ନୂଆଦିଲ୍ଲୀ: ଦୀର୍ଘ ୭୦ ବର୍ଷ ଧରି ଚାଲି ଆସିଥିବା ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ବିବାଦର ସମାଧାନର ଆଶା ଉଜ୍ଜ୍ୱଳ ହୋଇଛି । ଯାହା ମନେ କରାଯାଉଛି, ଆସନ୍ତା ନଭେମ୍ବର ମାସରେ ଏହି ମାମଲାରେ ସୁପ୍ରିମକୋର୍ଟ ରାୟ ଦେଇପାରନ୍ତି । ସଂଯୋଗବଶତଃ ନଭେମ୍ବର ୧୭ରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଅବସର ନେବେ । ତେଣୁ ସେ ଅବସର ନେବା ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଆସିବ ବୋଲି ଅନୁମାନ କରାଯାଉଛି ।
ପ୍ରଧାନ ବିଚାରପତିଙ୍କ ଅବସର ନେବା ପୂର୍ବରୁ ଏହି ମାମଲାରେ ରାୟ ଆସିବ ବୋଲି ପୂର୍ବରୁ କିନ୍ତୁ କେହି ଆଶା କରୁନଥିଲେ । ମାତ୍ର ତାଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଯେପରି କ୍ରମାଗତଃ ଭାବେ ଏହି ମାମଲାର ଶୁଣାଣି କରୁଛନ୍ତି, ସେଥିରୁ ଏବେ ଏଭଳି ଆଶା ଉଦ୍ରେକ ହୋଇଛି । ଅଗଷ୍ଟ ୬ରୁ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲାବେଳେ ପ୍ରତି ସପ୍ତାହରେ ୫ ଦିନ ଧରି ଏହାର ଶୁଣାଣି ଚାଲୁଛି । ଇତିମଧ୍ୟରେ ଏହି ମାମଲା ସହ ସଂପୃକ୍ତ ସମସ୍ତ ହିନ୍ଦୁ ପକ୍ଷ ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ନିଜ ନିଜର ପକ୍ଷ ଉପସ୍ଥାପନ କରିସାରିଲେଣି । ଅଲ ଇଣ୍ଡିଆ ରାମ ଜନ୍ମସ୍ଥାନ ପୁନରୁଦ୍ଧାନ ସମିତି, ହିନ୍ଦୁ ମହାସଭାର ଦୁଇ ଗୋÂୀ, ନିର୍ମୋହୀ ଅଖାଡା, ରାମ ଲଲା ବିରାଜମାନ, ୧୯୫୧ରେ ପ୍ରଥମେ ଏନେଇ ମାମଲା ଦାୟର କରିଥିôବା ଗୋପାଲ ସିଂ ବିଶାରଦଙ୍କ ଉତ୍ତରାଧିକାରୀ ଓ ସିହା ୱାକଫ ବୋର୍ଡ ଅଦାଲତଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରିସାରିଛନ୍ତି । ଏବେ କେବଳ ସୁନ୍ନି ୱାକଫ ବୋର୍ଡ ନିଜର ପକ୍ଷ ରଖିବା ବାକି ରହିଛି । ଏହି ବୋର୍ଡ ତରଫରୁ ମାମଲା ପରିଚାଳନା କରୁଥିବା ବରିÂ ଓକିଲ ରାଜୀବ ଧାୱନ କହିଛନ୍ତି ଯେ ସେ ଯୁକ୍ତି ଉପସ୍ଥାପନ କରିବାକୁ ସମୁଦାୟ ୨୦ ଦିନ ସମୟ ନେବେ । ଯଦି ସେ ନିଜ କଥା ମୁତାବକ ୨୦ ଦିନ ସମୟ ନିଅନ୍ତି, ତାହାହେଲେ ବି ଅଦାଲତଙ୍କ ନିକଟରେ ରାୟ ଦେବା ପାଇଁ ମାସେରୁ ଅଧିକ ସମୟ ରହିବ । ତେଣୁ ସର୍ବୋଚ୍ଚ ଅଦାଲତ ଆସନ୍ତା ନଭେମ୍ବରରେ ଏହି ମାମଲାରେ ରାୟ ଦେଇ ଉକ୍ତ ବିବାଦର ଅବସାନ କରିବେ ବୋଲି ଆଶା କରାଯାଉଛି ।
ସୂଚନାଯୋଗ୍ୟ ଯେ, ଅଶୀ ଦଶକରୁ ଅଯୋଧ୍ୟା ମାମଲାକୁ ନେଇ ଭାରତୀୟ ରାଜନୀତି ସବୁବେଳେ ସରଗରମ ହୋଇରହିଛି । ୧୯୯୨ ମସିହାରେ ବାବ୍ରି ମସଜିଦ୍ ଭଙ୍ଗା ଯିବା ପରେ ଏହି ବିବାଦ ଆହୁରି ଉଗ୍ର ହୋଇଥିଲା । ୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟ ଏହି ମାମଲାରେ ରାୟ ଦେଇ ୨.୭୭ ଏକର ପରିମିତ ବିବାଦୀୟ ଭୂମିକୁ ରାମ ଲଲା, ନିର୍ମୋହୀ ଅଖାଡ଼ା ଏବଂ ସୁନ୍ନି ୱାକଫ ବୋର୍ଡ ମଧ୍ୟରେ ସମାନ ଭାବେ ବାଣ୍ଟିଦେବାକୁ ରାୟ ଦେଇଥିଲେ । ଏହାକୁ ବିରୋଧ କରି ବିଭିନ୍ନ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ସର୍ବୋଚ୍ଚ ଅଦାଲତ ଗତ ୮ ବର୍ଷ ଧରି ଏସବୁ ମାମଲା ଉପରେ କୌଣସି ଶୁଣାଣି କରିନଥିଲେ । କିନ୍ତୁ ଚଳିତ ବର୍ଷ ଅଦାଲତ ପ୍ରଥମେ ମଧ୍ୟସ୍ଥତା ମାଧ୍ୟମରେ ଏହି ବିବାଦର ସମାଧାନ ବାହାର କରିବାକୁ ଉଦ୍ୟମ କରିଥିଲେ । ହେଲେ ତାହା ବିଫଳ ହେବା ପରେ ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣି ଆରମ୍ଭ କରିଥିଲେ । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ଏସ ଏ ବୋବଡେ, ବିଚାରପତି ଡି ୱାଇ ଚନ୍ଦ୍ରଚୂଡ, ବିଚାରପତି ଅଶୋକ ଭୂଷଣ ଏବଂ ବିଚାରପତି ଏସ ଅବଦୁଲ ନଜିରଙ୍କୁ ନେଇ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଏବେ ଶୁଣାଣି କରୁଛନ୍ତି ।


Comments are closed, but trackbacks and pingbacks are open.