ନୂଆଦିଲ୍ଲୀ: ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ୪ଟିରେ ପରିଣତ ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ଆଜି ଯଥାର୍ଥ ଦର୍ଶାଇଛନ୍ତି ଅର୍ଥ ସଚିବ ରାଜୀବ କୁମାର । ସେ କହିଛନ୍ତି, ଦେଶ ପାଇଁ ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଯଥେଷ୍ଟ । ଦେଶବାସୀଙ୍କ ଆର୍ଥିକ ଆବଶ୍ୟକତାକୁ ପରିଚାଳନା କରିବାରେ ଏହା ସମର୍ଥ ହୋଇପାରିବ । ନବ ଭାରତର ଉଦେ୍ଧଶ୍ୟକୁ ଏହା ପୂରଣ କରିପାରିବ ।
ସରକାରଙ୍କ ବ୍ୟାଙ୍କ ମିଶ୍ରଣ ଅଭିଯାନକୁ ଉଚିତ ଦର୍ଶାଇ କୁମାର କହିଛନ୍ତି, ଏହାଦ୍ୱାରା ଦେଶରେ ବୃହତ୍ ବିଶ୍ୱଶ୍ରେଣୀୟ ବ୍ୟାଙ୍କ ସୃଷ୍ଟି ହେବ । ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସଂଖ୍ୟା ୨୭ରୁ ୧୨କୁ କମିବ । ଦେଶ ପାଇଁ ଏହି ସଂଖ୍ୟକ ବ୍ୟାଙ୍କ ଯଥେଷ୍ଟ । ଉଲ୍ଲେଖଯୋଗ୍ୟ, ଗତମାସ ୩୦ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧୦ଟି ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ୪ଟିରେ ପରିଣତ କରାଯିବ ବୋଲି ଘୋଷଣା କରିଥିଲେ । ଏହାଦ୍ୱାରା ୬ଟି ବ୍ୟାଙ୍କ ନିଜ ସତ୍ତା ହରାଇବେ ।
ଅର୍ଥ ସଚିବ କହିଛନ୍ତି, ସରକାରଙ୍କ ଏ ନିଷ୍ପତ୍ତି ଘରୋଇ ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବା ପାଇଁ ସହାୟକ ହେବ । ପରବର୍ତ୍ତୀ ପର୍ଯ୍ୟାୟ ଅଭିବୃଦ୍ଧିକୁ ଇନ୍ଧନ ଯୋଗାଇବା ଲାଗି ଦେଶକୁ ବୃହତ୍ ବ୍ୟାଙ୍କର ଆବଶ୍ୟକତା ରହିଛି । ଛୋଟବଡ଼ ହୋଇ ଗୁଡ଼ାଏ ବ୍ୟାଙ୍କର କୌଣସି ଆବଶ୍ୟକତା ନାହିଁ । ଆମ ନିକଟରେ ଏବେ ୬ଟି ବୃହତ୍ ତଥା ଅନ୍ତର୍ଜାତୀୟ ମାନର ବ୍ୟାଙ୍କ ରହିବ । ପୁଞ୍ଜି ଓ ଆକାର ଦୃଷ୍ଟିରୁ ଅଭିବୃଦ୍ଧିକୁ ସମର୍ଥନ କଲା ଭଳି ସାମର୍ଥ୍ୟ ଏମାନଙ୍କର ରହିବ ।
ଅନ୍ତର୍ଜାତୀୟ ବ୍ୟାଙ୍କଗୁଡ଼ିକ ସହ ତାଳ ମିଳାଇ ଏମାନେ ମୋଟା ଅଙ୍କର ବ୍ୟବସାୟ କରିବାକୁ ସମର୍ଥ ହେବେ । ସେମାନଙ୍କର ପହଞ୍ଚ ଓ ପରିସର ବ୍ୟାପକ ହେବ । ଋଣ ଯୋଗାଣ ସାମର୍ଥ୍ୟ ସୁଦୃଢ଼ ହେବ । ଗ୍ରାହକଙ୍କୁ ବିଶ୍ୱସ୍ତରୀୟ ଟେକ୍ନୋଲୋଜି ଭିତ୍ତିକ ସେବା ଯୋଗାଇବାରେ ସେମାନେ ଆଉ ପଛୁଆ ହେବନାହିଁ । ଗ୍ରାହକମାନେ ଏହାଦ୍ୱାରା ବିଶେଷ ଉପକୃତ ହେବେ ବୋଲି ଅର୍ଥ ସଚିବ କହିଛନ୍ତି ।
Comments are closed, but trackbacks and pingbacks are open.