୭୭୦ ପଏଣ୍ଟ ଖସିଲା ସେନ୍ସେକ୍ସ : ନିବେଶକ ହରାଇଲେ ୨.୬୦ ଲକ୍ଷ କୋଟି

Get real time updates directly on you device, subscribe now.

ମୁମ୍ବାଇ:ଦୁର୍ବଳ ମାକ୍ରୋ ଅର୍ଥନୈତିକ ତଥ୍ୟ ଦେଶର ପୁଞ୍ଜି ବଜାରକୁ ପ୍ରଭାବିତ କରିଛି । ମଙ୍ଗଳବାର ଏଥିରେ ରେକର୍ଡ ହ୍ରାସ ଘଟିଛି । କାରବାର ଶେଷରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସ୍ଇ) ସେନ୍ସେକ୍ସରେ ୭୭୦ ପଏଣ୍ଟ ହ୍ରାସ ଘଟିଛି । ଫଳରେ ଏହା ୩୬,୫୬୩ ପଏଣ୍ଟକୁ ଖସିଆସିଛି । ଅନ୍ୟପକ୍ଷରେ, ନ୍ୟାସ୍ନାଲ ଷ୍ଟକ୍ ଏକ୍ସଚେଞ୍ଜ(ଏନ୍ଏସ୍ଇ) ନିଫ୍ଟିରେ ୨୨୫ ପଏଣ୍ଟ ହ୍ରାସ ଘଟି ୧୦,୭୯୮ ପଏଣ୍ଟରେ ବନ୍ଦ ହୋଇଛି । ଫଳରେ ଗୋଟିଏ ଦିନରେ ନିବେଶକମାନେ ୨.୬୦ ଲକ୍ଷ କୋଟି ଟଙ୍କା ହରାଇଛନ୍ତି । ବିଏସ୍ଇ ତାଲିକାଭୁକ୍ତ କମ୍ପାନିଙ୍କ ବଜାର ପୁଞ୍ଜି ୧୩୮.୩୮ ଲକ୍ଷ କୋଟି ଟଙ୍କାକୁ ହ୍ରାସ ଘଟିଛି । ଅଗଷ୍ଟ ୩୦ରେ ଏହା ୧୪୦.୯୮ ଲକ୍ଷ କୋଟି ଟଙ୍କା ରହିଥିଲା ।
ଶୁକ୍ରବାର ଜିଡିପି ତଥ୍ୟ ପ୍ରକାଶ ପାଇବା ପରେ ଏହା ନିବେଶକଙ୍କୁ ନିରାଶ କରିଛି । କ୍ରମାଗତ ପଞ୍ଚମ ତ୍ରୟମାସ ପାଇଁ ଦେଶର ଜିଡିପି ଅଭିବୃଦ୍ଧିରେ ହ୍ରାସ ଘଟିଛି । ଏହା ୬ ବର୍ଷର ସର୍ବନିମ୍ନ ସ୍ତର ୫ଧକୁ ଖସିଆସିଛି । ଏହା ସହିତ ଭିତ୍ତିଭୂମି ଅଭିବୃଦ୍ଧି ମଧ୍ୟ ନିରାଶାଜନକ ରହିଛି । ଏସବୁ କାରଣରୁ ପୁଞ୍ଜି ବଜାର ନିମ୍ନମୁଖୀ ହୋଇଥିବା ଆଇସିଆଇସିଆଇ ବ୍ୟାଙ୍କର ଜଣେ ଅର୍ଥନୀତିଜ୍ଞ ପ୍ରକାଶ କରିଛନ୍ତି । ଏଭଳି ସ୍ଥିତିରେ ଏକ ବ୍ୟବସ୍ଥିତ ମୁଦ୍ରାନୀତିର ଆବଶ୍ୟକତା ରହିଥିବା ସେ ପ୍ରକାଶ କରିଛନ୍ତି ।
ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ମଧ୍ୟ ପୁଞ୍ଜି ବଜାରକୁ ପ୍ରଭାବିତ କରିଛି । ଅଗଷ୍ଟରେ ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍ପିଆଇ) ପୁଞ୍ଜି ବଜାରରୁ ୫,୯୨୦ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି । ଏହା ମଧ୍ୟ ବଜାରକୁ ପ୍ରଭାବିତ କରିଛି । ଅଟୋମୋବାଇଲ ଶିଳ୍ପରେ ମାନ୍ଦାବସ୍ଥା ଯୋଗୁ କମ୍ପାନିଗୁଡିକର ସେୟାର ମୂଲ୍ୟରେ ହ୍ରାସ ଘଟିଛି । ଫଳରେ ସେନ୍ସେକ୍ସ ନିମ୍ନମୁଖୀ ହୋଇଥିବା ଜଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons