ମହାନଦୀ ଟାପୁରେ ଫସିଛନ୍ତି ୧୧ ହାତୀ

Get real time updates directly on you device, subscribe now.

ନରାଜ,(ବି.ବି.ନୁ୍ୟଜ୍): ସୋମବାର ଭୋର୍ରୁ ବାଙ୍କୀ ଭଗିପୁର ନିକଟସ୍ଥ ମହାନଦୀ ଟାପୁରେ ୧୧ଟି ହାତୀଙ୍କର ଏକ ବଡ଼ ପଲ ଫସି ରହିଯାଇଛନ୍ତି । ଆଠଗଡ଼ ବନଖଣ୍ଡ ସୁକାସନ ସଂରକ୍ଷିତ ଜଙ୍ଗଲରୁ ବାହାରି ଏହି ହାତୀପଲ ମହାନଦୀ ପାର ହୋଇ ଚନ୍ଦକା-ଡମପଡ଼ା ଅଭୟାରଣ୍ୟକୁ ଯାଉଥିବା ବେଳେ ରାତି ପାହିଯିବାରୁ ଭଗିପୁର ନିକଟ ଟାପୁରେ ଫସି ରହିଥିବା ଅନୁମାନ କରାଯାଉଛି । ଏହି ହାତୀ ପଲରେ ପୁରୁଷ ହାତୀ ୩ଟି, ମାଈ ହାତୀ ୪ଟି ଓ ଛୁଆ ହାତୀ ୪ଟି ଥିବା ଜଣାପଡ଼ିଛି । ଏ ଖବର ପାଇ ମଙ୍ଗଳବାର ସକାଳୁ ଉଭୟ ଆଠଗଡ଼ ଓ ଡମପଡ଼ା ବନ ବିଭାଗ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀମାନଙ୍କର ଗତିପଥକୁ ଲକ୍ଷ୍ୟ ରଖିଛନ୍ତି । ତେବେ ହାତୀମାନଙ୍କୁ କିପରି ଭାବରେ ମହାନଦୀ ଟାପୁରୁ ସୁରକ୍ଷିତ ଭାବରେ ନଦୀ ପାର କରାଯାଇପାରିବ ସେନେଇ ବନବିଭାଗର କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି । ଏଥିପାଇଁ ଦୁଇଟି ଟିମ୍ ଗଠନ କରାଯାଇଛି । ଗୋଟିଏ ଟିମ୍ ମୁଣ୍ଡଳି ନିକଟବର୍ତ୍ତି ନୂଆସାହି ଠାରେ ଜଗିଥିବା ବେଳେ ଅନ୍ୟଟି ଭଗିପୁର ଠାରେ ହାତୀମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି । ଡମପଡ଼ା ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ମହାନ୍ତିଙ୍କ ପ୍ରଦତ୍ତ ସୂଚନା ମୁତାବକ ମଙ୍ଗଳବାର ରାତି ସୁଦ୍ଧା ହାତୀପଲ ନଦୀ ପାର ହୋଇ ଚନ୍ଦକା ନଚେତ୍ ଆଠଗଡ଼ ବନଖଣ୍ଡକୁ ଯାଇପାରନ୍ତି । ଏହି ହାତୀପଲକୁ ସହକାରୀ ରେଞ୍ଜର ନିରଞ୍ଜନ ମହାପାତ୍ର, ଫରେଷ୍ଟର ରାକେଶ ପରିଡ଼ା, ଫରେଷ୍ଟ ଗାର୍ଡ ବାଲେଶ୍ୱର କୁଅାଁର, ଜଳନ୍ଧର ରାଉତଙ୍କ ସମେତ ଆହୁରି ଅନେକ କର୍ମଚାରୀ ଜଗି ରହିଛନ୍ତି । ହାତୀପଲ ଚନ୍ଦକା ଜଙ୍ଗଲକୁ କିପରି ସୁରକ୍ଷିତ ଭାବେ ଯାଇପାରିବେ ସେଥିପ୍ରତି ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons