ଭୁଶୁଡ଼ିଲା ହାଇସ୍କୁଲ ଉପର ମହଲା ତାଜା : ଅଳ୍ପକେ ବର୍ତ୍ତିଲେ ୫୦ ଛାତ୍ରୀ

Get real time updates directly on you device, subscribe now.

ରଣପୁର, (ବି.ବି.ନୁ୍ୟଜ୍): ନୟାଗଡ଼ ଜିଲ୍ଲା ରଣପୁର ଏନ୍ଏସି ଅନ୍ତର୍ଗତ ବ୍ରଜେନ୍ଦ୍ର ଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟର ଉପର ମହଲା ଛାତରୁ ପ୍ରାୟ ୧୦୦ ଫୁଟ ଲମ୍ବର ଏକ ତାଜା ଭୁଶୁଡ଼ି ପଡ଼ିଛି । ସୌଭାଗ୍ୟବଶତଃ ୫୦ରୁ ଅଧିକ ଛାତ୍ରୀ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ତେବେ ଏ ସମ୍ପର୍କରେ ବ୍ଲକ୍ ଶିକ୍ଷାଧିକାରୀଙ୍କ ପାଖରେ ଖବର ନଥିବା ଜଣାଯାଇଛି । ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଖବରରୁ ପ୍ରକାଶ ଯେ, ଆଜି ଶନିବାର ଥିବାରୁ ସକାଳ ପ୍ରାୟ ସାଢେ଼ ୬ଟା ସମୟରେ ନବମ ଶ୍ରେଣୀର ପ୍ରାୟ ୫୦ ଜଣ ଛାତ୍ରୀ ଆସି ଶ୍ରେଣୀ ଗୃହରେ ବସିଥିଲେ । ଏହି ସମୟରେ ଦୀର୍ଘ ଦିନ ଧରି ନିର୍ମାଣାଧୀନ ଥିବା ଉପର ମହଲାର ପ୍ରାୟ ୧୦୦ ଫୁଟ ଲମ୍ବର ତାଜା ଭୀଷଣ ଶଦ୍ଧ କରି ଛାତ ଉପରେ ପଡ଼ିଥିଲା । ସେହି ସମୟରେ ଛାତ୍ରୀମାନେ ପ୍ରାର୍ଥନା କରିବା ପାଇଁ ପଡ଼ିଆକୁ ଯିବାକୁ ବାହାରିଥିଲେ । ସୌଭାଗ୍ୟବଶତଃ ତାଜା ଓ କାନ୍ଥ ପଥର ସେମାନଙ୍କ ଉପରେ ପଡ଼ିନଥିଲା । ଫଳରେ ଛାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ ।
ଆହୁରି ଜଣାପଡ଼ିଛି ଯେ, ୨୦୧୧-୧୨ ମସିହାରେ ରଣପୁର ବାଳିକା ହାଇସ୍କୁଲ ପରିସରରେ ଏକ ଶ୍ରେଣୀ ଗୃହ ନିର୍ମାଣ ହୋଇଥିଲା । ନିର୍ମାଣ ଶେଷ ହେବା ପରେ ସେହି ଶ୍ରେଣୀ ଗୃହରେ ଛାତ୍ରୀମାନେ ଅଧ୍ୟୟନ କରୁଥିଲେ । ପରେ ବିଦ୍ୟାଳୟରେ ଗୃହ ଅଭାବ ହେତୁ ଉପର ମହଲା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଇତିମଧ୍ୟରେ ୭ ବର୍ଷ ବିତିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ । ସେତେବେଳେ ଏହି ଗୃହକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ମାଣ କରୁଥିଲା । ଦୀର୍ଘଦିନ ପରେ ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ନ ହେବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ତେଣୁ ବର୍ଷକ ତଳେ ଏହି ନିର୍ମାଣ କାର୍ଯ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗରୁ ପୂର୍ତ୍ତ ବିଭାଗକୁ ସ୍ଥାନାନ୍ତର ହୋଇଥିଲା । ଇତିମଧ୍ୟରେ ବାଳିକା ହାଇସ୍କୁଲଟି ନିକଟରେ ଥିବା ବି.ସି. ହାଇସ୍କୁଲରେ ମିଶି ଯାଇଥିଲା । ଫଳରେ ଏହି ବାଳିକା ବିଦ୍ୟାଳୟଟି ବି.ସି. ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ଅଧୀନସ୍ଥ ହୋଇଥିଲା । ଏବେ ପୁଣି ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ ଦେଖାଯିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ତ୍ତ ବିଭାଗକୁ ଉପର ମହଲା ନିର୍ମାଣ ପାଇଁ ଅନୁରୋଧ କରିଥିଲେ । କିନ୍ତୁ ତଳ ମହଲାର ମୂଳଦୁଆ ଠିକ୍ ନ ଥିବାରୁ ଉପର ମହଲାରେ ଛାତ ପକାଇବା ସମ୍ଭବ ନୁହେଁ ବୋଲି ପୂର୍ତ୍ତ ବିଭାଗ ମତ ଦେଇଥିଲା । ସେଥି ପାଇଁ ଉପର ମହଲାରେ ଟିଣ ପକାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିଛି ଦିନ ଧରି ଏହି କାର୍ଯ୍ୟ ମଧ୍ୟ ଚାଲିଥିଲା । ଗତ ଚାରି ଦିନ ଧରି ରଣପୁରରେ ପ୍ରବଳ ବର୍ଷା ସାଙ୍ଗକୁ ଶୁକ୍ରବାର ରାତିରେ ଲଗାଣ ବର୍ଷା ଯୋଗୁ ନିର୍ମାଣାଧୀନ ଘରର ଖୁଣ୍ଟ ଓ ତାଜା ପାଣିରେ ଭିଜି ଆଜି ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଏ ସମ୍ପର୍କରେ ବି.ସି. ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁଙ୍କୁ ପଚରାଯିବାରେ ତାଜା ଭୁଶୁଡ଼ିବା ଘଟଣାକୁ ସେ ସ୍ୱୀକାର କରିଛନ୍ତି । ତେବେ ବ୍ଲକ୍ ଶିକ୍ଷା ଅଧିକାରୀ ଉପେନ୍ଦ୍ରନାଥ ସାହୁଙ୍କୁ ଘଟଣା ସମ୍ପର୍କରେ ପଚରାଯିବାରୁ ସେ ତାଜା ଭୁଶୁଡ଼ିବା କଥା ଜାଣିନାହାନ୍ତି ବୋଲି ପ୍ରକାଶ କରିଥିଲେ । ଦିନ ସାଢେ଼ ୧୦ଟା ସମୟରେ ବି.ସି. ହାଇସ୍କୁଲ ପରିସରରେ ଥିବା ବାଳିକା ପ୍ରାଥମିକ ବିଦ୍ୟାଳୟରେ ଆମ ପ୍ରତିନିଧି ପହଞ୍ଚô ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଭେଟି ତାଙ୍କ ମତାମତ ନେବାକୁ ଚାହିଁବାରୁ ସେ ମନିଟରିଂରେ ଅଛନ୍ତି ଓ ପରେ ଆସ ବୋଲି କହିଥିଲେ । ବିଦ୍ୟାଳୟର ବିପଦସଙ୍କୁଳ ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନେ ବସୁଥିଲା ବେଳେ ବିଦ୍ୟାଳୟ ଠାରୁ ମାତ୍ର ୫୦୦ ମିଟର ଦୂରରେ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରହିଛି । ତେବେ ତାଜା ଭୁଶୁଡ଼ିବା ସମ୍ପର୍କରେ ସେ ନ ଜାଣିବା ଘଟଣା ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ସୂଚନାଯୋଗ୍ୟ ଯେ, ୨୦୧୨ ମସିହାରେ ରଣପୁର ସୁଅାଁସିଆ ସାହି ବିଦ୍ୟାଳୟ କାନ୍ଥ ଭୁଶୁଡ଼ି ଯିବାରୁ ସେଠାରେ ଅଧ୍ୟୟନ କରୁଥିବା ୭ ଅଙ୍ଗନବାଡ଼ି ଶିଶୁଙ୍କର ମୃତୁ୍ୟ ଘଟିଥିଲା । ସେତେବେଳେ ଏହି ଘଟଣା ସାରା ଓଡିଶାରେ ଚହଳ ସୃଷ୍ଟି କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons