ଲୁଟର ନୂଆ ତରିକା:ସାଥୀ ଦରକାର?

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଆପଣ ଏକା ଅଛନ୍ତି କି? ବୋର୍ ଲାଗୁଥିବ ନିଶ୍ଚିତ । କ\’ଣ ସାଥିଟିଏ ଦରକାର । ବ୍ୟସ୍ତ ହୁଅନ୍ତୁ ନାହିଁ । ଆମକୁ ଫୋନ୍ କରନ୍ତୁ । ଆମେ ଯୋଗାଇଦେବୁ ଆପଣଙ୍କୁ ମନଲାଖି ସାଥୀ ଟିଏ । ଯିଏକି ଆପଣଙ୍କ ସାଙ୍ଗରେ ହରଦମ୍ ରହିବ । ଏମିତି ଏସ୍ଏମ୍ଏସ୍ ଏବେ ପ୍ରାୟ ସମସ୍ତଙ୍କ ମୋବାଇଲ୍କୁ ଆସୁଛି । ଥରେ ଅଧେ ନୁହେଁ ଦିନକୁ ୩-୪ ଥର ଲେଖାଏଁ ଆସୁଛି । ଏହି ଏସ୍ଏମ୍ଏସ୍ ପ୍ରେମରେ ଯିଏ ପଡ଼ିଲା ସିଏ ଗୋଲକ ଧନ୍ଦାରେ ଫସିଲା । କିଛିଦିନ ହେବ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏମିତି ଘଟଣା ଘଟୁଥିଲେ ବି ଥାନାରେ ଏତଲା ହେଉନି । ରବିବାର ଏମିତି ଏସ୍ଏମ୍ଏସ୍ ପଢ଼ି ନୟାପଲ୍ଲୀ ୟୁନିଟ୍-୮ ଅଞ୍ଚଳରେ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ହାତରୁ ୧୧ ହଜାର ଟଙ୍କା ଗଣିଛନ୍ତି । ଲୋକ ଲଜ୍ଜା ଭୟରେ ଯଦିଓ ଏନେଇ ସେ ଅଭିଯୋଗ କରିନାହାଁନ୍ତି, ହେଲେ ଥାନାରେ ତାଙ୍କର ଜଣେ ଚିହ୍ନାଲୋକଙ୍କୁ ଘଟଣା ବିଖାଣିଛନ୍ତି ।ଲୁଟର ଶିକାର ହୋଇଥିବା ଜଣେ ମଧ୍ୟ ବୟସ୍କ ବ୍ୟକ୍ତିଙ୍କ ପାଖକୁ କିଛି ଦିନ ହେଲା ସାଥୀ ଦରକାର ଏସ୍ଏମ୍ଏସ୍ ଆସୁଥିଲା । ଗତ ରବିବାର ବି ଆସିଥିଲା । ଯେଉଁଥିରେ ଏକ ସ୍ୱତନ୍ତ୍ର ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଥିଲା । ସାରାଦିନ ସାଥୀକୁ ପାଖରେ ରଖି ପାରିବାର ଅଫର୍ ମଧ୍ୟ ଦିଆଯାଇଥିଲା । କୌତୁହଳ ବଶତଃ ବ୍ୟକ୍ତି ଜଣକ ଉକ୍ତ ନମ୍ବରକୁ ଫୋନ କରିବାରୁ ତାଙ୍କୁ ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ୱର ଦିଆଯାଇଥିଲା । ଯେଉଁଥିରେ ୫୦୦୦ରୁ ୨୫୦୦୦ଟଙ୍କା ପର୍ଯ୍ୟନ୍ତ ଡିପୋଜିଟ୍ କରିବାକୁ ବିଭିନ୍ନ ସ୍କିମ୍ରେ ବୁଝାଯାଇଥିଲା । ସେ ଉକ୍ତ ଆକାଉଣ୍ଟରେ ୧୧ ହଜାର ଟଙ୍କା ଡିପୋଜିଟ୍ କରିଥିଲେ । ଟଙ୍କା ଡିପୋଜିଟ୍ ପରେ ତାଙ୍କୁ କୁହାଯାଇଥିଲେ, ଜଣେ ୨୩ ବର୍ଷର ଯୁବତୀ ତାଙ୍କର ଗୋଟିଏ ଦିନର ସାଥୀ ହେବେ । ବ୍ୟକ୍ତିଙ୍କ କହିଥିବା