ଭୁବନେଶ୍ୱର,(ବି.ବି.ବୁ୍ୟରୋ):କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଷିଆନ୍ ଫେଡେରେସନର ଶକ୍ତି ମନ୍ତ୍ରୀ ଆଲେକଜାଣ୍ଡର ନୋଭାକଙ୍କ ନିମନ୍ତ୍ରଣରେ ଦୁଇ ଦିନିଆ ଋୁଷ ଗସ୍ତରେ ଯାଇଥିବା ବେଳେ ଶନିବାର ସ୍ୱଦେଶ ଫେରିଛନ୍ତି । ଏହି ଦୁଇଦିନିଆ ଗସ୍ତ ସମୟରେ ସେ ଉର୍ଜାରୁ ଇସ୍ପାତ, ତୈଳ ଏବଂ ଗ୍ୟାସ ଓ ଅନ୍ୟାନ୍ୟ କ୍ଷେତ୍ରରେ ଋଷ ସରକାର ଏବଂ ବେସରକାରୀ କମ୍ପାନୀଗୁଡିକର ଅଧିକାରୀଙ୍କ ସହ ମାରାଥନ ଆଲୋଚନା କରିଥିଲେ । ଦୁଇ ଦେଶ ମଧ୍ୟରେ ସହଯୋଗ ଓ ଆର୍ଥିକ ଗତିବିଧି ସମ୍ପର୍କରେ ସେ ଆଲୋଚନା କରିଥିଲେ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ୨୫ ଜଣିଆ ସଦସ୍ୟ ବିଶିଷ୍ଟ ପ୍ରତିନିଧି ମଣ୍ଡଳ ଋଷ ଗସ୍ତରେ ଯାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭ୍ଲାଡିଭୋଷ୍ଟୋକ ଗସ୍ତର ସପ୍ତାହ ପୂର୍ବରୁ ଧର୍ମେନ୍ଦ୍ରଙ୍କ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ଉପ-ପ୍ରଧାନମନ୍ତ୍ରୀ ୟୁରି ତୃଟନେଭ୍, ଶକ୍ତିମନ୍ତ୍ରୀ ଆଲେକଜାଣ୍ଡର ନୋଭାକ ଏବଂ ଶିଳ୍ପ ଓ ବାଣିଜ୍ୟ ଉପମନ୍ତ୍ରୀ ତଥା ଇସ୍ପାତ କ୍ଷେତ୍ରର ପ୍ରଭାରୀ ଭିକ୍ଟର ଏଭତୁକୋଭଙ୍କୁ ସାକ୍ଷାତ୍ କରି ଦୁଇ ଦେଶ ମଧ୍ୟରେ ଉକ୍ତ କ୍ଷେତ୍ରକୁ ମଜଭୂତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ କାଳରେ ଭାରତୀୟ ପ୍ରତିନିଧି ମଣ୍ଡଳ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଋଷର ପ୍ରାୟ ୪୦ଟି ବଡ ବଡ କମ୍ପାନୀର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ଭାରତ ଏବଂ ଋଷ କମ୍ପାନୀଗୁଡିକ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନାର ଅବସର ପ୍ରଦାନ କରିଥିଲା । ସେହିଭଳି ଫାର୍ ଇଷ୍ଟ ଏଜେନ୍ସିର ସିଇଓ ଲିଇଓନିଡ୍ ପେତୁଖୋଭ ଭାରତ ଓ ଋଷ ମଧ୍ୟରେ ଥିବା ସମ୍ପର୍କକୁ ମଜଭୂତ କରିବା ଉପରେ ଗୁରୁତ୍ୱାରୋପ କରିବା ସହ ଭାରତୀୟ ପ୍ରକଳ୍ପରେ ସରକାରୀ ସମର୍ଥନ ଦେବା ପାଇଁ ସହମତି ପ୍ରଦାନ କରିଥିଲେ । ଭାରତୀୟ ପ୍ରତିନିଧି ମଣ୍ଡଳି ଋଷର ତୈଳ, ଗ୍ୟାସ, କୋଇଲା ଏବଂ ଇସ୍ପାତ କମ୍ପାନୀର ବରିÂ ଅଧିକାରୀଙ୍କୁ ଭେଟି ନିକଟ ଭବିଷ୍ୟତରେ ସହଯୋଗ କରିବା ସହ ଦୁଇ ଦେଶ ମଧ୍ୟରେ ଏହି କ୍ଷେତ୍ରକୁ ମଜଭୂତ କରିବା ଉପରେ ବିଷଦ ଆଲୋଚନା କରିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ପ୍ରତିନିଧି ମଣ୍ଡଳ ସ୍କୋଲକୋଭୋସ୍ଥିତ ମସ୍କୋ ବିଜନେସ୍ ସ୍କୁଲ ଏବଂ ଇନୋଭେସନ ସେଣ୍ଟର ମଧ୍ୟ ପରିଦର୍ଶନ କରିଥିଲେ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଏହି ଗସ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ଭ୍ଲାଡିଭୋଷ୍ଟକ୍ ଗସ୍ତର ପ୍ରସ୍ତୁତି ପାଇଁ ଥିଲା । ପ୍ରଧାନମନ୍ତ୍ରୀ ମୋଦି ଋଷର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ନିମନ୍ତ୍ରଣରେ ପଞ୍ଚମ ବାର୍ଷିକ ପୂର୍ବାଞ୍ଚଳ ଆର୍ଥିକ ଫୋରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।


Comments are closed, but trackbacks and pingbacks are open.