ଜମ୍ୱୁ ସାମୁଦ୍ରିକ ପୁଲିସ ବାରାକ୍ରେ ଅଗ୍ନିକାଣ୍ଡ:ଜଳିଗଲେ ୨ ବୋଟ୍ମ୍ୟାନ୍

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): କେନ୍ଦ୍ରାପଡ଼ା ଜିଲ୍ଲାନ୍ତର୍ଗତ ଜମ୍ବୁ ସାମୁଦ୍ରିକ ଥାନାର ଖରିନାସୀସ୍ଥିତ ପୁଲିସ ବାରାକ୍ରେ ଘଟିଛି ଅଭାବନୀୟ ଘଟଣା । ରବିବାର ସକାଳେ ବାରାକ୍ରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଜଳି ଯାଇଛନ୍ତି ଦୁଇ ବୋଟ୍ମ୍ୟାନ । ବାରାକ୍ ରୋଷେଇଘରେ ସକାଳ ଜଳଖିଆ ପ୍ରସ୍ତୁତି ଚାଲିଥିବା ବେଳେ ଅଗ୍ନିକାଣ୍ଡ ଘଟିବାରୁ ଚାଲିଯାଇଛି ଦୁଇ ଅମୂଲ୍ୟ ଜୀବନ ।
ମୃତକ ଦୁହେଁ ହେଲେ ସାମୁଦ୍ରିକ ଥାନାର ବୋଟ୍ ଚାଳକ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ସୁଶାନ୍ତ କୁମାର ସାହୁ(୪୫) ଏବଂ ନୟାଗଡ଼ ରଣପୁରର ପ୍ରକାଶ ଚନ୍ଦ୍ର ସାମନ୍ତରାୟ(୪୦) । ଘଟଣାସ୍ଥଳରେ ପ୍ରକାଶଙ୍କର ମୃତୁ୍ୟ ହୋଇଥିବା ବେଳେ ସୁଶାନ୍ତଙ୍କର କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ମୃତୁ୍ୟ ହୋଇଥିଲା । ସୁଶାନ୍ତ ଏବଂ ପ୍ରକାଶ ଅବସରପ୍ରାପ୍ତ ସେନା କର୍ମଚାରୀ । ସେନାରୁ ଅବସର ନେବା ପରେ ଦୁହେଁ ରାଜ୍ୟ ପୁଲିସ ବିଭାଗରେ କାମ କରୁଥିଲେ । ୧୦୮ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବାରୁ ଗୁରୁତର ଆହତ ସୁଶାନ୍ତଙ୍କର ଜୀବନ ଚାଲିଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
ପ୍ରାପ୍ତ ସୂଚନା ଅନୁସାରେ, ଖରିନାସୀଠାରେ ଥିବା ଜମ୍ୱୁ ସାମୁଦ୍ରିକ ଥାନା ପୁଲିସ ବାରାକ୍ରେ ଏକାଠି ମିଳିମିଶି ରହୁଥିଲେ ୧୩ ଜଣ ନାବିକ କର୍ମଚାରୀ । ଏଠାରେ ୨ଟି ସ୍ପିଡ୍ ବୋଟ୍ ରହିଛି । ସେଥିରୁ ଗୋଟିଏ ବୋଟ୍ ପେଟ୍ରୋଲ ଏବଂ ଆରଟି ଡିଜେଲ୍ରେ ଚାଲୁଥିଲା । ଆଉ ଏଥିଲାଗି ଆବଶ୍ୟକ ପେଟ୍ରୋଲ ଏବଂ ଡିଜେଲ ଉକ୍ତ ବାରାକ୍ର ରୋଷେଇ ଘରେ ଗଚ୍ଛିତ ହୋଇ ରହୁଥିଲା ବୋଲି ଖବର ମିଳିଛି । ଏଥିସହ ସେମାନେ ରୋଷେଇ କରିବାକୁ ଗ୍ୟାସ୍ ସିଲିଣ୍ଡର, କେବେ କେମିତି ଷ୍ଟୋଭ୍ ବି ବ୍ୟବହାର କରୁଥିଲେ । ୨୦୧୧ ମସିହାରୁ ଏଠାରେ ରହିଆସୁଛନ୍ତି କର୍ମଚାରୀମାନେ । ସେମାନେ ବାରାକର ଗୋଟିଏ ଘରେ ରହୁଥିବା ବେଳେ ଅନ୍ୟ ଘରେ ରୋଷେଇ କରୁଥିଲେ । ପ୍ରତ୍ୟହ ରୋଷେଇ କରିବା ଭଳି ଆଜି ବି କରିଥିଲେ । ରବିବାର ଥିବାରୁ ମାଛ ବରାଦ ହୋଇ ଆସିଥିଲା ସଭିଏଁ ଖାଇବାକୁ । ସକାଳେ ସେମାନଙ୍କ ମଧ୍ୟରୁ କେତେଜଣ ଜଳଖିଆ ପ୍ରସ୍ତୁତ କରୁଥିଲେ । ସେତିକିବେଳେ ରୋଷେଇ ଘରେ ପ୍ରକାଶ ଓ ସୁଶାନ୍ତ ଥିଲେ । ଅନ୍ୟମାନେ ବାହାରେ ଥିଲେ । ସେମାନେ ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କରୁଥିବା ବେଳେ ସମ୍ଭବତଃ ଷ୍ଟୋଭ୍ ଫାଟିଯାଇଥିଲା ବୋଲି ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି । ତେବେ ଆଉ କିଛି ସ୍ଥାନୀୟ ଲୋକଙ୍କ କହିବା କଥା, ପୂର୍ବ ରାତିରୁ ଗ୍ୟାସ୍ ଲିକ୍ ହୋଇଯାଇଥିଲା । ସେମାନେ ରୋଷେଇ ଲାଗି ଚୁଲାରେ ଅଗ୍ନି ସଂଯୋଗ କରିବା ମାତ୍ରେ ବିସ୍ଫୋରଣ ହୋଇ ନିମିଷକ ମଧ୍ୟରେ ସବୁଆଡ଼କୁ ନିଆଁ ବ୍ୟାପି ଯାଇଥିଲା । ନିଅାଁକୁ ଅଧିକ ତେଜି ଦେଇଥିଲା ଘର ଭିତରେ ବୋଟ୍ରେ ବ୍ୟବହାର ଲାଗି ରହିଥିବା ଡିଜେଲ୍ ଓ ପେଟ୍ରୋଲ ଭର୍ତ୍ତି ଜାର୍କିନ୍ ।
ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ । ଗ୍ୟାସ୍ ଲିକ୍ ଯୋଗୁଁ ହୋଇଥାଉ ଅବା ଷ୍ଟୋଭ ଫାଟିବାରୁ ହୋଇଥାଉ, ଘରେ ଅଗ୍ନି ସଂଯୋଗ ହେବା ପରେ ପ୍ରକାଶ ଓ ସୁଶାନ୍ତ ଦୁହେଁ ଘରୁ ବାହାରକୁ ଆସିନପାରି ଭିତରେ ରହିଯାଇଥିଲେ । ଉଭୟ ରୋଷେଇ ଘର ଭିତରେ ପଡ଼ିଥିବା ଏକ ଖଟ ଉପରକୁ ଚଢ଼ି ଯାଇଥିବା କହିଛନ୍ତି ସେହିବାଟ ଦେଇ ଯାଉଥିବା ଶୁକଦେବ ପାଲ, ଶିବାକା ଦାସ ଓ ଟି. ମଣ୍ଡଳ ପ୍ରମୁଖ । ସେମାନେ ଘର ଭିତରେ ଜଳିଯାଉଥିବା ଦେଖି ବାହାରେ ଥିବା ସାଥୀମାନେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ସେମାନଙ୍କୁ ଘରୁ ଉଦ୍ଧାର କରିଥିଲେ । ଆମ୍ବୁଲାନ୍ସ ଡେରି କରିବାରୁ ଚିକିତ୍ସା ସୁବିଧା ମିଳିପାରିନଥିଲା ବୋଲି ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons