକୁ ଗୋଇଠା ମାରିଥିବାର ଦେଖାଯାଇଥିଲା । ଅପରପକ୍ଷେ ଅନ୍ୟଗୋଷ୍ଠୀ ବିନା ନୋଟିସ୍ରେ ବିଶ୍ୱବିଦ୍ୟାଳୟ ଫାଟକକୁ ତାଲା ପକାଇଥିବା ଦର୍ଶାଇ ଥାନାରେ ଏତଲା ଦେଇଥିଲେ । ଏହା ସହ ତାଲା ଭାଙ୍ଗି ଦେଇଥିଲେ । ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ପ୍ରଥମ ଗୋଷ୍ଠୀ ଆସି ପୂର୍ବାହ୍ନ ୧୦ଟା ୩୦ ସମୟରେ ଗେଟ୍ରେ ତାଲା ପକାଇବା ସହିତ କାହିଁକି ତାଲା ପକାଇଲେ ବୋଲି ଉପସ୍ଥିତ ଛାତ୍ରୀଙ୍କୁ ବୁଝାଇଥିଲେ । ଏହି ଅବସରରେ ଛାତ୍ରୀ ନେତ୍ରୀମାନେ କହିଥିଲେ ଯେ, ବିଶ୍ୱବିଦ୍ୟାଳୟରେ ଭୋଟ୍ ଦେବା ସେମାନଙ୍କ ଗଣତାନ୍ତ୍ରିକ ଅଧିକାର । ସେ ଅଧିକାରକୁ କେହି ଛଡ଼ାଇ ପାରିବେ ନାହିଁ । ରାଜ୍ୟ ସରକାର ଘୋଷଣା କରିଥିବା ନିର୍ବାଚନ ବାତିଲ ନିଷ୍ପତ୍ତିକୁ ପ୍ରତ୍ୟାହାର କରନ୍ତୁ । ନଚେତ୍ ଛାତ୍ରୀ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଥିଲେ । ଅନ୍ୟପକ୍ଷରେ ଅନ୍ୟ ଏକ ଗୋଷ୍ଠୀର ଛାତ୍ରୀ ସ୍ୱୀକୃତି ମିଶ୍ର ଅଭିଯୋଗ କରିଛନ୍ତି ଯେ, କଲେଜ ଆଗରେ ଷ୍ଟ୍ରାଇକ୍ ବା ଗେଟ୍ ବନ୍ଦ କରିବା ଆଦି ପୂର୍ବରୁ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଏ । କିନ୍ତୁ ଆଜି ଗେଟ୍ ବନ୍ଦ କରିବା ପୂର୍ବରୁ ଛାତ୍ରୀମାନଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲା । ତିନି ଦିନ ବିଶ୍ୱବିଦ୍ୟାଳୟ ବନ୍ଦ ଥିବାରୁ ରାଜ୍ୟ ବାହାରୁ ଓ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ଓ ହଷ୍ଟେଲ୍ ଯିବା ପାଇଁ ଅସୁବିଧାରେ ପଡ଼ିଥିଲେ । ତେଣୁ କିଛି ଛାତ୍ରୀଙ୍କ ବେଆଇନ କାର୍ଯ୍ୟକଳାପକୁ ନିନ୍ଦା କରୁଛୁ । ତେବେ ଆନ୍ଦୋଳନ ସମୟରେ ସେହି ଛାତ୍ରୀମାନଙ୍କ ସହ କିଛି ଅଣଛାତ୍ରୀ ଓ ଛାତ୍ରମାନେ ଯୋଗ ଦେଇଥିଲେ । ଯାହାକି ଛାତ୍ରୀମାନଙ୍କ ସୁରକ୍ଷା ପ୍ରତି ଏକ ଚିନ୍ତାର ବିଷୟ । ତେଣୁ ଏସବୁ ବିରୋଧରେ ସହିଦ ନଗର ଥାନାରେ ଏତଲା ଦେଇଛୁ । ଏହା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ବୋଲି ସ୍ୱୀକୃତି କହିଛନ୍ତି । ଅପରପକ୍ଷେ ରାଜଧାନୀରେ ଥିବା କ୍ୟାପିଟାଲ୍ ଲ’ କଲେଜ, ଦେବରାୟ କଲେଜ, ରାଜଧାନୀ କଲେଜ ସମେତ ବିଭିନ୍ନ କଲେଜରେ ନିର୍ବାଚନ ବାତିଲକୁ ନେଇ ଛାତ୍ର ଅଶାନ୍ତି ଦେଖା ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons