ଭୋପାଳ: ମଧ୍ୟପ୍ରଦେଶ କଂଗ୍ରେସରେ ବିଦ୍ରୋହର ସ୍ୱର ଶୁଣିଲାଣି । ଏହି ବିଦ୍ରୋହ ଖୋଦ୍ ଦଳର ଯୁବନେତା ତଥା ଉପମୁଖ୍ୟମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆରମ୍ଭ କରିଥିବା ଖବର ସାମ୍ନାକୁ ଆସିଛି । ଏପରିକି ତାଙ୍କୁ ଯଦି ମଧ୍ୟପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି କରାନଯିବ ତେବେ ସେ ଦଳ ଛାଡିବାକୁ ଚେତାବନୀ ଦେଇଛନ୍ତି ।
ମଧ୍ୟପ୍ରଦେଶରେ ନୂଆ ପିସିସି ସଭାପତି ନିଯୁକ୍ତ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି । ଏହି ପଦବୀ ଦୌଡରେ ଜ୍ୟୋତିରାଦିତ୍ୟ ସବୁଠାରୁ ଆଗରେ ରହିଛନ୍ତି । କିନ୍ତୁ ତାଙ୍କ ସମର୍ଥକମାନେ ଆଶଙ୍କା କରିଛନ୍ତି ଯେ ବିଧାନସଭା ନିର୍ବାଚନ ପରବର୍ତ୍ତୀ ପରିସ୍ଥିତିର ପୁନରାବୃତ୍ତି ଘଟିପାରେ । ସେତେବେଳେ ଜ୍ୟୋତିରାଦିତ୍ୟଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରାଯାଉଥିଲା । କିନ୍ତୁ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ତାଙ୍କ ସ୍ଥାନରେ କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା । ଜ୍ୟୋତିରାଦିତ୍ୟଙ୍କ ସମର୍ଥକମାନେ ହଙ୍ଗାମା କରିବାରୁ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ସହ କିଛି ବିଭାଗ ଦିଆଗଲା । ମାତ୍ର ତାହା ସେଭଳି ଗୁରୁତ୍ୱପୂର୍ଣ୍ଣ ନଥିଲା । ବର୍ତ୍ତମାନ ଜ୍ୟୋତିରାଦିତ୍ୟ ପିସିସି ସଭାପତି ହେବାକୁ ଆଶା ରଖିଛନ୍ତି । ଆଉ ତାଙ୍କୁ ଯଦି ଏହି ପଦବୀ ନମିଳିବ ତେବେ ସେ ବିକଳ୍ପ ଚିନ୍ତା କରିବେ ବୋଲି ଚେତାବନୀ ଦେଇଥିବା କୁହାଯାଉଛି । ଗତ କିଛିଦିନ ତଳେ ସେ ବିଜେପିର ବରିÂ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଭେଟିଥିଲେ । ସେତେବେଳେ ଚର୍ଚ୍ଚା ହୋଇଥିଲା ଯେ ସେ ଦଳ ଛାଡି ବିଜେପିରେ ମିଶିବେ । ମାତ୍ର ଏହି ଖବରକୁ ଜ୍ୟୋତିରାଦିତ୍ୟ ଖଣ୍ଡନ କରିଥିଲେ । ସେହିଭଳି ବର୍ତ୍ତମାନ ସେ ଦଳ ଛାଡିବେ ବୋଲି ଯାହା ପ୍ରକାଶ ପାଇଛି ତାକୁ ମଧ୍ୟ ଖଣ୍ଡନ କରିଛନ୍ତି । କହିଛନ୍ତି ସେ କଂଗ୍ରେସରେ ରହିବେ ।
ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ କମଲନାଥ ନୂଆଦିଲ୍ଲୀରେ ଆଜି ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି । ନୂଆ ପିସିସି ସଭାପତି ନିଯୁକ୍ତ ପ୍ରସଙ୍ଗରେ ଉଭୟେ ଆଲୋଚନା ମଧ୍ୟ କରିଛନ୍ତି । ବୈଠକ ପରେ କମଲନାଥ କହିଛନ୍ତି ପିସିସି ସଭାପତି ନିଯୁକ୍ତି ଉପରେ କିଛି ନେତାଙ୍କ ନାମ ଉପରେ ଚର୍ଚ୍ଚା ହୋଇଥିଲା । ଏହା ଉପରେ ଆହୁରି ବ୍ୟାପକ ଆଲୋଚନା କରାଯିବା ପରେ ନାମ ଚୂଡାନ୍ତ କରାଯିବ । କିନ୍ତୁ ପିସିସି ସଭାପତି ଯିଏ ହୁଅନ୍ତୁ ନା କାହିଁକି ତାଙ୍କ ସହିତ କାର୍ଯ୍ୟ କରିବାରେ ତାଙ୍କର କୌଣସି ଅସୁବିଧା ନାହିଁ । କିନ୍ତୁ ଜ୍ୟୋତିରାଦିତ୍ୟଙ୍କ ସମର୍ଥକମାନେ କହିଛନ୍ତି ତାଙ୍କୁ ଯଦି ପିସିସି ସଭାପତି କରାନଯିବ ତେବେ ସେମାନେ ସମୂହ ଇସ୍ତଫା ଦେବେ । କଂଗ୍ରେସ ନେତା ଅଶୋକ ଡାଙ୍ଗି କହିଛନ୍ତି ଜ୍ୟୋତିରାଦିତ୍ୟଙ୍କୁ ଯଦି ରାଜ୍ୟ କଂଗ୍ରେସ ମୁଖ୍ୟ କରାନଯିବ ତେବେ ସେ ଓ ତାଙ୍କର ଅନ୍ୟ ୫୦୦ରୁ ଊଦ୍ଧ୍ୱର୍ ସମର୍ଥକ ଇସ୍ତଫା ଦେବେ । ତାଙ୍କର ଏଭଳି ଚେତାବନୀରୁ ରାଜ୍ୟ କଂଗ୍ରେସରେ ବିଦ୍ରୋହ ଆରମ୍ଭ ହୋଇଥିବା ସ୍ପଷ୍ଟ ହୋଇଛି । ସୂଚନାଯୋଗ୍ୟ ଯେ ୨୦୧୮ରେ କମଲନାଥ ପିସିସି ସଭାପତି ନିଯୁକ୍ତ ହୋଇଥିଲେ । କିନ୍ତୁ ସେହିବର୍ଷ ଡିସେମ୍ବରରେ ତାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରାଯିବା ପରେ ଏବେ ନୂଆ ପିସିସି ନିଯୁକ୍ତ ପାଇଁ ଉଦ୍ୟମ କରଯାଉଛି ।
ସୂଚନାଯୋଗ୍ୟ ଯେ ଏବେ ଜ୍ୟୋତିରାଦିତ୍ୟଙ୍କ କ୍ଷେତ୍ରରେ ଯାହା ଘଟିଛି ୧୯୮୯ରେ ତାଙ୍କ ପିତା ମାଧବ ରାଓ ସିନ୍ଧିଆଙ୍କ କ୍ଷେତ୍ରରେ ଘଟିଥିଲା । ସେତେବେଳେ ଚୁରହାଟ ଲଟେରୀ ସ୍କାମ ମାମଲାରେ ଅର୍ଜୁନ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ପରେ ମାଧବରାଓ ଏହି ପଦବୀ ପାଇଁ ଦୃଢ଼ ଦାବିଦାର ଥିଲେ । ମାତ୍ର ସିଂହ ତାଙ୍କ ସମର୍ଥକ ହରିବଂଶ ସିଂହଙ୍କୁ ଏହି ପଦବୀରେ ବସାଇବାକୁ ଚାହୁଁଥିଲେ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଶେଷରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ମାଓବରାଓଙ୍କୁ ଅଣଦେଖା କରି ମୋତିଲାଲ ଭୋରାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲେ । ବର୍ତ୍ତମାନ ଜ୍ୟୋତିରାଦିତ୍ୟଙ୍କ ନାମ ସହିତ ଅର୍ଜୁନ ସିଂହଙ୍କ ପୁଅ ଅଜୟ ସିଂହଙ୍କ ନାମ ମଧ୍ୟ ପିସିସି ସଭାପତି ପଦବୀ ପାଇଁ ଚର୍ଚ୍ଚା ହେଉଛି । ଏପରିକି ଅଜୟଙ୍କୁ କଂଗ୍ରେସର ବରିÂ ନେତା ଦିଗ୍ବିଜୟ ସିଂହ ସମର୍ଥନ କରୁଛନ୍ତି ।
Comments are closed, but trackbacks and pingbacks are open.