ନୂଆଦିଲ୍ଲୀ: ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୈମାସ (ଏପ୍ରିଲ-ଜୁନ୍)ରେ ଭାରତର ଜିଡିପି (ମୋଟ ଘରୋଇ ଉତ୍ପାଦ) ଅଭିବୃଦ୍ଧି ୬% ହେବ । ଚଳିତବର୍ଷ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ରେପୋ ହାର ଆହୁରି ହ୍ରାସ କରିବ । ଶିଳ୍ପ ସଂଘ ଫିକି ଏଭଳି ରିପୋର୍ଟ ପ୍ରକାଶ କରିଛି ।ଫିକି ଇକୋନୋମିକ୍ ଆଉଟ୍ଲୁକ୍ ସର୍ଭେ ଦର୍ଶାଇଛି ଯେ ବେକାରୀ ହାରକୁ ନେଇ ଏନ୍ଏସ୍ଏସ୍ଓ ପକ୍ଷରୁ ପ୍ରକାଶ ପାଇଥିବା ସଦ୍ୟ ତଥ୍ୟରୁ ଅର୍ଥନୀତିର ସ୍ପଷ୍ଟ ଚିତ୍ର ମିଳିଛି । ଘରୋଇ ଅର୍ଥନୀତି ଏବେ ଧିମା ପଡ଼ିଯାଇଛି । ବିଭିନ୍ନ କ୍ଷେତ୍ରରେ ଚାହିଦା ହ୍ରାସ ପାଇଛି । ତେଣୁ ଜିଡିପି ସଂଖ୍ୟା ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ଆଶଙ୍କା ରହିଛି । ତେବେ ୨୦୧୯-୨୦ରେ ବାର୍ଷିକ ଜିଡିପି ୬.୯% ରହିବା ନେଇ ଆଶା ପ୍ରକାଶ କରିଛି ଫିକି ।ଚଳିତ ଆର୍ଥିକବର୍ଷରେ ସର୍ବନିମ୍ନ ଜିଡିପି ହାର ୬.୭ % ଏବଂ ସର୍ବାଧିକ ହାର ୭.୨% ହେବ ବୋଲି ଆକଳନ କରିଛି ଫିକି । ଫିକି ସର୍ଭେରେ ଭାଗନେଇ ମତାମତ ଦେଇଥିବା ଅଧିକାଂଶ ଅର୍ଥନୀତିଜ୍ଞ ଦର୍ଶାଇଛନ୍ତି ଯେ ରିଜର୍ଭ ବ୍ୟାଙ୍କ ଚଳିତବର୍ଷରେ ପ୍ରମୁଖ ସୁଧ ହାର ବା ରେପୋ ରେଟ୍ ଆହୁରି କମାଇବା ସମ୍ଭାବନା ରହିଛି । ଆର୍ବିଆଇକୁ ଏଭଳି ପଦକ୍ଷେପ ନେବା ପାଇଁ ପରିସ୍ଥିତି ବାଧ୍ୟ କରିବ । ସେମାନଙ୍କ ମୁତାବକ, ବର୍ତ୍ତମାନର ରେପୋ ହାର ତଥାପି ଉଚ୍ଚା ରହିଛି । ବଜାରରେ ଉତ୍ସାହ ଫେରାଇ ଆଣିବାକୁ ହେଲେ ରେପୋ ଆହୁରି କମିବା ଆବଶ୍ୟକ ।ଫିକି ସର୍ଭେରେ ଭାଗନେଇଥିବା ଅର୍ଥନୀତିଜ୍ଞମାନେ କହିଥିଲେ କି ଭାରତର ଅଭିବୃଦ୍ଧି ୭ରୁ ୭.୫% ରହିବା ନେଇ ସୁଯୋଗ ରହିଛି । କିନ୍ତୁ ଅଧିକାଂଶ ଅର୍ଥନୀତିଜ୍ଞ ଜିଡିପି ୭.୫% ହେବ ବୋଲି ଅନୁମାନ ଲଗାଇଥିଲେ । ୨୦୧୮-୧୯ ଏପ୍ରିଲ୍-ଜୁନ୍ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ୮.୨% ରହିଥିଲା । ଆଗାମୀ ସପ୍ତାହରେ କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଆର୍ଥିକବର୍ଷ ୨୦୧୯-୨୦ର ପ୍ରଥମ ଜିଡିପି ଫଳାଫଳ ପ୍ରକାଶ ପାଇବ ।
Comments are closed, but trackbacks and pingbacks are open.