ନୂଆଦିଲ୍ଲୀ: ପାକିସ୍ତାନକୁ ବାଦ୍ ଦେଇ ଦକ୍ଷିଣ ଏସିଆରେ ଭାରତ ଏକ ନୂଆ ଅର୍ଥନୈତିକ ବ୍ଲକ ଗଠନ କରିବାକୁ ପ୍ରୟାସ ଚଳାଇଛି । ସାଉଥ ଏସିଆ ସବ୍ -ରିଜିଓନାଲ ଇକୋନୋମିକ କୋଅପରେସନ (ସାସେକ) ନାମରେ ଏହି ବ୍ଲକ୍ ଗଠନ ହେବ । ଏଥିରେ ଭାରତ ସମେତ ମ୍ୟାଁମାର, ବାଂଲାଦେଶ, ନେପାଳ, ଭୂଟାନ, ଶ୍ରୀଲଙ୍କା ଓ ମାଳଦ୍ୱୀପ ଭଳି ଦକ୍ଷିଣ ଏସୀୟ ରାଷ୍ଟ୍ରମାନେ ସାମିଲ ହେବେ । କିନ୍ତୁ ଏଥିରେ ଦକ୍ଷିଣ ଏସିଆର ଅନ୍ୟତମ ରାଷ୍ଟ୍ର ପାକିସ୍ତାନକୁ ସାମିଲ କରାଯିବ ନାହିଁ । ପରସ୍ପର ଭିତରେ ଆର୍ଥିକ ସହଯୋଗକୁ ବ୍ୟାପକ କରିବା ହେଉଛି ଏହି ନୂଆ ବ୍ଲକ୍ ଗଠନର ମୁଖ୍ୟ ଉଦେ୍ଧଶ୍ୟ । ଆସନ୍ତା କିଛିମାସ ଭିତରେ ନୂଆଦିଲ୍ଲୀରେ ଏହି ସବୁ ଦେଶର ଅର୍ଥମନ୍ତ୍ରୀମଙ୍କ ବୈଠକ ବସିବ । ସେଥିରେ ନୂଆ ବ୍ଲକର ରୂପରେଖ ଓ ଏଜେଣ୍ଡା ପ୍ରସ୍ତୁତ କରାଯିବ । ଆଞ୍ଚଳିକ ଅଖଣ୍ଡତା ଓ ସହଯୋଗ ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ଏସୀୟ ଉନ୍ନୟନ ବ୍ୟାଙ୍କର ଅଧ୍ୟକ୍ଷ ତାକେହିକୋ ନାକାଓ ପ୍ରକାଶ କରିଛନ୍ତି । ୨୦୦୧ରେ ସାସେକର ମୂଳଦୂଆ ପଡିଥିଲା । ସେତେବେଳେ ଭାରତ, ବାଂଲାଦେଶ, ନେପାଳ ଓ ଭୁଟାନ ପରସ୍ପର ଭିତରେ ଆର୍ଥିକ ସହଯୋଗକୁ ଅଧିକ ମଜଭୁତ କରିବା ଲାଗି ଆଗ୍ରହ ପ୍ରକାଶ କରିଥିଲେ । ପରସ୍ପରର ସହଯୋଗ ଯୋଗୁ ଏସିଆ ମହାଦେଶ ଆର୍ଥିକ କ୍ଷେତ୍ରରେ ସୁଦୃଢ଼ ହୋଇପାରିବ ବୋଲି ସେମାନେ ଏକମତ ହୋଇଥିଲେ । ସେହିଭଳି ୨୦୧୪ରେ ମାଳଦ୍ୱୀପ ଓ ୨୦୧୭ରେ ଶ୍ରୀଲଙ୍କା ଏହି ବ୍ଲକ୍ରେ ସାମିଲ ହେବାକୁ ସମ୍ମତି ପ୍ରଦାନ କରିଥିଲେ । ଅବଶ୍ୟ ୨୦୧୭ରେ ସାସେକ ବ୍ଲକ୍ର ମନ୍ତ୍ରୀମାନଙ୍କ ମଧ୍ୟରେ ଅନୌପଚାରିକ ପ୍ରଥମ ବୈଠକ ବସିଥିଲା । ମାତ୍ର ତା’ପରେ କଥାବାର୍ତ୍ତା ଆଗକୁ ବଢ଼ିପାରିନାହିଁ । ବର୍ତ୍ତମାନ ଭାରତ କଥାବାର୍ତ୍ତା ଆଗକୁ ବଢ଼ାଇବାକୁ ପ୍ରୟାସ ଆରମ୍ଭ କରିଛି ।
Comments are closed, but trackbacks and pingbacks are open.