ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପୁରୀରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ସୁରକ୍ଷା ଜୋନ୍ ପାଇଁ ଉଚ୍ଛେଦରେ କ୍ଷତିଗ୍ରସ୍ତ ବାସଗୃହ ମାଲିକ, ଲଜ ମାଲିକଙ୍କ ସହ ଦୋକାନୀମାନେ ପାଇବେ ପ୍ୟାକେଜ୍ । ୨୦୧୩ ଥଇଥାନ ଓ ଅଧିଗ୍ରହଣ ଆଇନରେ ଥିବା ସୁବିଧା ସୁଯୋଗକୁ ଛାଡ଼ି ଅତିରିକ୍ତ ଭାବେ ଏ ସହାୟତା ପ୍ରଦାନ କରାଯିବ । ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ଅଞ୍ଚଳରେ ଥିବା ଜମି ଓ ଅନ୍ୟ ସମ୍ପତ୍ତି ଅଧିଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଏକ ସ୍ୱତନ୍ତ୍ର ଥଇଥାନ ଓ ପୁନର୍ବାସ ନୀତି ଘୋଷଣା କରିଛନ୍ତି । ପ୍ୟାକେଜରେ ସରକାର ବିସ୍ଥାପିତ ବାସଗୃହ ପାଇଁ ୩୦ ଲକ୍ଷ ଟଙ୍କା ପ୍ରଦାନ କରିବେ । ଏ ପରିମାଣର ସହାୟତା ରାଶି ରାଜ୍ୟରେ ସର୍ବାଧିକ ଏବଂ ଦେଶର ଯେ କୌଣସି ସହରର ବଜାର ମୂଲ୍ୟଠାରୁ ଯଥେଷ୍ଟ ଅଧିକ । ଲଜ୍ ମାଲିକମାନଙ୍କ ପାଇଁ ପ୍ରତି ବର୍ଗ ଫୁଟ ପିଛା ୨୫ ଟଙ୍କା ହିସାବରେ ମାସିକ ଆର୍ଥିକ ସହାୟତା ଘୋଷଣା କରାଯାଇଛି । ଏହି ପରିମାଣ ଦେଶର ବଡ଼ ବଡ଼ ସହରରେ ଥିବା ଆଇଟି କରିଡ଼ର ଠାରୁ ମଧ୍ୟ ଅଧିକ ବୋଲି ଦର୍ଶାଯାଇଛି ।
ଏପରିକି ଯେଉଁମାନେ ଏ ପ୍ୟାକେଜ୍ ବିଜ୍ଞପ୍ତି ପ୍ରକାଶର ୩୦ ଦିନ ମଧ୍ୟରେ ସ୍ୱତଃପ୍ରବୃତ୍ତ ଭାବେ ସୁରକ୍ଷା ଜୋନରେ ଥିବା ସମ୍ପତ୍ତି ହସ୍ତାନ୍ତର କରିବେ ସେମାନଙ୍କୁ ଏ ପ୍ୟାକେଜ ଅର୍ଥ ସହ ୧୦ଧ ଅଧିକ ଅର୍ଥ ମିଳିବ । ଶ୍ରୀମନ୍ଦିରର ସୁରକ୍ଷା ପାଇଁ ପୁରୀ ଜନସାଧାରଣ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ପ୍ୟାକେଜ୍ ଘୋଷଣା ବେଳେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଶ୍ରୀମନ୍ଦିର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଚତୁଃପାଶ୍ୱର୍ରେ ଏକ ସୁରକ୍ଷିତ ଅଞ୍ଚଳ ସୃଷ୍ଟି କରିବାକୁ କାର୍ଯ୍ୟାରମ୍ଭ କରିଛନ୍ତି । ଶ୍ରୀମନ୍ଦିର ଆମର ପ୍ରମୁଖ ଐତିହ୍ୟସ୍ଥଳୀ ହୋଇଥିବାରୁ ଏହାର ସୁରକ୍ଷାରେ କୌଣସି ସାଲିସ କରାଯାଇପାରିବ ନାହିଁ । ଏହାଛଡ଼ା ପୁରାତନ ମଠଗୁଡ଼ିକର ଗାଦି ଓ ପ୍ରମୁଖ ଦେବାଦେବୀ ପୀଠ ସଂରକ୍ଷିତ କରି ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଉଚ୍ଛେଦ ସବୁ ଘର ମାଲିକଙ୍କୁ କ୍ଷତିପୂରଣ: ଶ୍ରୀମନ୍ଦିରର ୭୫ ମିଟର ପରିସରରେ ଉଚ୍ଛେଦ ଅଭିଯାନ ଜାରି ରହିଥିବାରୁ କ୍ଷତିଗ୍ରସ୍ତ ସମସ୍ତ ବାସଗୃହ ମାଲିକମାନଙ୍କୁ ସ୍ୱତନ୍ତ୍ର ପ୍ୟାକେଜରେ ସହାୟତା ରାଶି ମିଳିବ । ୨୦୧୩ ଥଇଥାନ ନୀତିରେ ଥିବା ଆର୍ଥିକ ସୁବିଧାକୁ ଛାଡ଼ି ଏ ପ୍ୟାକେଜରେ ଅତିରିକ୍ତ ଭାବେ ସହାୟତା ମିଳିବ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ସୁରକ୍ଷା ଜୋନରୁ ସ୍ଥାନାନ୍ତରିତ ପରିବାରଗୁଡ଼ିକୁ ପରିବହନ ତଥା ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ତୁରନ୍ତ ୫୦ ହଜାର ଟଙ୍କା ନଗଦ ଆକାରରେ ମିଳିବ । ବିସ୍ଥାପିତ ପରିବାରଗୁଡ଼ିକ ବାସଗୃହ କିମ୍ବା ଜମି ପାଇବା ଯାଏ ମାସିକ ୧୦ ହଜାର ଟଙ୍କାର ଘରଭଡ଼ା ପାଇବେ । ତେବେ ଯେଉଁମାନେ ଏକକାଳୀନ ସହାୟତା ନେବେ ସେମାନଙ୍କୁ ଏ ଘରଭଡ଼ା ମିଳିବ ନାହିଁ ।
ପୁନର୍ବାସ ଯୋଜନାରେ ପ୍ରତି ବିସ୍ଥାପିତ ପରିବାରକୁ ତିନି ପ୍ରକାର ସହାୟତା ମଧ୍ୟରୁ ଗୋଟିଏକୁ ଇଛାଧୀନ ଭାବେ ବାଛିବାକୁ ହେବ । ଏହି ୩ ପ୍ରକାର ସହାୟତା ହେଲା (୧)ବାସଗୃହ ହରାଇଥିବା ପରିବାର ଏକକାଳୀନ ୩୦ ଲକ୍ଷ ଟଙ୍କାର ସହାୟତା ପାଇପାରିବେ । (୨)ମନ୍ଦିରର ୧.୫ କିମି ଅଞ୍ଚଳ ମଧ୍ୟରେ ପ୍ରସ୍ତାବିତ ପୁନର୍ବାସ ଓ ଥଇଥାନ କଲୋନିରେ ୫୨୦ ବର୍ଗଫୁଟ ପରିମିତର ଘର ପାଇବେ । (୩) ଶ୍ରୀମନ୍ଦିରର ୨ କିମି ମଧ୍ୟରେ ୪୦ଙ୍ଘ୨୫ ଫୁଟର ଜାଗା ମିଳିବ । ନିଜ ଇଛା ଅନୁସାରେ ଗୋଟିଏ ସହାୟତାକୁ କ୍ଷତିଗ୍ରସ୍ତ ପରିବାର ବାଛିବେ ।
ଉଚ୍ଛେଦ ଦୋକାନ ପାଇଁ ସହାୟତା: ଯେଉଁ ଦୋକାନ ମାଲିକମାନେ ଉଚ୍ଛେଦ ଯୋଗୁଁ ନିଜ ଦୋକାନ ଘର ହରାଇ ଜୀବିକା ସଂକଟରେ ପଡ଼ିଛନ୍ତି ସେମାନଙ୍କୁ ସହଯୋଗ କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି । ୨୦୧୩ ଥଇଥାନ ନୀତିକୁ ଛାଡ଼ି ଏହା ଅତିରିକ୍ତ ଭାବେ ଦେବେ ସରକାର । ଦୋକାନୀମାନେ ପରିବହନ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଏକକାଳୀନ ୫୦ ହଜାର ଟଙ୍କା ପାଇବେ । ଏହାଛଡ଼ା ଦୋକାନ ଘର ପାଇଁ ଦୁଇ ପ୍ରକାର ସହାୟତା ଘୋଷଣା କରାଯାଇଛି । ଏଥିରୁ କ୍ଷତିଗ୍ରସ୍ତ ଦୋକାନ ମାଲିକମାନେ ଗୋଟିଏକୁ ଇଛାଧୀନ ଭାବେ ବାଛିବେ । (୧) ୨୦୦ ବର୍ଗଫୁଟରୁ କମ୍ (ନିର୍ମାଣ ଅଞ୍ଚଳ) ଦୋକାନ ଘରକୁ ମାସିକ ୫ ହଜାର, ୨୦୦ରୁ-୫୦୦ ବର୍ଗଫୁଟ ଦୋକାନ ଘର ପାଇଁ ମାସିକ ୧୦ ହଜାର ଏବଂ ୫୦୦ ବର୍ଗଫୁଟରୁ ଅଧିକ ଦୋକାନ ଘର ପାଇଁ ମାସିକ ୧୫ ହଜାର ଟଙ୍କା ଘରଭଡ଼ା ଆକାରରେ ପାଇବେ । (୨) ଜିଲ୍ଲାପାଳଙ୍କ ସହାୟତାରେ ପୁରୀର ବିଭିନ୍ନ ମାର୍କେଟ କଂପ୍ଲେକ୍ସରେ ଉପଲବ୍ଧ ଦୋକାନ ଘର ଦିଆଯିବ । ସୁରକ୍ଷା ଜୋନରେ ଥିବା ପ୍ରତି ଦୋକାନ ଘର ପାଇଁ ପୁନର୍ବାସ ଯୋଜନାରେ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।
ଲଜ୍ ଅଧିଗ୍ରହଣ ପାଇଁ ପାକେଜ୍: ମନ୍ଦିର ସୁରକ୍ଷା ପାଇଁ ୭୫ ମିଟର ଜୋନରୁ ଉଚ୍ଛେଦ ହେବାକୁ ଥିବା ଲଜ୍ ମାଲିକମାନଙ୍କୁ ସରକାର ପ୍ୟାକେଜ୍ ଯୋଗାଇଦେବେ ବୋଲି ଘୋଷଣା କରିଛନ୍ତି । ୨୦୧୩ ଥଇଥାନ ଆଇନକୁ ଛାଡ଼ି ଅଧିକ ଭାବେ ଏଥିରେ ଅର୍ଥ ଓ ସହଯୋଗ ମିଳିବ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ଯେଉଁ ଲଜ୍ ଗୁଡ଼ିକ ୧୫୦୦ ବର୍ଗଫୁଟରୁ ଅଧିକ ସେମାନଙ୍କ ପାଇଁ ଏ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ ନୀତିରେ କ୍ଷତିପୂରଣ ବ୍ୟବସ୍ଥା କରାଯାଇଛି । ୩ ହଜାର ବର୍ଗଫୁଟରୁ ଅଧିକ ପରିମିତ ଅଞ୍ଚଳରେ ଥିବା ଲଜ୍ଗୁଡ଼ିକ ୧୦ ଲକ୍ଷ ଟଙ୍କା ଏବଂ ୩ ହଜାର ବର୍ଗଫୁଟରୁ କମ୍ ଅଞ୍ଚଳରେ ଥିବା ଲଜଗୁଡ଼ିକୁ ତୁରନ୍ତ ୫ ଲକ୍ଷ ଟଙ୍କାର ସହାୟତା ମିଳିବ । ଏହାଛଡ଼ା ପ୍ରତି ଲଜ୍କୁ ବର୍ଗଫୁଟ ପିଛା ୨୫ ଟଙ୍କା ଲେଖାଏଁ ମାସିକ ଆର୍ଥିକ ସହାୟତା ଦିଆଯିବ । ଏ ସହାୟତା ୧୮ ମାସ ଯାଏ ମିଳିବ । ପୁନର୍ବାସ ସହାୟତାରେ ଲଜ ମାଲିକମାନେ ନିଜ ଲଜର ନିର୍ମାଣ ଏରିଆ ଅନୁସାରେ ପ୍ରତି ବର୍ଗଫୁଟ ପାଇଁ ୨ ହଜାର ଟଙ୍କା ଲେଖାଏଁ ଏକକାଳୀନ ନେଇପାରିବେ । କିମ୍ବା ବଡ଼ଦାଣ୍ଡର ଉଭୟ ପାଶ୍ୱର୍ର ୩୦୦ ମିଟର ମଧ୍ୟରେ ସେମାନେ ଚାହିଁଲେ ୫୦ଙ୍ଘ ୩୦, ୫୦ଙ୍ଘ ୪୦, ୫୦ଙ୍ଘ ୬୦ ବର୍ଗଫୁଟ ଜାଗା ଯୋଗାଇ ଦିଆଯିବ । ଏଥିରେ ଲଜ୍ ନିର୍ମାଣ ପାଇଁ ବର୍ଗଫୁଟ ପିଛା ୭୫୦ ଟଙ୍କା ଲେଖାଏଁ ସରକାର ସହାୟତା ଯୋଗାଇଦେବେ ।
ସେହିଭଳି ଅସ୍ଥାୟୀ କ୍ଷୁଦ୍ର ବ୍ୟବସାୟୀଙ୍କୁ ମଧ୍ୟ ଏକକାଳୀନ ୩୦ ହଜାର ଟଙ୍କାର ସହାୟତା ମିଳିବ । ଏହାଛଡ଼ା ସେମାନଙ୍କ ବ୍ୟବସାୟ ପାଇଁ ଜିଲ୍ଲାପାଳ ନିର୍ଦ୍ଧାରିତ ଜାଗା ସ୍ଥାନ ଯୋଗାଇଦେବେ ।
ମଠ କୀର୍ତ୍ତିରାଜିର ସଂରକ୍ଷଣ କରାଯିବ: ମଠଗୁଡ଼ିକର ସଂରକ୍ଷଣ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି, ସୁରକ୍ଷିତ ଜୋନ୍ ମଧ୍ୟରେ ଥିବା ମଠ ପାଇଁ ଲକ ବିସ୍ତୃତ ଥଇଥାନ, ସଂରକ୍ଷଣ ଓ ପୁନର୍ବାସ ବ୍ୟବସ୍ଥା କରାଯାଇଛି । ପୁରୀ ଜିଲ୍ଲାପାଳ ସଂପୃକ୍ତ ପକ୍ଷ ସହ ଆଲୋଚନା କରି ନିଷ୍ପତ୍ତି ନେବେ । ପ୍ରତି ମଠର ସ୍ୱତନ୍ତ୍ର ପରିଚୟ ଥିବାରୁ ସେଗୁଡ଼ିକର ପୁନର୍ବିନ୍ୟାସ ସମୟରେ ସଂପୃକ୍ତ ମଠର କୀର୍ତ୍ତିରାଜି ସଂରକ୍ଷଣ କରାଯିବା ସହ ଶ୍ରୀମନ୍ଦିରରେ ସେମାପାଇଁ ସେମାନଙ୍କର ଥିବା ପାରମ୍ପରିକ ବ୍ୟବସ୍ଥା ବଜାୟ ରହିବ । ଏହି ମଠଗୁଡ଼ିକରେ ପାର୍କିଂ ବ୍ୟବସ୍ଥା ସହ ସେମାନଙ୍କ ଆର୍ଥିକ ସୁରକ୍ଷା ପାଇଁ ମାର୍କେଟ କଂପ୍ଲେକ୍ସଗୁଡ଼ିକରେ ଦୋକାନ ଘର ଯୋଗାଇ ଦିଆଯିବ । ଏହି ପ୍ୟାକେଜ୍ ଜିଲ୍ଲାପାଳଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯିବ । ଜିଲ୍ଲାପାଳ ସଂପୃକ୍ତ ପକ୍ଷମାନଙ୍କ ସହ ଆଲୋଚନା କରି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସହ ଅନୁମୋଦନକ୍ରମେ ଏହି ପ୍ୟାକେଜରେ ଆବଶ୍ୟକସ୍ଥଳେ ପରିବର୍ତ୍ତନ କରିପାରିବେ ।
ଶ୍ରୀମନ୍ଦିରର ସୁରକ୍ଷା ଓ ବିକାଶକୁ ଗୁରୁତ୍ୱ ଦେଇ ଜଷ୍ଟିସ ବିମଳ ପ୍ରସାଦ ଦାସ କମିଶନଙ୍କ ପ୍ରସ୍ତାବକୁ ଗ୍ରହଣ କରି ସୁରକ୍ଷା ଜୋନ୍ ଗଢ଼ିବାକୁ ଉଚ୍ଛେଦ ଅଭିଯାନ ଆରମ୍ଭ କରିଛନ୍ତି । ପୁରୀର ଜନସାଧାରଣ ଏଥିରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।
Comments are closed, but trackbacks and pingbacks are open.