୩୭୦ ଧାରା ଉଚ୍ଛେଦ ଜାମ୍ମୁ ଓ କାଶ୍ମୀର ବିକାଶକୁ ଆଗକୁ ନେବ: ନବୀନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ୩୭୦ ଧାରା ଉଚ୍ଛେଦ ଏକ ଐତିହାସିକ ନିଷ୍ପତ୍ତି । ପାକିସ୍ତାନ ସୀମାନ୍ତରେ ଥିବା ଆମ ଦେଶର ଜମ୍ମୁ-କାଶ୍ମୀରରେ ବିକାଶ ପାଇଁ ଏହା ବାଟ ଫିଟାଇବ । ଆଉ ମୁଁ ଆଶା କରୁଛି କେନ୍ଦ୍ରର ଏ ନିଷ୍ପତ୍ତି ଜାମ୍ମୁ-କାଶ୍ମୀରକୁ ବିକାଶ ରାସ୍ତାରେ ଆଗକୁ ନେବ । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ନୁ୍ୟ ଇଣ୍ଡିଆନ୍ ଏକ୍ସପ୍ରେସ୍ ପକ୍ଷରୁ ଆୟୋଜିତ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ୍ରେ ଏଡିଟୋରିଆଲ ଡିରେକ୍ଟର ପ୍ରଭୁ ଚାୱଲାଙ୍କ ପ୍ରଶ୍ନର ଉତ୍ତର ଦେଇ ନବୀନ ଆଗାମୀ ୫ ବର୍ଷ ପାଇଁ ତାଙ୍କ ସରକାରଙ୍କ ରଣନୀତି ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସେ କହିଥିଲେ ଗତ କିଛି ବର୍ଷ ହେଲାଣି ଆମ ସରକାର ଲୋକଙ୍କ ସହ ରହି ଲୋକଙ୍କ ପାଇଁ କାମ କରୁଛି । ଆସନ୍ତା ୫ ବର୍ଷରେ ମୋ ସରକାର ଏ ଦିଗରେ ଅଧିକ ସଫଳତା ଆଶା କରୁଛି । ଲୋକଙ୍କୁ ଠିକ୍ ଭାବେ ସେବା ଯୋଗାଇବା ପାଇଁ ଏବେ ଆମେ ‘୫ଟି’ ଓ ‘ମୋ ସରକାର’ଭଳି କିଛି ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ଯାହାକି ଓଡିଶା ବିକାଶର ଧାରାକୁ ପରିବର୍ତ୍ତନ କରିବ । ତ୍ୱରିତ ବିକାଶ ପଥରେ ଆଗକୁ ଧାଇଁବ ଓଡ଼ିଶା ।
ଓଡିଶା ବିକାଶର ଯେଉଁ ନୂୂତନ ଧାରା ଆସିଛି ଏଥିପାଇଁ ନବୀନ ମ୍ୟାଜିକ୍ ନୁହେଁ ବରଂ ସମସ୍ତଙ୍କ ଶ୍ରେୟ ରହିଛି । ରାଜ୍ୟର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରୁଛନ୍ତି । ଦକ୍ଷ ପ୍ରଶାସକ, ରାଜନେତା, ବିଧାୟକମାନଙ୍କ କଠିନ ପରିଶ୍ରମରେ ଏସବୁ ସମ୍ଭବ ହୋଇ ପାରିଛି । ଆଶା, ଆମେ ଆହୁରି ଆଗକୁ ଯିବୁ ।
ରାଜ୍ୟର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହ ମିଳିତ ଭାବେ କାମ କରିବା ଜରୁରି କି? ଶ୍ରୀ ଚାୱଲାଙ୍କ ଏ ପ୍ରଶ୍ନର ଉତ୍ତର ରଖି ନବୀନ କହିଲେ, ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସହ ମିଶି ଗଠନମୂଳକ କାର୍ଯ୍ୟ କଲେ ହିଁ ରାଜ୍ୟର ବିକାଶ ସମ୍ଭବ । ଓଡିଶାକୁ କ୍ରୀଡାର ରାଜଧାନୀ କରିବାର ସ୍ୱପ୍ନ ଦେଖୁଥିବା ବାବଦରେ କହିଥିଲେ କ୍ରୀଡାରେ ବିନିଯୋଗ କରିବାର ଅର୍ଥ ଯୁବପିଢ଼ିଙ୍କ ପାଇଁ ବିନିଯୋଗ କରିବା ଓ ଯୁବପିଢ଼ିଙ୍କ ପାଇଁ ବିନିଯୋଗ କରିବାର ଅର୍ଥ ଭବିଷ୍ୟତ ଓଡିଶା ପାଇଁ ବିନିଯୋଗ କରିବା । କେବଳ କ୍ରୀଡା ରାଜଧାନୀ ନୁହେଁ ଅଲମ୍ପିକ୍ରେ କିପରି ଓଡିଶା ନିଜର ପରିଚୟ ଆଣିପାରିବ ତାହା ଆମର ଲକ୍ଷ୍ୟ ।
ଅତ୍ୟାଧୁନିକ ସମୟରେ ବି ମୁଖ୍ୟମନ୍ତ୍ରୀ ନିଜର ପୁରୁଣା ମାରୁତି ଗାଡି ଧରୁଥିବା ବେଳେ ସେ ଏଥିରେ ଅଧିକ ସହଜ ଓ ଆରାମ ଅନୁଭବ କରନ୍ତି ବୋଲି କହିଥିଲେ । ଫିଟ୍ନେସ୍ ବାବଦରେ କହିଥିଲେ ଦିନକୁ ଦୁଇଥର ବ୍ୟାୟାମ କରିବା ସହ ସ୍ୱଳ୍ପ ଆହାର କରେ ଓ ଡାଏଟ୍କୁ ଅନୁକରଣ କରେ । ମଜା କଥା ଶୁଣିବାକୁ ଭଲ ପାଉଥିବା ନବୀନ ପଟ୍ଟନାୟକଙ୍କ ବର୍ତ୍ତମାନ ଯାଏଁ କୌଣସି ନିର୍ଦ୍ଧିଷ୍ଟ ରାଜନେତାଙ୍କ ଦ୍ୱାରା ପ୍ରଭାବିତ ହୋଇନଥିବା ପ୍ରଭୁ ଚାୱଲାଙ୍କ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି । ସେହିପରି ନବୀନ ଭାରତୀୟ କ୍ରିକେଟ ଦଳର ଅଧିନାୟକଙ୍କୁ ନିଜର ପ୍ରିୟ ଖେଳାଳି ବୋଲି ଅଭିହିତ କରିବା ସହ ଫକୀର ମୋହନ ସେନାପତି ପ୍ରିୟ ଲେଖକ ବୋଲି କହିଛନ୍ତି । ଦୀର୍ଘବର୍ଷର ଶାସନ ଗାଦିରେ ବସିଥିବା ନବୀନ ସରକାର ଲୋକଙ୍କ ବିଶ୍ୱାସକୁ ଗୁରୁତ୍ୱ ଦେଇ ଲୋକଙ୍କ କାମ କରିବାରେ ବିଶ୍ୱାସ ରଖେ ବୋଲି କହିଛନ୍ତି । ଏ ଅବସରରେ ଶ୍ରୀ ଚାୱଲା ନବୀନଙ୍କୁ ଓଡ଼ିଶାର ବିରାଟ କୋହଲି ବୋଲି କହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons