ବିପଦରେ ଢିଙ୍କିଆ ଗାଁ:୧୫ ଦିନରେ ସମୁଦ୍ର ଗିଳିଲା ଶହେ ମିଟର

Get real time updates directly on you device, subscribe now.

ପାରାଦୀପ,(ବି.ବି.ନୁ୍ୟଜ୍): ମାତ୍ର ୧୫ ଦିନ ଭିତରେ କୂଳ ଲଂଘି ଢିଙ୍କିଆ ଗ୍ରାମାଞ୍ଚଳରେ ପ୍ରାୟ ଶହେ ମିଟର ଖାଇଯାଇଛି ସମୁଦ୍ର । ଏହାକୁ ନେଇ ସମୁଦ୍ର କୂଳରେ ଥିବା ଢିଙ୍କିଆ ଗ୍ରାମର ଶତାଧିକ ପାନ ଚାଷୀ ଏବେ ଭୟ ଓ ଆଶଙ୍କାରେ । ଆଇଓସିଏଲ୍ ନିର୍ମାଣ ସମୟରେ ସମୁଦ୍ର ଭିତରୁ ଡେ଼୍ରଜିଂ ମାଧ୍ୟମରେ ବାଲି ଖୋଳାଯାଇଥିଲା । ସେଥି ଯୋଗୁଁ ସୃଷ୍ଟି ହୋଇଥିବା ଖାଲି ସ୍ଥାନକୁ ପୂରଣ କରିବାକୁ ସମୁଦ୍ର କୂଳ ଆଡ଼କୁ ମାଡ଼ିଆସୁଥିବା ଗାଁ ଲୋକେ ଏବେ ଅଭିଯୋଗ କରିଛନ୍ତି ।
ଲଗାତାର ବର୍ଷା ଯୋଗୁଁ ସମୁଦ୍ରରେ ଜଳପତ୍ତନ ବଢୁଛି । ଜୁଆର ମଧ୍ୟ ପ୍ରବଳ ଉଠୁଛି । ଗତ କେଇ ବର୍ଷ ହେଲା ସମୁଦ୍ର ସ୍ଥଳ ଭାଗ ଆଡ଼କୁ ମାଡ଼ି ମାଡ଼ି ଆସୁଛି । ୧୦ ବର୍ଷ ଭିତରେ ପ୍ରାୟ ୫ଶହ ମିଟରରୁ ଅଧିକ ଖାଇଥିବା ବେଳେ ଚଳିତ ବର୍ଷ ମାତ୍ର ୧୫ ଦିନରେ ସମୁଦ୍ର ଖାଇଛି ପ୍ରାୟ ୧୦୦ ମିଟର । ଏହା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି । କାରଣ ସମୁଦ୍ରକୂଳ ବାଲିଆ ଜାଗା ଦେଖି ଢିଙ୍କିଆ ଅଞ୍ଚଳର ଅଧିକାଂଶ ଲୋକ ପାନ ବରଜ କରି ପାନ ଚାଷ କରୁଛନ୍ତି । ପୁରୁଷ ପୁରୁଷ ଧରି ସେମାନେ ପାନ ଚାଷ କରୁଛନ୍ତି । ସ୍ଥାନୀୟ ପୁରୁଖା ଲୋକଙ୍କ କହିବା ଅନୁସାରେ, ଆଗରୁ ପ୍ରାୟ ଦେଢ କିଲୋମିଟର ସମୁଦ୍ର ଭିତରକୁ ସ୍ଥଳଭାଗ ଥିଲା । ଧୀରେ ସମୁଦ୍ର ଖାଇ ଖାଇ କୂଳ ଲଂଘିଲା । ୧୦ ବର୍ଷ ଭିତରେ ପ୍ରାୟ ୫ଶହ ମିଟର ଖାଇଲାଣି । କିଛିବର୍ଷ ତଳେ ଆଇଓସିଏଲ୍ ନିର୍ମାଣ ପାଇଁ ସମୁଦ୍ର ଭିତରୁ ବାଲି ଡେ଼୍ରଜିଂ କରାଯାଇଥିଲା । ଆଇସିଏଲ୍ ନିର୍ମାଣ ବେଳେ ଏହା ଖାଲୁଆ ଜାଗା ଥିବାରୁ ପୋତିବାକୁ ଏହାକୁ ବିଭିନ୍ନ କମ୍ପାନି ଡେ଼୍ରଜିଂ କରି ୪ହଜାର ଏକର ଜାଗାକୁ ପୋତିଥିଲେ । ସମୁଦ୍ରରୁ ଏତେ ପରିମାଣର ବାଲି କଢାଯିବାରୁ ସମୁଦ୍ର ଖାଲୁଆ ହୋଇଗଲା । ଧୀରେ ଧୀରେ ସମୁଦ୍ର ତା’ର ଖାଲୁଆ ଜାଗାକୁ ପୋତିବାକୁ ଯାଇ କୂଳରେ ଥିବା ବାଲିକୁ ନିଜ ଭିତରକୁ ଟାଣିନେଉଛି । ଢିଙ୍କିଆ ଗ୍ରାମରୁ ଆଉ ଅଳ୍ପ ଦୂରରେ ଜଟାଧାର ମୁହାଣ ଥିବା ବେଳେ ଅର୍ଦ୍ଧ ନିର୍ମିତ କୋଷ୍ଟାଲ୍ ହାଇୱେ ଶେଷ ମୁଣ୍ଡର କିଛି ଦୂରରେ ଏକ ଘାଇ ସୃଷ୍ଟି ହୋଇଥିଲା । ସେହି ଜାଗାରେ ଥିବା ସୁଉଚ୍ଚ ବାଲିବନ୍ଧ ସେହି ଘାଇକୁ ସୁରକ୍ଷା ଦେବା ସହ ସାରା ଢିଙ୍କିଆ ଗ୍ରାମକୁ ସୁରକ୍ଷା ଯୋଗାଉଥିଲା । ମାତ୍ର ସେହି ବାଲିବନ୍ଧ ଏବେ ଖାଇ ଯାଇ ବିପଦ ସୃଷ୍ଟି କରୁଛି । ହେଲେ ଚଳିତବର୍ଷ କୂଳ ଯେଭଳି ଖାଇଛି ମହାବାତ୍ୟା ସମୟରେ ମଧ୍ୟ କୂଳ ଏତେ ଖାଇ ନ ଥିଲା । ଏପରିକି କୂଳଠାରୁ ଆଉ ମାତ୍ର ୫୦ ମିଟର ଦୂରରେ ପାନ ବରଜ ଥିବା ବେଳେ ଆଉ ଯଦି ଆଗକୁ ବର୍ଷା ବଢେ ଓ ଜୁଆର ଅଧିକ ଶକ୍ତିଶାଳୀ ହୁଏ ତେବେ ପାନବରଜ କ୍ଷତିଗ୍ରସ୍ତ ହେବ । ଏପରିକି ଢିଙ୍କିଆ ଗ୍ରାମ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେବା ସହ ଆଇଓସିଏଲ୍ ମଧ୍ୟ ବୁଡ଼ିବା ନେଇ ଆଶଙ୍କା ଦେଖାଦେଇଛି । ତେଣୁ ଏବେଠାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons