ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜଧାନୀରେ ଥମୁନି ଧଳାଜହର(ବ୍ରାଉନ୍ସୁଗର) କାରବାର । ଆଜି ପୁଣି ବ୍ରାଉନ୍ସୁଗର ଜବତ ହୋଇଛି । ଖଣ୍ଡଗିରି ଥାନା ପୁଲିସ ଦୁଇ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୪ ଗ୍ରାମର ବ୍ରାଉନ୍ସୁଗର ଓ ଏକ ସ୍କର୍ପିଓ ଗାଡ଼ି ଜବତ କରିଛି । ଗିରଫ ଦୁଇ ବେପାରୀ ହେଲେ ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ଲୋକେଶ୍ୱରପୁରର ବଣ୍ଟି ଓରଫ ଟୁକୁଲୁ ଓରଫ ହରପ୍ରସାଦ ଦାସ(୨୪) ଓ କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ୍-୮ ନାରାୟଣୀ ବସ୍ତିର ପି.ସୁବ୍ରତ ରାଓ ଓରଫ ଚନ୍ଦୁ(୩୪) ।
ପୁଲିସ ସୂଚନା ଅନୁଯାୟୀ, ଆଜି ସକାଳେ ଚନ୍ଦୁ ଓ ବଣ୍ଟି ଏକ ସ୍କର୍ପିଓ(ଓଆର୦୨ଏଏସ୍-୭୬୦୫)ରେ ବ୍ରାଉନ୍ସୁଗର ଆଣି ୟୁନିଟ୍-୮ ବଏଜ୍ ହାଇସ୍କୁଲ ପଡ଼ିଆ ନିକଟରେ ଗ୍ରାହକଙ୍କୁ ଅପେକ୍ଷା କରି ଛିଡ଼ା ହୋଇଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବରପାଇ ପୁଲିସ ସେଠାରେ ଚଢ଼ଉ କରିଥିଲା । ଚନ୍ଦୁ ଓ ବଣ୍ଟିଙ୍କ ଠାରୁ ୧୪ ଗ୍ରାମର ବ୍ରାଉନ୍ସୁଗର ମିଳିଥିଲା । ଯାହାର ମୂଲ୍ୟ ୧ ଲକ୍ଷ ୪୦ ହଜାର ଟଙ୍କା ହେବ । ପୁଲିସ ସ୍କର୍ପିଓ ଗାଡ଼ି ସହ ଉଭୟଙ୍କୁ ଧରି ଥାନାକୁ ନେଇଥିଲା । ଜେରାବେଳେ ସେମାନେ ଜଳେଶ୍ୱରରୁ ବ୍ରାଉନ୍ସୁଗର ଆଣି ଖୋର୍ଦ୍ଧା ସମେତ ରାଜଧାନୀରେ କାରବାର କରନ୍ତି ବୋଲି ସୂଚନା ଦେଇଥିଲେ । ଉଭୟ ଦୀର୍ଘଦିନ ଧରି ଏହି କାରକାର କରି ଆସୁଥିଲେ । ଲାଭ ଟଙ୍କାରେ ସ୍କର୍ପିଓ କିଣିଥିଲେ । ଦାମୀ ପୋଷାକ ସାଙ୍ଗକୁ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ । ଯୋଡ଼ି ହୋଇ କେହି ଜାଣି ନ ପାରିବା ଭଳି ସ୍କର୍ପିଓ ଗାଡ଼ିରେ ବ୍ରାଉନ୍ସୁଗର ଆଣି ଗ୍ରାହକଙ୍କ ନିକଟରେ ପହଞ୍ଚାଇ ଦେଉଥିଲେ ।
ପୁଲିସ ତଦନ୍ତରୁ ଚନ୍ଦୁ ଜଣେ ହତ୍ୟାକାରୀ ବୋଲି ଜଣା ପଡ଼ିଛି । ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ନୂଆପଲ୍ଲୀ ସାଲିଆସାହିରେ ୨୦୧୧ ମସିହା ସେପ୍ଟେମ୍ବର ୨୬ରେ ଜଣେ ଯୁବକଙ୍କୁ ଅପହରଣ କରି ହତ୍ୟା କରା ଯାଇଥିଲା । ଚନ୍ଦୁ ଉକ୍ତ ହତ୍ୟାକାଣ୍ଡରେ ସଂପୃକ୍ତ ଥାଇ ଗିରଫ ହାଇ ଜେଲ୍ ଯାଇଥିଲେ । ଜାମିନରେ ଆସିବରେ ପରେ ସେ ପୁଣି ଅପରାଧ ଜଗତରେ ପାଦ ଥାପିଥିଲେ । ଶେଷରେ ବଣ୍ଟି ସହ ମିଶି ସେ ବ୍ରାଉନ୍ସୁଗର କାରବାର କରୁଥିଲେ । ପୁଲିସ ଚନ୍ଦୁ ଓ ବଣ୍ଟିଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।
Comments are closed, but trackbacks and pingbacks are open.