ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଚଳିତ ବର୍ଷ ଦ୍ୱିତୀୟାର୍ଦ୍ଧରେ ମର୍ସିଡିଜ୍-ବେଞ୍ଜର କାର୍ ବିକ୍ରି ପୁଣିଥରେ ତ୍ୱରାନ୍ୱିତ ହେବ । ଅଟୋମୋବାଇଲ କ୍ଷେତ୍ର ପୁନରୁଦ୍ଧାର ପାଇଁ ନିକଟରେ ସରକାର ଘୋଷଣା କରିଥିବା ପଦକ୍ଷେପ ହିଁ କାର୍ ବିକ୍ରିରେ ସୁଧାର ଆଣିବ । ମର୍ସିଡିଜ୍-ବେଞ୍ଜ ଇଣ୍ଡିଆ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ଏମ୍ଡି ତଥା ସିଇଓ) ମାର୍ଟିନ୍ ସ୍ୱେଙ୍କ୍ ସୋମବାର ଏହି ସୂଚନା ଦେଇଛନ୍ତି ।ଭୁବନେଶ୍ୱର-କଟକ ଟ୍ୱିନ୍ ସିଟିରେ ଟି ଆଣ୍ଡ ଟି ମୋଟର୍ସର ନୂଆ ମର୍ସିଡିଜ୍-ବେଞ୍ଜ ଡିଲରସିପ୍କୁ ଉଦ୍ଘାଟନ କରି ଶ୍ରୀ ସ୍ୱେଙ୍କ୍ କହିଛନ୍ତି, ମାନ୍ଦାବସ୍ଥା କାରଣରୁ ୨୦୧୯ର ପ୍ରଥମ ୬ ମାସରେ ମର୍ସିଡିଜ୍ ବେଞ୍ଜ ୬,୫୬୧ଟି କାର୍ ବିକିଛି । ଏହି ସଂଖ୍ୟା ପୂର୍ବ ବର୍ଷ ଏ ଅବଧି ତୁଳନାରେ ପ୍ରାୟ ୧୫% କମ୍ । କିନ୍ତୁ ଭାରତୀୟ ଅର୍ଥନୀତିରେ ସୁଧାର ଆଣିବା ଉଦ୍ଦେଶ୍ୟରେ ଗତ ଶୁକ୍ରବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମେଗା ପ୍ୟାକେଜ୍ ଘୋଷଣା କରିଛନ୍ତି । ଏଥିରେ ଅଟୋଶିଳ୍ପ ପାଇଁ ମଧ୍ୟ ପଦକ୍ଷେପ ଘୋଷଣା ହୋଇଛି । ଏସବୁ ପଦକ୍ଷେପ ନିଶ୍ଚିତ ଭାବେ ବଜାର ସ୍ଥିତିରେ କିଛିମାତ୍ରାରେ ସୁଧାର ଆଣିବ । ଗ୍ରାହକଙ୍କ ଆତ୍ମବିଶ୍ୱାସ ବଢ଼ାଇବ । ଏଣୁ ବର୍ଷର ଦ୍ୱିତୀୟ ଭାଗରେ ମର୍ସିଡିଜ୍-ବେଞ୍ଜ କାର୍ ବିକ୍ରି ବଢ଼ିବ ବୋଲି ସେ ଆଶା ରଖିଛନ୍ତି । ସେହିପରି ଆଗାମୀ ୩ ମାସ ଭିତରେ ବଜାରକୁ ନୂଆ ମଡେଲ ଛାଡ଼ିବ ବୋଲି ସେ କହିଛନ୍ତି ।ମର୍ସିଡିଜ୍-ବେଞ୍ଜ ଇଣ୍ଡିଆ ଏମ୍ଡି ତଥା ସିଇଓ କହିଛନ୍ତି, ପୂର୍ବରୁ ୪୬ଟି ସହରରେ କମ୍ପାନିର ୯୩ଟି ଡିଲରସିପ୍ ଥିଲା । ଜର୍ମାନୀଭିତ୍ତିକ ସୌଖୀନ କାର୍ ନିର୍ମାତା ଟ୍ୱିନ୍ ସିଟିରେ ନିଜର ନୂଆ ଡିଲରସିପ୍ ଖୋଲି ଓଡ଼ିଶା ଗ୍ରାହକଙ୍କ ଚାହିଦା ପୂରଣ ପାଇଁ ଲକ୍ଷ୍ୟ ରଖିଛି । ଟି ଆଣ୍ଡ ଟି ମୋଟର୍ସ ଦ୍ୱାରା ୮.୫ କୋଟି ଟଙ୍କା ପୁଞ୍ଜିନିବେଶରେ ସ୍ଥାପନ ହୋଇଥିବା ଏହି ଡିଲରସିପ୍ ୪୦,୦୦୦ ବର୍ଗଫୁଟ ଅଞ୍ଚଳରେ ପରିବ୍ୟାପ୍ତ । ଏଠାରେ ଗ୍ରାହକମାନେ ମର୍ସିଡିଜ୍-ବେଞ୍ଜର ସମସ୍ତ ରେଞ୍ଜର କାର୍ ସମେତ ସ୍ପେୟାର ଓ ସର୍ଭିସ୍ ସୁବିଧା ପାଇବେ । ଏ ଅବସରରେ ଟି ଆଣ୍ଡ ଟି ମୋଟର୍ସର ଏମ୍ଡି ବିଦୁର ତଲୱାର ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.