ନୂଆଦିଲ୍ଲୀ: ରବିବାର ପାକ୍ ସେନା ଆକ୍ରମଣରେ ଏଲଓସି ନିକଟରେ ଭାରତର ଜଣେ ଯବାନ ସହିଦ ହୋଇଥିଲେ । ସୋମବାର ଆଉ ଦୁଇ ଜଣ ଯବାନ ମୋର୍ଟାର ମାଡରେ ଆହତ ହୋଇଥିଲେ । ଭାରତୀୟ ସେନା କିନ୍ତୁ ତାହାର ଜବାବ ଦେଇଛି । ସୋମବାର ଦିନ ହିଁ ଭାରତୀୟ ସେନା ଏଲଓସି ନିକଟରେ ଥିବା ପାକିସ୍ତାନୀ ସେନାର କିଛି ପୋଷ୍ଟଗୁଡିକୁ ଟାର୍ଗେଟ କରି ଭୟଙ୍କର ଆକ୍ରମଣ କରିଛି । ଏହାଯୋଗୁ ପାକ୍ ସେନାର ୫ଟି ପୋଷ୍ଟ ଧ୍ୱଂସ ହୋଇଥିଲାବେଳେ ୩ ଜଣ ସୈନିକ ନିହତ ହୋଇଛନ୍ତି ଏବଂ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।
ରିପୋର୍ଟ ଅନୁଯାୟୀ, ପାକ୍ ସେନା ଭାରତର ପୁଞ୍ଚ ଜିଲା ସଂଲଗ୍ନ ଶାହପୁର ଏବଂ ସବଜିଆନ ସେକ୍ଟରରେ ପ୍ରବଳ ଗୁଳିଗୋଳା ମାଡ଼ କରୁଥିଲା । ଏହାଯୋଗୁ ଶାହପୁର ସେକ୍ଟରରେ ରବିବାର ଜଣେ ଯବାନ ସହିଦ ହୋଇଥିଲେ । ତାଙ୍କର ପରିଚୟ ୨୩ ବର୍ଷୀୟ ଗ୍ରେନେଡିୟର ହେମରାଜ ଜାଠ ବୋଲି କୁହାଯାଇଥିଲା । ସେ ରାଜସ୍ଥାନର ଆଜମେର ଜିଲାର ବାସିନ୍ଦା ଥିଲେ ଏବଂ ତାଙ୍କ ପରିବାରରେ କେବଳ ତାଙ୍କର ମାଆ ଅଛନ୍ତି । ସେହିପରି ସୋମବାର ସବଜିଆନ ସେକ୍ଟରରେ ଭାରତର ଆଉ ଦୁଇ ଜଣ ଯବାନ ଆହତ ହୋଇଥିଲେ । ପାକିସ୍ତାନର ମୋର୍ଟାର ମାଡ଼ରେ ଗୋଟିଏ ଧାର୍ମିକ ସ୍ଥଳୀ ବି କ୍ଷତିଗ୍ରସ୍ତ ହୋଇଥିଲା । ଏହାଯୋଗୁ ସୀମାବର୍ତ୍ତୀ ଅଞ୍ଚଳର ଲୋକେ ଭୟଭୀତ ହୋଇ ବଙ୍କରରେ ଆଶ୍ରୟ ନେଇଥିଲେ । ଏହାପରେ ଭାରତୀୟ ସେନା ପାକ୍ ସେନାକୁ ସାବାଡ଼ କରିବା ପାଇଁ ଜବାବୀ କାର୍ଯ୍ୟାନୁÂାନ ଗ୍ରହଣ କରିଥିଲା । ପାକ୍ ସେନା ଯେଉଁ ପୋଷ୍ଟଗୁଡିକରୁ ଭାରତର ଅଞ୍ଚଳ ଉପରକୁ ଗୁଳିଗୋଳା ମାଡ଼ କରୁଥିଲା, ଭାରତୀୟ ସେନା ସେଗୁଡିକୁ ଟାର୍ଗେଟ କରିଥିଲା ଯାହାଯୋଗୁ ପାକ୍ ସେନାର ବ୍ୟାପକ କ୍ଷୟକ୍ଷତି ହୋଇଥିବାର କୁହାଯାଇଛି ।
Comments are closed, but trackbacks and pingbacks are open.