ବିଏମ୍ସି ଆହାର କେନ୍ଦ୍ରରେ ପଡ଼ି ଜଣେ ଗୁରୁତର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ବିଏମ୍ସି ପରିସରରେ ଥିବା ଆହାର କେନ୍ଦ୍ରରେ ପଡ଼ି ଆଜି ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ସଂକଟାପନ୍ନ ଅବସ୍ଥାରେ ସେ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଚେତା ଫେରି ନଥିବାରୁ ପରିଚୟ ମିଳିପାରି ନାହିଁ । ଚଟାଣରେ ପଡ଼ିଥିବା ଡାଲ୍ମାରେ ଗୋଡ଼ ପଡ଼ିଯିବାରେ ସେ ତଳେ ପଡ଼ି ଗୁରୁତର ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଆଜି ଦିନ ପ୍ରାୟ ସାଢ଼େ ୨ଟା ହେବ । ବିଏମ୍ସି ଆହାର କେନ୍ଦ୍ରରେ ଭିଡ଼ ଲାଗିଥାଏ । ଏହି ସମୟରେ ଲୁଙ୍ଗି ଓ ଗାମୁଛା ପିନ୍ଧିଥିବା ଜଣେ ୫୦-୫୫ ବର୍ଷ ବୟସ୍କ ବ୍ୟକ୍ତି ଆହାର କେନ୍ଦ୍ରରେ ଭାତ ଡାଲମା ଖାଇବାକୁ ଆସିଥିଲେ । ସେ ଚିରିକୁଟି ଆଣିବାକୁ ଯାଉଥିବା ବେଳେ ଚିକ୍କଣ ଚଟାଣରେ ପଡ଼ିଥିବା ଡାଲ୍ମା ଉପରେ ତାଙ୍କ ଗୋଡ଼ ପଡ଼ି ଯାଇଥିଲା । ଫଳରେ ସେ କଚାଡ଼ି ହୋଇ ପଡ଼ିଥିଲେ । ଚଟାଣରେ ତାଙ୍କ ମୁଣ୍ଡ ପଛ ପାଶ୍ୱର୍ ମାଡ଼ ହୋଇ ଯାଇଥିଲା । ଫଳରେ ଭୀଷଣ ରକ୍ତଶ୍ରାବ ହୋଇ ଚଟାଣରେ ବୋହିଥିଲା । ମୁଣ୍ଡ ମାଡ଼ ହୋଇଯିବାରେ ସଂପୃକ୍ତ ବ୍ୟକ୍ତି ବେହୋସ୍ ହୋଇଯାଇଥିଲେ । ଆହାର କେନ୍ଦ୍ରରେ ଥିବା କିଛି କର୍ମଚାରୀ ତାଙ୍କୁ ଟେକି ଆଣି ବାରଣ୍ଡାରେ ଥୋଇ ଆହାର କେନ୍ଦ୍ରରେ ତାଲା ପକାଇ ପଳାଇଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ଛଟପଟ ହେଉଥିବା ବ୍ୟକ୍ତିଙ୍କୁ ଦେଖି ବିଏମ୍ସି କିଛି କର୍ମଚାରୀ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଖବର କରିଥିଲେ । ତେବେ ଅଧଘଣ୍ଟାଏ ବିତିଗଲେ ମଧ୍ୟ ୧୦୮ ଆମ୍ବୁଲାନ୍ସ ପହଞ୍ଚି ନଥିଲା । ତେଣୁ ବିଏମ୍ସି ହସ୍ପିଟାଲ ଆମ୍ବୁଲାନ୍ସକୁ ଘଟଣାସ୍ଥଳରେ ପହଞ୍ଚିବା ଲାଗି ଖବର ଦିଆଯାଇଥିଲା । ପୌର ଚିକିତ୍ସାଳୟ ଆମ୍ବୁଲାନ୍ସ ପହଞ୍ଚିବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ୬ ନମ୍ବର ହସ୍ପିଟାଲକୁ ପଠାଇ ଦିଆଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons