ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ପ୍ରସ୍ତାବ:ସବୁ ଜରୁରି କାମ ପାଇଁ ଗୋଟିଏ କାର୍ଡ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆଧାର କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ବ୍ୟାଙ୍କ ଖାତା, ଭୋଟର ପରିଚୟ ପତ୍ର ଆଦି ପାଇଁ ଆପଣଙ୍କୁ ଭବିଷ୍ୟତରେ ଆଉ ଅଲଗା କାର୍ଡ କିମ୍ବା ଦସ୍ତାବିଜ ରଖିବାରୁ ମୁକ୍ତି ମିଳିବ । ତା ବଦଳରେ ଆପଣଙ୍କୁ ଗୋଟିଏ ମାତ୍ର କାର୍ଡ ରଖିବାକୁ ପଡିବ । କେନ୍ଦ୍ର ସରକାର ଏଭଳି ଏକ ପ୍ରସ୍ତାବ ଆଣିଛନ୍ତି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ସୂଚନା ଦେଇଛନ୍ତି । ଏଥିସହିତ ସେ ଆଗାମୀ ୨୦୨୧ରେ ହେବାକୁ ଥିବା ଜନଗଣନା ମୋବାଇଲ ଆପ୍ ମାଧ୍ୟମରେ କରାଯିବ । ଯାହାଫଳରେ ଜନଗଣନାରେ ସାମିଲ ଅଧିକାରୀଙ୍କୁ ଆଉ କାଗଜ କିମ୍ବା କଲମ ଧରି ବୁଲିବାକୁ ପଡିବ ନାହିଁ । ଏହି ଜନଗଣନା ପ୍ରକ୍ରିୟା ଡିଜିଟାଲ କ୍ଷେତ୍ରରେ ଏକ ବଡ ବୈପ୍ଳବିକ ପରିବର୍ତ୍ତନ ଆଣିବାର ସମ୍ଭାବନା ରହିଛି ।
ନୂଆଦିଲ୍ଲରୀରେ ଆଜି ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆର ଏକ ନୂଆ କାର୍ଯ୍ୟାଳୟର ଶିଳାନ୍ୟାସ କରିବା ଅବସରରେ ଶାହା କହିଲେ ଯେ ଏଭଳି ଏକ ବ୍ୟବସ୍ଥା ହେବା ଦରକାର ଯେଉଁଥିରେ ଆମ ପାଖରେ ଗୋଟିଏ କାର୍ଡରେ ସବୁ ତଥ୍ୟ ରହିପାରିବ । ଯାହାଫଳରେ ଆଉ ଏତେ ପ୍ରକାର କାର୍ଡ ରଖିବାକୁ ପଡିବ ନାହିଁ । ତା’ଛଡା ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଲେ ଜନସଂଖ୍ୟା ତଥ୍ୟରେ ତାହା ଅପଡେଟ ହୋଇଯିବ । ସେହିଭଳି ସେ ଆହୁରି ମଧ୍ୟ କହିଲେ ଯେ ଜନଗଣନାର ମହତ୍ୱ ବୁଝି ଏହାକୁ ସଠିକ୍, ଶୀଘ୍ର ତଥା ସ୍ପଷ୍ଟ କରିବା ପାଇଁ ଆଗକୁ ଡିଜିଟାଲ ଜନଗଣନା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ୨୦୨୧ରେ ହେବାକୁ ଥିବା ଦେଶର ୧୬ତମ ଜନଗଣନାରେ କାଗଜ କଲମ ଯୋଗେ ନୁହେଁ ବରଂ ମୋବାଇଲ ଆପ୍ରେ ତଥ୍ୟ ସଂଗ୍ରହ କରାଯିବ । ଏଥିପାଇଁ ୧୨ ହଜାର କୋଟି ଟଙ୍କାର ଖର୍ଚ୍ଚ ଆକଳନ କରାଯାଇଛି ।
ଡିଜିଟାଲ ଜନଗଣନା ସମ୍ବନ୍ଧରେ ଘୋଷଣା କରି ଶାହ କହିଥିଲେ ଯେ, ଜନଗଣନା ଦେଶରେ ଭବିଷ୍ୟତରେ ହେବାକୁ ଥିବା ବିକାଶମୂଳକ ଯୋଜନା ପ୍ରସ୍ତୁତ କରିବାର ଆଧାର । ୧୮୬୫ ମସିହାରୁ ବର୍ତ୍ତମାନ ସୁଦ୍ଧା ଏହା ଦେଶର ୧୬ତମ ଜନଗଣନା ହେବାକୁ ଯାଉଛି । ଏଣୁ ଅନେକ ପରିବର୍ତ୍ତନ ଏବଂ ନୂଆ ପଦ୍ଧତିର ପ୍ରୟୋଗ କରି ମୋବାଇଲ ଆପ୍ ଯୋଗେ ତଥ୍ୟ ସଂଗ୍ରହ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଜନଗଣନାରେ ଡିଜିଟାଲ ଉପାୟରେ ତଥ୍ୟ ସଂଗ୍ରହ କରାଯିବ । ଏଣୁ ଯେତେ ସ୍ପଷ୍ଟ ଭାବେ ତଥ୍ୟ ସଂଗ୍ରହ କରାଯିବ ଦେଶର ଅର୍ଥନୀତି ସେତେ ସୁଦୃଢ଼ ହେବ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ ଯେ ୨୦୨୦ ଅକ୍ଟୋବର ୧ରୁ ଜମ୍ମୁ-କାଶ୍ମୀର, ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ଜନଗଣନା ହେବାକୁ ଥିବା ବେଳେ ୨୦୨୧ ମାର୍ଚ୍ଚ ୧ରୁ ଦେଶର ଅନ୍ୟ ସବୁ ଭାଗରେ ଜନଗଣନା ଆରମ୍ଭ କରାଯିବ ।
୨୦୧୪ରେ ପ୍ରଥମକରି ମୋଦି ସରକାର କ୍ଷମତାକୁ ଆସିବା ଦ୍ୱାରା ହିଁ ଚିନ୍ତା ଶକ୍ତିରେ ପରିବର୍ତ୍ତନ ହୋଇଥିବା ଶାହ କହିଥିଲେ । ଏହି ଅବସରରେ ଜନଗଣନାର ଉପକାରିତା ସମ୍ବନ୍ଧରେ ମଧ୍ୟ ଶାହ ବର୍ଣ୍ଣନା କରିଥିଲେ । ଜନଗଣନା ଦ୍ୱାରା ଦେଶରେ ୯୩ ପ୍ରତିଶତ ଲୋକଙ୍କ ପାଖରେ ଗ୍ୟାସ ସିଲିଣ୍ଡର ନଥିବା ଜଣାପଡ଼ିଥିଲା । ଫଳରେ ଉଜ୍ଜ୍ୱଳା ଯୋଜନାକୁ କାର୍ଯ୍ୟକାରୀ କରାଇ ଲୋକମାନଙ୍କ ପାଖରେ ଗ୍ୟାସ ସିଲିଣ୍ଡର ପହଞ୍ଚା ଯାଇପାରିଥିଲା । ଅନ୍ୟପକ୍ଷରେ ଜନଗଣନା ଦ୍ୱାରା ମୋଦି ସରକାରଙ୍କର ୨୨ଟି ଯୋଜନା ରେଖାଙ୍କିତ ହୋଇପାରିଛି । ‘ବେଟି ପଢ଼ାଓ ବେଟି ବଚାଓ’ ଯୋଜନା ମଧ୍ୟ ଜନଗଣନା ଆଧାରରେ କାର୍ଯ୍ୟକାରୀ ହୋଇଥିବା ଶାହ କହିଥିଲେ । ଜନଗଣନା ସମୟରେ ସଠିକ୍ ତଥ୍ୟ ସଂଗ୍ରହ କରିବା ପାଇଁ ୧୬ଟି ଭାଷା ବ୍ୟବହାର କରାଯିବ ବୋଲି ମଧ୍ୟ ଶାହ ସୂଚନା ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons