ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଧାରା ୩୭୦ ଉଚ୍ଛେଦର ସୁଫଳ ବାବଦରେ ଦେଶବାସୀଙ୍କୁ ଅବଗତ/ସଚେତନ କରାଯିବ । ସେପ୍ଟେମ୍ବର ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଦେଶବ୍ୟାପୀ ଜନସମ୍ପର୍କ ଓ ଜନଜାଗରଣ ଯାତ୍ରା ଆୟୋଜନ କରାଯିବ । ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଏହି ସୂଚନା ଦେଇଛନ୍ତି ।ପେଟ୍ରୋଲିୟମ୍ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ୧ ମାସବ୍ୟାପୀ ହେବାକୁ ଥିବା ଜନସମ୍ପର୍କ ଓ ଜନଜାଗରଣ ଯାତ୍ରା ବେଳେ ଦଳର ଶୀର୍ଷ ନେତା, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବରିଷ୍ଠ ନେତା ଓ ବିଜେପିର ରାଷ୍ଟ୍ରୀୟ ପଦାଧିକାରୀ ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ବ୍ୟକ୍ତିଗତ ଭାବେ ଭେଟିବେ । ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ କ’ଣ ଲାଭ ହୋଇଛି ଏବଂ ସେଠାକାର ଲୋକଙ୍କ ଜୀବନଶୈଳୀରେ କି ପରିବର୍ତ୍ତନ ଆସିଛି, ସେ ବାବଦରେ ସେମାନଙ୍କୁ ଅବଗତ କରାଇବେ ।ସବୁ ରାଜ୍ୟର ରାଜଧାନୀରେ ୩୫ଟି ବିଶାଳ ଜନସଭା ଆୟୋଜନ କରାଯିବ । ୩୭୦ ପ୍ରମୁଖ ସହରରେ ଜନସଭା ଓ ର୍ୟାଲି ଆୟୋଜନ କରାଯାଇ ପ୍ରତ୍ୟେକ ନାଗରିକଙ୍କୁ ଧାରା ୩୭୦ ଉଚ୍ଛେଦର ଫାଇଦା ସଂକ୍ରାନ୍ତରେ ଅବଗତ କରାଯିବ । ଅଭିଯାନ ସ୍ୱରୂପ ଜମ୍ମୁ-କାଶ୍ମୀର ଏବଂ ଲଦାଖର ଉଦ୍ଧମପୁର, ଶ୍ରୀନଗର, ଅନନ୍ତନାଗ, ବାରାମୂଳା, ସୋପେର, ଲେହ ଓ କାର୍ଗିଲରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କ ରାଜନୈତିକ ଇଚ୍ଛାଶକ୍ତି ଯୋଗୁ ଧାରା ୩୭୦ ଉଚ୍ଛେଦ ହୋଇପାରିଛି । ଏହାଦ୍ୱାରା ଜମ୍ମୁ-କାଶ୍ମୀରରେ ଏଣିକି କେନ୍ଦ୍ର ସରକାରଙ୍କ ସବୁ ଯୋଜନା ଲାଗୁ ହେବ । ଫଳରେ ଏଠାକାର ଲୋକମାନେ ସବୁ ସୁବିଧା ସୁଯୋଗ ପାଇବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।\nଉଲ୍ଲେଖଯୋଗ୍ୟ, ଜନସମ୍ପର୍କ ଅଭିଯାନକୁ ସଫଳ କରିବା ପାଇଁ ଗଠିତ ଆୟୋଜନ କମିଟିରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସଂଯୋଜକ ରହିଛନ୍ତି । ସେ ହିଁ ଏହାର ନେତୃତ୍ୱ ନେବେ । ସେହିଭଳି ଜନଜାଗରଣ ଅଭିଯାନ କାର୍ଯ୍ୟର ତଦାରଖ ଦାୟିତ୍ୱ ଗଜେନ୍ଦ୍ର ସିଂହଙ୍କୁ ନ୍ୟସ୍ତ କରାଯାଇଛି । ଶ୍ରୀ ସିଂହଙ୍କ ନେତୃତ୍ୱରେ ଗଠିତ ହୋଇଥିବା କମିଟିରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପ୍ରମୁଖ ସଦସ୍ୟ ରହିଛନ୍ତି ।ଶ୍ରୀ ପ୍ରଧାନ କହିଛନ୍ତି, ଧାରା ୩୭୦ ସମ୍ପର୍କରେ ସୂଚନା ଓ ଧାରା ଉଚ୍ଛେଦ ପରବର୍ତ୍ତୀ ପରିବର୍ତ୍ତନକୁ ଦେଶର ପ୍ରତ୍ୟେକ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ, ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଚୂଡ଼ାନ୍ତ ବୈଠକରେ ଜନସମ୍ପର୍କ ଓ ଜନଜାଗରଣ ଅଭିଯାନ ଆୟୋଜନ ନିମନ୍ତେ ନିଷ୍ପତ୍ତି ନିଆଯାଇଛି ।
Comments are closed, but trackbacks and pingbacks are open.