ଜାଗାକୁ ଯୁବତୀ ଜଣକ ବି ଆସିଥିଲେ । ହେଲେ ୨୩ ପରିବର୍ତ୍ତେ ଥିଲେ ଜଣେ ୪୩ ବର୍ଷ ବୟସ୍କ ମହିଳା । ମହିଳାଙ୍କୁ ଦେଖିବାପରେ ବ୍ୟକ୍ତି ଜଣକ ତାଙ୍କୁ ଫେରାଇ ଦେଇଥିଲେ । ଆଉ ଉକ୍ତ ନମ୍ୱରରେ ପୋନ କରି ଟଙ୍କା ଫେରସ୍ତ ମାଗିଥିଲେ । ମାତ୍ର ଟଙ୍କା ଫେରିପାଇବେ କଣ, ଫୋନରେ କେବଳ ଗାଳି ଗୁଡ଼ିଏ ଶୁଣିଥିଲେ । କେବଳ ସେତିକି ନୁହେଁ, ଓଲଟା ଅସଦାଚରଣ ମାମଲାରେ ଫସାଇ ଦେବାକୁ ମିଳିଲା ଧମକ । ଲୋକଲଜ୍ଜାକୁ ଡରି ବ୍ୟକ୍ତି ଜଣଙ୍କ କାନମୁଣ୍ଡ ଆଉଁସି ଚୁପଚାପ ରହିଲେ । ଏଭଳି ଅନେକ ଠକ ସଂସ୍ଥା ଏବେ ବୟସ୍କ ବ୍ୟକ୍ତିଙ୍କୁ ଟାର୍ଗେଟ କରୁଛନ୍ତି । ସ୍ୱପ୍ନ ଦେଖାଇ ରୋମାଞ୍ଚିତ କରୁଛନ୍ତି । ତେବେ ଏଥିରେ ଫସି କିଏ ଟଙ୍କା ହରାଉଛି ତ\’ ଆଉ କିଏ ଇଜ୍ଜତ । ମିଳିଥିବା ସୂଚନା ଅନୁସାରେ ୧୧ ହଜାର ଟଙ୍କା ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ପଟିଆର ଏକ ଘରୋଇ ସଂସ୍ଥାରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଛନ୍ତି । ଆଉ ସାଥୀ ଯୋଗାଇ ଦେଉଥିବା ଠକ ସଂସ୍ଥାର ଅଫିସ୍ ହେଉଛି ନୟାପଲ୍ଲୀର ଏନ୍-୧ ଅଞ୍ଚଳରେ ବୋଲି ଜଣାପଡ଼ିଛି । କେବଳ ଏ ଗୋଟିଏ ଘଟଣା ନୁହେଁ ପୂର୍ବରୁ ଏପରି ଅନେକ ଘଟଣା ଘଟିଛି । କିଛି ଅଭିଯୋଗ ହୋଇଛି ତ ଆଉ କିଛି ଲୋକଲଜ୍ଜାରେ ଯୋଗୁ ଲୁଚି ଯାଇଛି । ଦୋସ୍ତାନା, ମୋନାଲିସା, ନେହା, ଅଭିଲିପ୍ସା ପରି ଏକାଧିକ ସଂସ୍ଥା ରାଜଧାନୀରେ ଚଲାଇଛନ୍ତି ଏପରି ଫ୍ରେଣ୍ଡସ୍ ନେଟଓା୍ୱର୍କ କାରବାର । ମଧ୍ୟ ବୟସ୍କଙ୍କୁ ଆକୃଷ୍ଟ କରି ଟଙ୍କା ଲୁଟିବା ଏମାନଙ୍କର ମୂଳଲକ୍ଷ୍ୟ । ପାଖାପାଖି ୩୦ରୁ ଅଧିକ ସଂସ୍ଥା ଏବେ ଖୋଲାଖୋଲି ଭାବେ ଏମିତି କାମ କରୁଛନ୍ତି । କେବଳ ମୋବାଇଲ୍ ଏସ୍ଏମ୍ଏସ୍ ମାଧ୍ୟମରେ ଚାଲିଛି ଏସବୁ କାମ । ଏ ସମ୍ପର୍କରେ ଜଣେ ବରିଷ୍ଠ ପୁଲିସ୍ ଅଫିସର ନିଜ ନାମ ଗୋପନ ରଖି କହିଛନ୍ତି, ଏପରି ହଜାର ହଜାର ସଂସ୍ଥା କାର୍ଯ୍ୟ କରୁଛି । ସମସ୍ତଙ୍କ ବିଷୟରେ ଖବର ରଖିବା ସମ୍ଭବ ନୁହଁ । ଯଦି ସେପରି କିଛି ଅଭିଯୋଗ ଆସେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons