ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ କରୁଣ କଥା:ଅନ୍ୟ ହାତରେ ଟେକି ଦେଲେ ଶିଶୁ କନ୍ୟା

Get real time updates directly on you device, subscribe now.

ନୀଳଗିରି,(ବି.ବି.ନ୍ୟୁଜ୍): ବାପା କଥାକୁ ଖାତିର ନକରି ପ୍ରେମ ବିବାହ କଲି । କିଏ ଜାଣିଥିଲା ସ୍ୱାମୀ ମୋତେ ଦିନେ ପର କରି ଦେବ । ବର୍ଷେ ହେଲା ମୋତେ ଛାଡ଼ି ସ୍ୱାମୀ ଫେରାର । ପୂର୍ବରୁ ମୋର ଗୋଟିଏ ଦେଢ ବର୍ଷର ପୁଅ ଅଛି । ପୁଣି ୫ ଦିନ ପୂର୍ବରୁ ଶିଶୁ କନ୍ୟାଟିଏ ହୋଇଛି । ବାପ ଘର ଲୋକ କହିଲେ – ଏ ଶିଶୁ ଅବୈଧ । ଏ ପାପକୁ କାହାକୁ ଦେଇଆ । ତା’ ପରେ ଯାଇ ତୋତେ ଘରେ ପୂରାଯିବ, ନ ହେଲେ ଘରୁ ପଳା । ଉକ୍ରଟ ଦାରିଦ୍ର‌୍ୟ ଓ ପାରିବାରିକ କଟକଣା ଭିତରେ ମୋ ନିକଟରେ ଆଉ କିଛି ଉପାୟ ନାହିଁ । ସେପଟେ ପୁଅର ମୁହଁ ଚାହିଁ ଶିଶୁ କନ୍ୟାଟିକୁ ଅନ୍ୟ ହାତରେ ଟେକି ଦେବାକୁ ବାଧ୍ୟ ହେଉଛି । ଏପରି କୋହଭରା କଣ୍ଠରେ ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା ନିଜର କରୁଣ କାହାଣୀ ବଖାଣିଛନ୍ତି । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧୀନ ପିଠାଅତା ପଞ୍ଚାୟତ ଅଧୀନ ଟାଙ୍ଗଣା ଗ୍ରାମର ପିଟୁ ସିଂଙ୍କ ପୁଅ ଗଣେଶଙ୍କୁ ଗରଡିହି ପଞ୍ଚାୟତ ଅଧୀନ କୁଞ୍ଚିବଣିଆ ଗ୍ରାମର ଘନ ସିଂଙ୍କ ଝିଅ ଗୀତା ସିଂ ପ୍ରେମ ବିବାହ କରିଥିଲେ । ବାପା-ମା’ଙ୍କ ବିରୋଧ ସତ୍ତେ୍ୱ ବିବାହ ପରେ ସବୁ ଠିକ୍ଠାକ୍ ହୋଇଯିବ ବୋଲି ସେ ଭାବିଥିଲେ । ତେବେ କିଏ ଜାଣିଥିଲା ସ୍ୱାମୀ ତାଙ୍କୁ ପ୍ରତାରିତ କରିବ । ସ୍ୱାମୀ ଯାତ୍ରୀବାହୀ ବସ୍ରେ ହେଲପର ଭାବେ କାର୍ଯ୍ୟ କରୁଥିବା ବେଳେ ଅର୍ଦ୍ଧାଧିକ ଦିନ ଘରେ ରହୁନଥିଲେ । ତାଙ୍କ ବିଷୟରେ ସେଭଳି କିଛି ଆଗରୁ ଜାଣି ପାରିନଥିଲେ । ତେବେ ଶିଶୁ ପୁତ୍ର ଜନ୍ମ ପରେ ସେ ଜାଣିବାକୁ ପାଇଥିଲେ ସ୍ୱାମୀ ଆଗରୁ ତିନି ଜଣଙ୍କୁ ବିବାହ କରିଛନ୍ତି । ଏହାପରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବାରମ୍ବାର ଝଗଡ଼ା ଲାଗି ରହିଲା । ଗୀତାଙ୍କୁ ବର୍ଷେ ପୂର୍ବରୁ ସ୍ୱାମୀ ଗଣେଶ ଛାଡ଼ି ଦେଲେ । ଏହାପରେ ଗୀତା ବାପା ଘରେ ପୁଅକୁ ଧରି ମୁଣ୍ଡ ଗୁଞ୍ଜିଲେ । ପାଞ୍ଚ ଦିନ ପୂର୍ବରୁ ସେ ଏକ ଶିଶୁ କନ୍ୟା ଜନ୍ମ ଦେବା ପରେ ବାପା ଘର ଲୋକେ ଏହାକୁ ପାପ ବୋଲି ଦର୍ଶାଇ ଶିଶୁ କନ୍ୟାକୁ ଅନ୍ୟତ୍ର କାହାରିକୁ ଦେଇଦେବାକୁ ବାଧ୍ୟ କଲେ । ନ ହେଲେ ଘରକୁ ପୂରାଇବେନି ବୋଲି କହିଲେ । ତେବେ ପେଟର ଜ୍ୱାଳା ଅସହ୍ୟ ସହ ଶିଶୁ ପୁତ୍ରଟିର ଭବିଷ୍ୟତକୁ ଆଖି ଆଗରେ ରଖି ଗୀତା ଆଜି ପୋଡ଼ାଶୋଳ ଅଞ୍ଚଳରେ ନବଜାତ ଶିଶୁ କନ୍ୟାକୁ ଜନୈକ ବ୍ୟକ୍ତିଙ୍କ ହାତରେ ଟେକି ଦେବାକୁ ଆସିଥିଲେ । ଉକ୍ତ ଗ୍ରାମରେ ଥିବା ଭିଣୋଇ ରଣଜିତ ସିଂ ଏହି ଖବର ପାଇଥିଲେ । ତାଙ୍କର କୌଣସି ପିଲା ନଥିବାରୁ ଶିଶୁ କନ୍ୟାକୁ ସେ ଆପଣେଇ ନେଇଥିଲେ । ଗୀତା ନିଜ ଭାଗ୍ୟକୁ ଆଦରି ଏପରି କରିଥିବା ବେଳେ ତାଙ୍କ ଭିଣୋଇଙ୍କ ପିଲା ନଥିବାରୁ ଶିଶୁ କନ୍ୟାକୁ ନେଇଥିବା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons