ସାବଧାନ ହୁଅନ୍ତୁ: ଡ୍ରୋନ୍ ଜଗିବ ଟ୍ରାଫିକ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ନିୟମ ଭାଙ୍ଗି ଗାଡ଼ି ଚଳାଉଛନ୍ତି କି ? ସାବଧାନ । ମୁଣ୍ଡ ଉପରେ ଡ୍ରୋନ୍ ଉଡ଼ୁଛି । ଉଲ୍ଲଂଘନକାରୀଙ୍କ ହରକତ ଉପରେ ନଜର ରଖୁଛି । କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରମାଣ ଯୋଗାଡ଼ କରୁଛି । କଥା ଟା ଅଡୁଆ ଲାଗୁଥିଲେ ବି ସତ । ଟ୍ରାଫିକ୍ ଉଲ୍ଲଂଘନକାରୀ ଓ ସାପ ଭଳି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ଛାଟ ଦେବା ପାଇଁ କମିଶନରେଟ୍ ପୁଲିସ୍ ଏମିତି ଯୋଜନା ହାତକୁ ନେଇଛି । ଏନେଇ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଲିସ୍ କମିଶନର ଡ. ସୁଧାଂଶୁ ଷଡଙ୍ଗୀ । ଏହାକୁ କାର୍ଯ୍ୟକାରୀ କରିବା ଲାଗି ପରୀକ୍ଷାମୂଳକ ଭାବେ ସୋମବାର ସନ୍ଧ୍ୟାରେ ଟ୍ରାଫିକ ଡିସିପି ସାଗରିକା ନାଥ ଡ୍ରୋନ୍ ଉଡାଣ ଆରମ୍ଭ କରିଛନ୍ତି । ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ବର୍ତ୍ତମାନ ରାଜଧାନୀର ମୁଖ୍ୟ ସମସ୍ୟା ହେଲା ଟ୍ରାଫିକ୍ । ସେଥିପାଇଁ କମିଶରେଟ୍ ପୁଲିସ୍ର ଟ୍ରାଫିକ୍ ବ୍ୟବସ୍ଥା ସଜାଡ଼ିବା ପାଇଁ ସାଗରିକାଙ୍କୁ ଟ୍ରାଫିକ ଡିସିପି ଭାବେ ଦାୟିତ୍ୱ ଦିଆଯାଇଛି । ଏବେ ଆମେ ଯୋଜନା କରିଛୁ ‘ଲେନ୍ ଡ୍ରାଇଭିଂ’ ବ୍ୟବସ୍ଥା କରିବା ପାଇଁ । ପ୍ରଥମ ପର୍ଯ୍ୟାୟରେ ରବିନ୍ଦ୍ର ମଣ୍ଡପ ଛକରୁ ଏୟାରପୋର୍ଟ ଛକ ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ଲେନ୍ ଡ୍ରାଇଭିଂ କରାଯିବ । ରାସ୍ତାରେ ଯେଉଁ ଲେନ୍ ସବୁ ରହିଛି ସେ ଲେନ୍ ରେ ଗାଡ଼ି ସବୁ ପଛକୁ ପଛ ଯିବ । ଉଲ୍ଲଂଘନକାରୀଙ୍କୁ ପୁଲିସ୍ ଡ୍ରୋନ୍ ମାଧ୍ୟମରେ ଧରି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ସେମାନଙ୍କଠାରୁ ୫ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ । ତା’ଛଡ଼ା ଉକ୍ତ ରାସ୍ତାକୁ ‘ନୋ ଓଭର ଟେକ୍ ଜୋନ୍’ ଘୋଷଣା କରାଯିବ । ଏହି ରାସ୍ତାରେ ସବୁ ସମୟରେ ପୁଲିସ୍ କର୍ମଚାରୀମାନେ ଡ୍ୟୁଟିରେ ରହିବେ ବୋଲି କମିଶନର ଶ୍ରୀ ଷଡଙ୍ଗୀ ସୂଚନା ଦେଇଛନ୍ତି । ରାଜଧାନୀରେ ଦୈନିକ ପ୍ରାୟ ୪୦ ହଜାରରୁ ଅଧିକ ଅଟୋ ଚାଲୁଛି । ୩୦ ହଜାର ଭୁବନେଶ୍ୱରର ଅଟୋ ହୋଇଥିବାରୁ ବାହାରୁ ୧୦ ହଜାର ଆସୁଛି । ଅଟୋ ଚାଳକଙ୍କ ପାଇଁ ଅଧିକ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଏହାକୁ ନଜରରେ ରଖି କମିଶନର ଶ୍ରୀ ଷଡଙ୍ଗୀ କହିଛନ୍ତି, ଅଟୋ ସଂଘର କର୍ମକର୍ତ୍ତାମାନେ ମୋତେ ଦେଖା କରିବାକୁ ଆସିଥିଲେ । ଆଲୋଚନା ବେଳେ ଟ୍ରାଫିକ୍ ନିୟମ ବିଷୟରେ ସେମାନଙ୍କୁ ଅବଗତ କରାଇ ଦେଇଛି । ଆମେ ଏବେ ଅଧିକ ଫୋକସ ଦେବୁ ଅଟୋ ଚାଳକଙ୍କ ଉପରେ । ସେମାନେ ନିୟମ ଭାଙ୍ଗିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ଟ୍ରାଫିକ୍ ଡିସିପି ସାଗରିକା ନାଥ ଓ ଅତିରିକ୍ତ ଡିସିପି (ଟ୍ରାଫିକ୍) ଅମରେଶ ପଣ୍ଡା ଉପସ୍ଥିତ ଥିଲେ । ସୋମବାର ସକାଳ ୧୦ରୁ ରାତି ୧୦ ପର୍ଯ୍ୟନ୍ତ ରବିନ୍ଦ୍ର ମଣ୍ଡପ ଠାରୁ ଏଜି ପର୍ଯ୍ୟନ୍ତ ପୁଲିସ୍ ଛାଉଣି ହୋଇ ଯାଇଥିଲା । ଟ୍ରାଫିକ୍ ବ୍ୟବସ୍ଥା ସଜାଡିବା ପାଇଁ ପୁଲିସ୍ ସବୁ ପ୍ରକାର ଉଦ୍ୟମ କରିଥିଲା । ପ୍ରଥମ ଦିନରେ ପୁଲିସ୍କୁ କେତେକାଂଶରେ ସଫଳତା ମିଳିଛି । ଯଦି ଏମିତି ଢଙ୍ଗରେ ପୁଲିସ୍ ଟ୍ରାଫିକ ପରିଚାଳନା କରିବ ତେବେ ଅବ୍ୟବସ୍ଥା ସମ୍ପୂର୍ଣ୍ଣ ସଜାଡ଼ି ହୋଇଯିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons