ଦିଗପହଣ୍ଡି, (ବି.ବି.ନୁ୍ୟଜ୍): କୁକୁଡ଼ା ଫାର୍ମ ହାଉସରେ ନକଲି ମଦ କାରଖାନା । ତିଆରି ହେଉଥିଲା ବିଭିନ୍ନ ବ୍ରାଣ୍ଡ୍ର ବିଦେଶୀ ମଦ । ଶନିବାର ରାତି ୮ଟାରେ ଏହି ନକଲି ମଦ କାରଖାନା ଉପରେ ଚଢ଼ଉ କରି ପୁଲିସ ୪ ଜଣଙ୍କୁ ଗିରଫ କରିଛି । ସଂପୃକ୍ତ ମାମଲାରେ ମାଷ୍ଟର ମାଇଣ୍ଡ ଫେରାର୍ ହୋଇଯାଇଥିବା ବେଳେ ଭୀଷ୍ମଗିରି ବଡ଼ ସାହିର ହୃଷୀକେଶ ଗୌଡ଼(୩୫), ତାରସିଂ ଥାନା ଅନ୍ତର୍ଗତ ବାଦାଙ୍ଗି ଗ୍ରାମର ପ୍ରଦୀପ ସାହୁ(୨୮), ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଫୁଲସୁନ୍ଦରୀ ସାହିର ଟୁଟୁ ଦାସ, ଦିଗପହଣ୍ଡି ଥାନା ଅନ୍ତର୍ଗତ ପେଣ୍ଡୁରାବାଡି ଗ୍ରାମର ଦଣ୍ଡପାଣି ଡାକୁଆଙ୍କୁ ଗିରଫ କରାଯାଇଥିବା ଆଇଆଇସି ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି । ଘଟଣା ସ୍ଥଳରୁ ୪୬ କାର୍ଟୁନ୍ ବିଦେଶୀ ମଦ ବୋତଲ, ୮୦ ଲିଟର ଥିବା ସାତଟି ସ୍ପିରିଟ୍ ଜାର୍କିନ୍, ସ୍ପିରିଟ୍ ୨୮୦ ଲିଟର, ବଟଲିଂ ମେସିନ୍ ଗୋଟିଏ, ଏମ୍ସି ରମ୍, ଇମ୍ପେରିଏଲ୍ ବ୍ଲୁ(ଆଇବି), ମେଗ୍ଡଲ୍-୧, ରିଜର୍ଭ ହୁଇସ୍କି ଭଳି ବିଭିନ୍ନ ବ୍ରାଣ୍ଡର ଲେବଲ୍, ଖାଲି ବୋତଲ ୧୦ ବ୍ୟାଗ୍, ଗୋଟିଏ ଫନେଲ୍ ଓ ରସାୟନିକ ରଙ୍ଗ ତିନି ଲିଟର ସହ ଗୋଟିଏ ଅଟୋକୁ ମଧ୍ୟ ଜବତ ହୋଇଥିବା ଥାନା ଅଧିକାରୀ କହିଛନ୍ତି । ଦିଗପହଣ୍ଡି ଥାନା ମାମଲା ୧୭୫ା୧୯ ଆଇପିସି ଦଫା ୨୭୨, ୨୭୩ ଓ ୩୪ ଏବଂ ଅବକାରୀ ଆଇନ ଧାରା ୫୨ (ଏ), ୫୫, ୫୯(ଡି) ଅନୁଯାୟୀ ମକଦ୍ଧମା ରୁଜୁ କରାଯାଇ କୋର୍ଟ ଚଲାଣ କରାଯାଇଥିବା ଆଇଆଇସି ସୂଚନା ଦେଇଛନ୍ତି । ବ୍ରହ୍ମପୁର ଅତିରିକ୍ତ ଏସ୍ପି ପି.କେ.ମିଶ୍ର, ଚିକିଟି ଏସ୍ଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ ଦିଗପହଣ୍ଡି ଥାନାରେ ପହଞ୍ଚି ଏ ସଂପର୍କରେ ଛାନ୍ଭିନ୍ କରୁଛନ୍ତି । ଏହି ଚଢ଼ଉରେ ଏସ୍ଆଇ ମାଧବାନନ୍ଦ ଟାକ୍ରି, ମଧୁସ୍ମିତା ପ୍ରଧାନ, ଏଏସ୍.ଆଇ ଦିଲ୍ଲୀପ କୁମାର ସାହୁ ବି.ଲକ୍ଷ୍ମଣ ରେଡି ପ୍ରମୁଖ ସାମିଲ୍ ହୋଇଥିଲେ ।
ଦିଗପହଣ୍ଡି ଆଇଆଇସିଙ୍କ ସୂଚନା ପ୍ରକାରେ ଏହି ଥାନା ଅନ୍ତର୍ଗତ ପେଣ୍ଡୁରାବାଡି ଗ୍ରାମ ନିକଟ ଏକ କୁକୁଡ଼ା ଫାର୍ମ ହାଉସ୍ରେ ଏହି ନକଲି ମଦ କାରଖାନା ଚାଲିଥିଲା । ସମ୍ପୃକ୍ତ ଅଭିଯୁକ୍ତମାନେ ଏହି କାରଖାନାରୁ ନକଲି ମଦ ପ୍ରସ୍ତୁତି କରି ନିଜର ସାମ୍ରାଜ୍ୟ ବିସ୍ତାର କରିବା ପାଇଁ ଯୋଜନା ଚଳାଇଥିଲେ । ଗତ ଏକ ସପ୍ତାହ ହେଲା ଏ ସବୁ ପ୍ରସ୍ତୁତି କାରବାର ଚାଲିଥିଲା । କୌଣସି ସୂତ୍ରରୁ ଏହି କାରବାର ସମ୍ପର୍କରେ ଦିଗପହଣ୍ଡି ଆଇଆଇସିଙ୍କ ନିକଟରେ ସୂଚନା ପହଞ୍ଚିଥିଲା । ଆଇଆଇସି ବସନ୍ତ କୁମାର ସେଠୀ ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ଚଢ଼ଉ କରିଥିଲେ । ତେବେ ହୋମିଓପ୍ୟାଥିକ୍ ଔଷଧରୁ ଏହି ମଦ ପ୍ରସ୍ତୁତ ହେଉଥିଲା । ପରେ ବୋତଲ୍ରେ ଭର୍ତ୍ତି କରି ଅତି ନିଖୁଣ ଭାବେ ସିଲ୍ କରାଯାଉଥିଲା । ଗୋଟିଏ ମଦ ବୋତଲ ପ୍ରସ୍ତୁତ କରିବାକୁ ୪୦ରୁ ୪୫ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହାକୁ ୧୪୫ଟଙ୍କାରେ ବିକ୍ରି କରୁଥିଲେ ଅଭିଯୁକ୍ତ । ଏତେ ପରିମାଣର ଇଥାଇଲ୍ ଅଭିଯୁକ୍ତ କେଉଁଠୁ ଆଣୁଥିଲେ ଏବଂ କେଉଁ ହୋମିଓପ୍ୟାଥିକ୍ ସଂସ୍ଥାରୁ ଏତେ ପରିମାଣର ସାମଗ୍ରୀ ଆସୁଥିଲା ପୁଲିସ ତଦନ୍ତ କରୁଛି ।
ପୂର୍ବରୁ କୁକୁଡ଼ାଖଣ୍ଡି ଅଞ୍ଚଳରେ ଏକ ହୋଟେଲ୍ରେ ମଧ୍ୟ ନକଲି ବିଦେଶୀ ପ୍ରସ୍ତୁତି କାରଖାନା ଧରିବା ସହ ବିପୁଳ ପରିମାଣର ପ୍ରସ୍ତୁତି ସାମଗ୍ରୀ ଜବତ କରିଥିଲା । ତେବେ ନକଲି ମଦ ପ୍ରସ୍ତୁତ କରିବାରେ ଓସ୍ତାଦ ଥିବା ଅଭିଯୁକ୍ତଙ୍କ ଉପରେ ଏବେ ପୁଲିସ ନଜର ପକାଇଛି ।
Comments are closed, but trackbacks and pingbacks are open.