ଭୁବନେଶ୍ୱର,(ବି.ବି.ବୁ୍ୟରୋ): ହାତୀ ପ୍ରେମୀଙ୍କ ପାଇଁ ଦୁଃଖଦ ଖବର । ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଥିବା ଏକ ମାତ୍ର ଦନ୍ତା ହାତୀ ‘ଚନ୍ଦନ’ ଆଖି ବୁଜିଛି । ହରପିସ୍ ଭାଇରସ୍ ସଂକ୍ରମଣରୁ ଚନ୍ଦନର ମୃତୁ୍ୟ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି । ନନ୍ଦନକାନନରେ ୨୦ ଦିନ ତଳେ ମାଈ ହାତୀ ‘ଜୁଲି’ ହର୍ପିସ୍ ସଂକ୍ରମଣରେ ଆକ୍ରାନ୍ତ ହୋଇ ମୃତୁ୍ୟ ବରଣ କରିଥିଲା । ଆଜି ଚନ୍ଦନର ମୃତୁ୍ୟ ପରେ ଅନ୍ୟ ହାତୀଙ୍କୁ ହର୍ପିସ ଭାଇରସ୍ ସଂକ୍ରମଣ ହେବା ଆଶଙ୍କା ପ୍ରକାଶ ପାଇଛି । ତେଣୁ ଏଠାରେ ଥିବା ଅନ୍ୟ ୬ ହାତୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଯୋଜନା କରାଯାଇଥିବା ନନ୍ଦନକାନନ ଉପନିଦେ୍ର୍ଧଶକ ଜୟନ୍ତ ଦାଶ କହିଛନ୍ତି ।
ଚନ୍ଦନ ଗତ ୧୩ ତାରିଖ ଅପରାହ୍ନରେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲା । ତା’ ଶରୀରର ତାପମାତ୍ରା ବୃଦ୍ଧି ପାଇଥିଲା । ନାକରୁ ପାଣି ବାହାରିଥିଲା । ସେ ହାଲିଆ ହୋଇ ଘୁମାଇ ରହିଥିଲା । ଠିକ୍ ଭାବେ ଖାଦ୍ୟ ଗ୍ରହଣ କରିନଥିଲା । ଏହା ଜାଣିବା ପରେ ନନ୍ଦନକାନନର ଚିକିତ୍ସକ ଦଳ ତାକୁ ପ୍ରତିଷେଧକ ଓ ଜ୍ୱର କମିବା ପାଇଁ ଟୀକା ଦେଇଥିଲେ । ସାଲାଇନ୍ ମଧ୍ୟ ଦିଆଯାଇଥିଲା । ଚନ୍ଦନକୁ ସ୍ୱତନ୍ତ୍ର ଭାବେ ରଖାଯାଇ ଚିକିତ୍ସା କରାଯାଉଥିଲା । ହେଲେ ଡାକ୍ତର ଟିମ୍ଙ୍କର ସମସ୍ତ ଉଦ୍ୟମ ବିଫଳ ହୋଇଛି । ରବିବାର ଭୋର ୩ଟା ୪୦ ମିନିଟ୍ରେ ଚିକିତ୍ସାଧୀନ ଅବସ୍ଥାରେ ଚନ୍ଦନର ମୃତୁ୍ୟ ଘଟିଛି ।
ଆଜି ଶବ ବ୍ୟବଚ୍ଛେଦବେଳେ ସେ ଆକୁ୍ୟଟ୍ ହାମ୍ରେଜିକ୍ ଡିଜିଜ୍(ହର୍ପିସ୍ ଭାଇରସ୍)ରେ ଆକ୍ରାନ୍ତ ହୋଇ ମୃତୁ୍ୟ ବରଣ କରିଥିବା ଜଣା ପଡ଼ିଥିଲା । ଚନ୍ଦନର ଶବ ବ୍ୟବଚ୍ଛେଦ କରିଥିବା ଓୟୁଏଟିର ପ୍ରଫେସର ଡା. ସୁଶେନ୍ କୁମାର ପଣ୍ଡାଙ୍କ ସୂଚନା ଅନୁଯାୟୀ, ହର୍ପିସ୍ ଭାଇରସ୍ ସଂକ୍ରମଣ ଅଧିକାଂଶ ଛୋଟ ହାତୀ ବା କମ୍ ବୟସର ହାତୀଙ୍କୁ ହୋଇଥାଏ । କ୍ୱୋଚିତ୍ ବଡ଼ ହାତୀଙ୍କୁ ଏହି ରୋଗ ହୋଇଥାଏ । ଏହି ରୋଗ ବର୍ତ୍ତମାନ ଏସିଆ ମହାଦେଶରେ ଅଧିକାଂଶ ଛୁଆ ହାତୀଙ୍କଠାରେ ଦେଖାଯାଉଛି । ପ୍ରଥମଥର ଲାଗି ନନ୍ଦନକାନନରେ ଏହିରୋଗରେ ଆକ୍ରାନ୍ତ ହୋଇ ମାଈ ହାତୀ ଜୁଲିର ମୃତୁ୍ୟ ଘଟିଥିଲା । ହର୍ପିସ୍ ଭାଇରସ୍ ସଂକ୍ରମଣ ହେଲେ ଫୁସ୍ଫୁସ୍, ଖାଦ୍ୟନଳୀ ଓ ଶରୀର ଭିତରେ ଥିବା ବିଭିନ୍ନ ଅଂଗରୁ ରକ୍ତ ବାହାରିଥାଏ । ଫଳରେ ହାତୀ ଖାଦ୍ୟପେୟ ଗ୍ରହଣ ନ କରି ମୃତୁ୍ୟବରଣ କରିଥାଏ । ପ୍ରଫେସର ଶ୍ରୀ ପଣ୍ଡାଙ୍କ କହିବା ଅନୁଯାୟୀ, ନନ୍ଦନକାନନରେ ୨୦ ଦିନ ବ୍ୟବଧାନରେ ହର୍ପିସ୍ ଭାଇରସ୍ ସଂକ୍ରମଣରେ ଦୁଇ ଦୁଇଟି ହାତୀଙ୍କ ମୃତୁ୍ୟ ଘଟିବା ପରେ ଏଠାରେ ଥିବା ଅନ୍ୟ ହାତୀମାନଙ୍କୁ ମଧ୍ୟ ସଂକ୍ରମଣ ହେବା ଆଶଙ୍କା ରହିଛି । ତେଣୁ ଏଠାରୁ ହାତୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ।
୨୦୧୦ ଜୁଲାଇ ୨୮ ତାରିଖରେ ଚନ୍ଦନକୁ ନନ୍ଦନକାନନ ଅଣାଯାଇଥିଲା । ତାକୁ ଚନ୍ଦକା ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା । ଚନ୍ଦନକୁ ଏବେ ୯ ବର୍ଷ ହୋଇଥିଲା । ଚନ୍ଦନ ମୃତୁ୍ୟ ପରେ ଏବେ ନନ୍ଦନକାନନରେ ମାତ୍ର ୬ଟି ମାଈ ହାତୀ ଅଛନ୍ତି ।
ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୬ ତାରିଖରେ ମାଈ ହାତୀ ଜୁଲିର ୧୦ ବର୍ଷ ବୟସରେ ହରପିସ୍ ଭାଇରସ୍ ସଂକ୍ରମଣରେ ମୃତୁ୍ୟ ଘଟିଥିଲା । ମାତ୍ର ୨୦ ଦିନ ନ ବିତୁଣୁ ପୁଣି ଏକ ହାତୀର ମୃତୁ୍ୟ ପଶୁପ୍ରେମୀଙ୍କୁ ମର୍ମାହତ କରିଛି ।
Comments are closed, but trackbacks and pingbacks are open.