ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଜୁଲାଇ ୫ରେ ହେବ ରାଜ୍ୟସଭା ଉପନିର୍ବାଚନ । ଓଡ଼ିଶାରୁ ଖାଲି ହୋଇଥିବା ୩ଟି ଆସନ ସମେତ ମୋଟ ୬ଟି ଆସନ ପାଇଁ ଏହି ଉପନିର୍ବାଚନ ହେବ । ଏଥିପାଇଁ ଆସନ୍ତା ୧୮ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ନିର୍ବାଚନ ଆୟୋଗଙ୍କ ଏହି ଘୋଷଣା ସହ ରାଜ୍ୟସଭା ଉପନିର୍ବାଚନ ପାଇଁ ବାଜିଛି ବିଗୁଲ୍ ।
ଏହାକୁ ନେଇ ବିଜେଡିରେ ଆଶାୟୀ ନେତାଙ୍କ ଭିତରେ ଉକ୍ରଣ୍ଠା ବଢ଼ିଯାଇଛି । ଆରମ୍ଭ ହୋଇଛି ରାଜ୍ୟସଭା ଟିକେଟ କସରତ । ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକଙ୍କ ସପ୍ତାହ ବ୍ୟାପି ଦିଲ୍ଲୀ ଗସ୍ତ ଆଜି ସରିଥିବାବେଳେ ଖୁବଶୀଘ୍ର ସେ ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରନ୍ତି ।
ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ଏହି ଉପନିର୍ବାଚନ ପାଇଁ ଆସନ୍ତା ୨୫ ତାରିଖରେ ନାମାଙ୍କନ ଦାଖଲ ସରିବ । ୨୬ରେ ନାମାଙ୍କନ ପତ୍ର ଯାଞ୍ଚ୍ ହେବ । ୨୮ ତାରିଖରେ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ରଖାଯାଇଛି । ଆସନ୍ତା ୫ ଜୁଲାଇରେ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ୍ ହେବ । ସେଦିନ ଅପରାହ୍ନ ୫ଟାରେ ଗଣତି କରାଯିବ । ଆଜି ନିର୍ବାଚନ କମିଶନ ଏ ନେଇ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି ।
ରାଜ୍ୟସଭାରେ ଖାଲି ପଡ଼ିଥିବା ଓଡ଼ିଶାର ୩ଟି, ଗୁଜରାଟର ୨ଟି ଓ ବିହାରର ଗୋଟିଏ ଆସନ ଖାଲି ପଡ଼ିଥିବାବେଳେ ଏଥିପାଇଁ ଉପନିର୍ବାଚନ ହେବ । ଅଚ୍ୟୁତାନନ୍ଦ ସାମନ୍ତ, ପ୍ରତାପ କେଶରୀ ଦେବ ଓ ସୌମ୍ୟ ରଞ୍ଜନ ପ;ନାୟକ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଓଡ଼ିଶାରୁ ୩ଟି ଆସନ ଖାଲି ହୋଇଥିଲା । ବିଜେଡି ଟିକେଟରେ ଅଚ୍ୟୁତ କନ୍ଧମାଳ ଲୋକସଭା ଆସନରୁ ନିର୍ବାଚିତ ହୋଇଥିବାବେଳେ ଆଳି ବିଧାନସଭା ଆସନରୁ ପ୍ରତାପ ଓ ଖଣ୍ଡପଡ଼ାରୁ ସୌମ୍ୟ ଜିତିବା ପରେ ରାଜ୍ୟସଭା ଆସନ ଛାଡ଼ିଥିଲେ । ରାଜ୍ୟସଭାରେ ଖାଲି ହୋଇଥିବା ଏହି ୩ ଆସନ ମଧ୍ୟରୁ ଅଚ୍ୟୁତଙ୍କ କାର୍ଯ୍ୟକାଳ ୨୦୨୪ ଏପ୍ରିଲ ୩ ପର୍ଯ୍ୟନ୍ତ ଅଛି । ପ୍ରତାପଙ୍କ କାର୍ଯ୍ୟକାଳ ୨୦୨୨ ଜୁଲାଇ ପହିଲା ଓ ସୌମ୍ୟଙ୍କ କାର୍ଯ୍ୟକାଳ ସରୁଛି ୨୦୨୪ ମସିହା ଏପ୍ରିଲ ୩ ତାରିଖରେ । ଅର୍ଥାତ୍ ଖାଲି ହୋଇଥିବା ଅଚ୍ୟୁତ ଓ ସୌମ୍ୟଙ୍କ ଆସନର କାର୍ଯ୍ୟକାଳ ଆହୁରି ପ୍ରାୟ ୫ ବର୍ଷ ରହିଛି । ପ୍ରତାପଙ୍କ କାର୍ଯ୍ୟକାଳ ପ୍ରାୟ ୩ ବର୍ଷ ବାକି ଅଛି ।
ସେହିପରି ଲୋକସଭାକୁ ନିର୍ବାଚିତ ହେବା ପରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ରାଜ୍ୟସଭାରୁ ଇସ୍ତଫା ଦେଇଥିବାବେଳେ ବିହାରରେ ଗୋଟିଏ ଆସନ ପାଇଁ ଉପନିର୍ବାଚନ ହେବ । ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଲୋକସଭାକୁ ନିର୍ବାଚିତ ହେବା ପରେ ସେ ଛାଡ଼ିଥିବା ରାଜ୍ୟସଭା ଆସନ ପାଇଁ ଗୁଜରାଟରେ ଉପନିର୍ବାଚନ ହେବ । ସେହିପରି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଜୁବେନ୍ ଇରାନି ଛାଡ଼ିଥିବା ଆସନ ପାଇଁ ଗୁଜରାଟରେ ଉପନିର୍ବାଚନ କରାଯିବ । ରବିଶଙ୍କର ଛାଡ଼ିଥିବା ଆସନର କାର୍ଯ୍ୟକାଳ ୨୦୨୪ ଏପ୍ରିଲ ୨ ପର୍ଯ୍ୟନ୍ତ ଓ ଶାହ ଖାଲି କରିଥିବା ଆସନର କାର୍ଯ୍ୟକାଳ ୨୦୨୩ ଅଗଷ୍ଟ ୧୮ରେ ସରିବ । ସ୍ମୃତି ଛାଡ଼ିଥିବା ଆସନର କାର୍ଯ୍ୟକାଳ ସରିବ ୨୦୨୩ ମସିହା ଅଗଷ୍ଟ ୧୮ ତାରିଖରେ ।
ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢ଼ିଯାଇଛି । ବିଧାନସଭାରେ ସଂଖ୍ୟାରେ ବିଜେଡି ବହୁ ଆଗରେ ଥିବାରୁ ଦଳ ପାଇଁ ଏହି ଉପନିର୍ବାଚନ ବଡ଼ ସମସ୍ୟା ହୋଇନପାରେ । ତେବେ ନବୀନ କାହାକୁ ରାଜ୍ୟସଭା ପଠାଇବେ, ଏଯାଏଁ ସ୍ପଷ୍ଟ ହୋଇନାହିଁ । ବିଧାନସଭା ଟିକେଟରୁ ବଞ୍ଚିତ କେତେକ ନେତା ଓ ପରାଜୟର ସାମ୍ନା କରିଥିବା ଟାଣୁଆ ନେତାଙ୍କ ନାମ ସମ୍ଭାବ୍ୟ ତାଲିକାରେ ଅଛି । ଏହାବାଦ୍ କୌଣସି ନୂଆ ମୁହଁକୁ ବି ସୁଯୋଗ ମିଳିପାରେ ।
Comments are closed, but trackbacks and pingbacks are open.