ଅନୁଗୁଳ,(ବି.ବି.ନୁ୍ୟଜ୍): ଅନୁଗୁଳ ସହର ଉପକଣ୍ଠ ବେନ୍ତପୁର ଗ୍ରାମରେ ସୋମବାର ଘଟିଛି ଅଭାବନୀୟ ଘଟଣା । ଶୋଇଥିବା ବେଳେ ସର୍ପାଘାତରେ ଦୁଇ ଭଉଣୀଙ୍କ ମୃତୁ୍ୟ ହୋଇଛି । ଦୁଇ ମୃତକ ହେଲେ ବେନ୍ତପୁର ଗ୍ରାମର ସୁମନ୍ତ ସାହୁଙ୍କ ଝିଅ ରୋଜାଲିନ୍ (୧୩) ଓ ସୁଜାତା(୧୧) । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳାଇ ଦେଇଛି ।
ସୂଚନା ମୁତାବକ, ଉଭୟ ରୋଜାଲିନ୍ ଓ ସୁଜାତା ରବିବାର ରାତିରେ ଏକାଠି ଶୋଇଥିଲେ । ରାତି ପ୍ରାୟ ସାଢେ଼ ଗୋଟାଏ ବେଳେ ଉଭୟଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା । ରୋଜାଲିନ୍ଙ୍କ ବେକରେ ଓ ସୁଜାତାଙ୍କ ହାତକୁ ସର୍ପ ଦଂଶନ କରିଥିଲା । ଯନ୍ତ୍ରଣା ହେବା ପରେ ଉଭୟ ପରିବାର ଲୋକଙ୍କୁ ଏ ନେଇ ଜଣାଇଥିଲେ । ପରିବାର ଲୋକ ଏକ ଅଟୋ ଯୋଗେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଦୁହିଁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର କଟକ ସ୍ଥାନାନ୍ତର କରିଥିଲେ । କଟକ ନେବା ରାସ୍ତାରେ ଉଭୟଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।
ଦୁଇ ଝିଅଙ୍କ ମୃତୁ୍ୟ ସତ୍ତେ୍ୱ ପରିବାର ଲୋକ ଉଭୟଙ୍କୁ କୁରୁମିଠା ଅଞ୍ଚଳର ଏକ ଗୁଣିଆ ପାଖକୁ ବୋହି ନେଇଥିଲେ । ଉଭୟଙ୍କ ମୃତୁ୍ୟ ହୋଇ ସାରିଥିବା ଗୁଣିଆ କହିବା ପରେ ପରିବାର ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫେରିଥିଲେ । ପୁଲିସ୍ ସେଠାରେ ପହଞ୍ଚି ଅପମୃତୁ୍ୟ ମାମଲା ରୁଜ୍ଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ।
Comments are closed, but trackbacks and pingbacks are open.