ନୂଆଦିଲ୍ଲୀ:ଆର୍ଥିକ ମାନ୍ଦାବସ୍ଥାଜନିତ ପରିସ୍ଥିତିର ସାମ୍ନା କରୁଥିବା ଭାରତୀୟ ଅର୍ଥନୀତିକୁ ଜିଡିପି କ୍ଷେତ୍ରରେ ଏକ ବଡ଼ ଝଟ୍କା ମିଳିଛି । ଘରୋଇ ଚାହିଦା ଏବଂ ନିବେଶ ହ୍ରାସ ସହ ଅସ୍ଥିର ବିଶ୍ୱ ବଜାରର ପ୍ରଭାବ ଦେଶର ବିକାଶ ହାର ଉପରେ ପଡ଼ିଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଏହା ୫ଧକୁ ଖସିଆସିଥିବା କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସ୍ଓ) ପ୍ରଦତ୍ତ ତଥ୍ୟରୁ ଜଣାଯାଇଛି । ୭ ବର୍ଷର ସର୍ବନିମ୍ନ ସ୍ତରକୁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଖସିଆସିଛି । ଅର୍ଥନୀତିରେ ମାନ୍ଦାବସ୍ଥା ରହିଥିବା ଏଥିରୁ ସ୍ପଷ୍ଟ ବାରି ହେଉଛି । ଏହା ଅର୍ଥନୀତିର ଏକ ବିକୃତ ଚିତ୍ର ପ୍ରଦାନ କରୁଛି । ୨୦୧୨-୧୩ ଏପ୍ରିଲ-ଜୁନ୍ରେ ଅନ୍ତିମ ଥର ପାଇଁ ଅଭିବୃଦ୍ଧି ଏଭଳି ସ୍ତରକୁ ଖସିଥିଲା । ଉକ୍ତ ସମୟରେ ଏହା ୪.୯% ରହିଥିଲା ।
ବିଶେଷ କରି ବିନିର୍ମାଣ ଏବଂ କୃଷି କ୍ଷେତ୍ରର ଦୁର୍ବଳ ପ୍ରଦର୍ଶନ ଯୋଗୁ ହାରାହାରି ଜିଡିପି(ମୋଟ ଘରୋଇ ଉପôାଦ) ଅଭିବୃଦ୍ଧି ପ୍ରଭାବିତ ହୋଇଛି । ପୂର୍ବ ତ୍ରୟମାସରେ ଅଭିବୃଦ୍ଧି ୫.୮% ଥିଲା । ୨୦୧୮-୧୯ ଆର୍ଥିକବର୍ଷର ପ୍ରଥମ ତ୍ରୟମାସରେ ଏହା ୮% ରହିଥିଲା ।
ସରକାରୀ ତଥ୍ୟ ଅନୁସାରେ ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୟମାସରେ ଦେଶର ମୋଟ ମୂଲ୍ୟଯୁକ୍ତ(ଜିଭିଏ) ୩୩.୪୮ ଲକ୍ଷ କୋଟି ଟଙ୍କା ରହିଛି । ୨୦୧୮-୧୯ ସମାନ ସମୟରେ ଏହା ୩୧.୯୦ ଲକ୍ଷ କୋଟି ଟଙ୍କା ଥିଲା । ୨୦୧୯-୨୦ ପ୍ରଥମ ତ୍ରୟମାସରେ ବିନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ମାତ୍ର ୦.୬% ରହିଛି । ଏହା ୨୦୧୮-୧୯ ସମାନ ସମୟରେ ୧୨.୧% ଥିଲା । ଅନ୍ୟପକ୍ଷରେ କୃଷି, ଜଙ୍ଗଲ ଏବଂ ମତ୍ସ୍ୟ ଶିଳ୍ପ କ୍ଷେତ୍ରରେ ୨% ଅଭିବୃଦ୍ଧି ଦେଖାଦେଇଛି, ଯାହାକି ଗତବର୍ଷ ସମାନ ସମୟରେ ୫.୧% ଥିଲା । ସେହିଭଳି ଖଣି ଏବଂ ଏ ସମ୍ବନ୍ଧୀୟ କ୍ଷେତ୍ରରେ ୨.୭% ଅଭିବୃଦ୍ଧି ଦେଖାଦେଇଛି । ବିଦୁ୍ୟତ୍, ଗ୍ୟାସ, ଜଳ ଯୋଗାଣ ଏବଂ ଅନ୍ୟାନ୍ୟ ସେବା କ୍ଷେତ୍ରରେ ଅଭିବୃଦ୍ଧି ୮.୬% ରହିଛି । ନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ଗତ ବର୍ଷର ୯.୬% ତୁଳନାରେ ୫.୭% କୁ ଖସିଆସିଛି । ବାଣିଜ୍ୟ, ହୋଟେଲ, ପରିବହନ, ଯୋଗାଯୋଗ ଏବଂ ସେବା କ୍ଷେତ୍ରରେ ଅଭିବୃଦ୍ଧି ୭.୧% ରହିଛି, ଯାହାକି ୨୦୧୮-୧୯ ପ୍ରଥମ ତ୍ରୟମାସରେ ୭.୮% ଥିଲା । ଆର୍ଥିକ, ରିଅଲ ଇଷ୍ଟେଟ୍ ଏବଂ ପେସାଗତ ସେବା କ୍ଷେତ୍ରରେ ଅଭିବୃଦ୍ଧି ୫.୯% କୁ କମିଛି । ସାଧାରଣ ପ୍ରଶାସନ, ପ୍ରତିରକ୍ଷା ଏବଂ ଅନ୍ୟାନ୍ୟ ସେବା କ୍ଷେତ୍ରରେ ଅଭିବୃଦ୍ଧି ୮.୫% କୁ ବୃଦ୍ଧି ପାଇଥିବା ସରକାରୀ ସୂତ୍ରରୁ ଜଣାଯାଇଛି ।
ଦେଶର ଶିଳ୍ପ ଅଭିବୃଦ୍ଧି କମିଛି । ବିଶେଷ କରି ଚାହିଦା ହ୍ରାସ ଯୋଗୁ ଦେଶରେ ମାନ୍ଦାବସ୍ଥା ସ୍ଥିତି ଦେଖାଦେଇଛି । ଅଟୋମୋବାଇଲ, ଏଫ୍ଏମ୍ସିଜି, ରିଅଲ ଇଷ୍ଟେଟ୍ ସମେତ ପ୍ରାୟ ସବୁ କ୍ଷେତ୍ର ଧୀମା ପଡିଯାଇଛି । ଜୁଲାଇରେ ଦେଶର ପାସେଞ୍ଜର କାର ବିକ୍ରି ୧୯ ବର୍ଷରେ ସବୁଠାରୁ ଦୁର୍ବଳ ପ୍ରଦର୍ଶନ କରିଛି । ବିକ୍ରିରେ ୩୧% ହ୍ରାସ ଘଟିଛି । କ୍ରମାଗତ ନବମ ବର୍ଷ ପାଇଁ କାର ବିକ୍ରିରେ ହ୍ରାସ ଘଟିଛି । ରେଳ ପରିବହନ ଏବଂ ଘରୋଇ ବିମାନ ପରିବହନ ପ୍ରଭାବିତ ହୋଇଛି । ସାବୁନ, ସାମ୍ପୋଠାରୁ ଆରମ୍ଭ କରି ବିସ୍କୁଟ ପର୍ଯ୍ୟନ୍ତ ସାମଗ୍ରୀଗୁଡିକର ଚାହିଦା କମିବା ଫଳରେ ବଜାର ଏକ୍ଦମ୍ ମନ୍ଥର । ଦେଶର ବେକାରି ହାର ୪୫ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି । ଏଭଳି କ୍ଷେତ୍ରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକବର୍ଷ ପାଇଁ ଏହାର ଅଭିବୃଦ୍ଧି ଆକଳନକୁ ୭ଧରୁ ୬.୯% କୁ ଖସାଇଛି । ଚାହିଦା ବୃଦ୍ଧି ଜରିଆରେ ଅଭିବୃଦ୍ଧିକୁ ଟ୍ରାକ୍କୁ ଅଣାଯାଇପାରିବ ବୋଲି ଏହା ପ୍ରକାଶ କରିଛି ।
ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଇତିମଧ୍ୟରେ ଆର୍ବିଆଇ ଏହାର ପ୍ରମୁଖ ସୁଧ ହାରରେ ମୋଟ ୧୧୦ ବେସିସ ପଏଣ୍ଟ ହ୍ରାସ କରିଛି । ଏହା ଏତେଶୀଘ୍ର ଅଭିବୃଦ୍ଧିକୁ ସୁଧାରିବ ତାହାକୁ ନେଇ ଅର୍ଥନୀତିଜ୍ଞମାନେ ସନେ୍ଦହ ପ୍ରକଟ କରିଛନ୍ତି । ଘରୋଇ ବଜାରରେ ଚାହିଦା ବାରମ୍ବାର କମିଚାଲିଛି । ଆମେରିକା-ଚୀନ୍ ବାଣିଜ୍ୟ ଯୁଦ୍ଧ ଏବଂ ଅନ୍ୟାନ୍ୟ ଭୁ-ରାଜନୈତିକ ସମସ୍ୟା ମଧ୍ୟରେ ଭାରତର ରପ୍ତାନି ପ୍ରଭାବିତ ହୋଇଛି । ଏସବୁ ମଧ୍ୟରେ ଦେଶର ନିବେଶ ବଜାର ଆହୁରି ପ୍ରଭାବିତ ହେବ ବୋଲି ଅର୍ଥନୀତିଜ୍ଞମାନେ ପ୍ରକାଶ କରିଛନ୍ତି ।
ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ୧.୭୬ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛି । ଟିକସ ସଂଗ୍ରହ କମିଥିବାବେଳେ ଆର୍ବିଆଇର ଏହି ସହାୟତା ଯଥେଷ୍ଟ ନୁହେଁ ବୋଲି ଏମାନେ ମତବ୍ୟକ୍ତ କରିଛନ୍ତି ।
ଦେଶରେ ମାନ୍ଦାବସ୍ଥା ପରିସ୍ଥିତିକୁ ସଜାଡିବା ପାଇଁ ସରକାର ଅନେକ ପଦକ୍ଷେପ ଘୋଷଣା କରିଛନ୍ତି । ବୁଧବାର ସରକାର କୋଇଲା ଖନନ କ୍ଷେତ୍ରରେ ୧୦୦% ଏଫ୍ଡିଆଇକୁ ମଞ୍ଜୁରି ଦେଇଥିବାବେଳେ ଏକକ ବ୍ରାଣ୍ଡ୍ ରିଟେଲ୍, ଡିଜିଟାଲ ମିଡିଆ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଏଫ୍ଡିଆଇ ନିୟମ କୋହଳ କରିଛନ୍ତି । ବିଦେଶୀ ନିବେଶ ନିୟମ କୋହଳ କରାଯାଇଥିବାବେଳେ ଯାନ କ୍ରୟରେ ରିହାତି ପ୍ରଦାନ କରାଯାଇଛି । ଏହା ଅର୍ଥନୀତିକୁ ଟ୍ରାକ୍କୁ ଆଣିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ୨୦୧୯ ଏପ୍ରିଲ-ଜୁନ୍ ତ୍ରୟମାସରେ ଚୀନ୍ର ବିକାଶ ହାର ୬.୨% ରହିଛି । ୨୭ ବର୍ଷରେ ଏହା ଚୀନ୍ର ସବୁଠାରୁ ଦୁର୍ବଳ ଅଭିବୃଦ୍ଧି ହାର ।
Comments are closed, but trackbacks and pingbacks are open.