ୱାଶିଂଟନ: ଆମେରିକା ଗସ୍ତରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । କହିଛନ୍ତି ଆଫଗାନିସ୍ତାନରେ ଯୁଦ୍ଧ କରିବା ଲାଗି ପାକିସ୍ତାନୀ ସେନା ଏବଂ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଅଲ୍-କାଏଦା ଓ ଅନ୍ୟ ଆତଙ୍କୀ ସଙ୍ଗଠନକୁ ତାଲିମ୍ ଦେଇଥିଲେ । ସେ ଏକଥା ମଧ୍ୟ କହିଛନ୍ତି ଯେ ଆଫଗାନିସ୍ତାନରୁ ଉଭୟ ସୋଭିଏତ୍ ସେନା ଓ ଆମେରିକା ସେନା ହଟିବା ପରେ ମଧ୍ୟ ପାକିସ୍ତାନୀ ସେନା ଓ ଆଇଏସ୍ଆଇ ଅଲ୍କାଏଦା ସମେତ ଅନ୍ୟ ଆତଙ୍କୀ ସଙ୍ଗଠନ ସହିତ ଲିଙ୍କରେ ରହିଥିଲା ।
ଆଫଗାନିସ୍ତାନରେ ସୋଭିଏତ୍ ସେନା ବିରୋଧରେ ଲଢ଼ିବା ପାଇଁ ଆମେରିକା ଗୁଇନ୍ଦା ସଂସ୍ଥା ସିଆଇଏ ତତ୍ତ୍ୱାବଧାନରେ ପାକିସ୍ତାନୀ ସେନା ତଥାକଥିତ ମୁଜାହିଦ୍ଧିନମାନଙ୍କୁ ତାଲିମ୍ ଦେଉଥିଲା ବୋଲି ଯଦିଓ ସମସ୍ତେ ଜାଣନ୍ତି । କିନ୍ତୁ ପ୍ରଥମକରି ପାକିସ୍ତାନର ଜଣେ ପ୍ରଧାନମନ୍ତ୍ରୀ ଏକଥା ସ୍ୱୀକାର କରିଛନ୍ତି । ନୁ୍ୟୟର୍କ ସିଟିର ‘କାଉନ୍ସିଲ ଫର ଫରେନ ରିଲେସନ୍ସ’ ପକ୍ଷରୁ ସୋମବାର ଅନୁÂିତ ଏକ ବୈଠକରେ ଯୋଗଦେବା ଅବସରରେ ଇମ୍ରାନ କହିଛନ୍ତି ୨୦୦୧ ସେପ୍ଟେମ୍ବର ୧୧ ବିଶ୍ୱବାଣିଜ୍ୟ କେନ୍ଦ୍ର ଆକ୍ରମଣ (୯/୧୧) ପୂର୍ବରୁ ଆମେରିକା ସେନା ଓ ଆଇଏସ୍ଆଇ ଅଲ୍-କାଏଦା ଆତଙ୍କବାଦୀ ସଙ୍ଗଠନକୁ ତାଲିମ୍ ଦେଇଥିଲେ । କିନ୍ତୁ ୯/୧୧ ପରେ ଆମେରିକାର ଆତଙ୍କବାଦ ବିରୋଧୀ ଲଢେ଼ଇରେ ପାକିସ୍ତାନ ସାମିଲ ହୋଇଥିଲା । ହେଲେ ପାକିସ୍ତାନ ସେନା ଏହାକୁ ଗ୍ରହଣ କରିପାରି ନଥିଲା । ଫଳରେ ସେନାରେ ବିବାଦ ସୃଷ୍ଟି ହୋଇଥିଲା । ପୂର୍ବତନ ସେନାମୁଖ୍ୟ ତଥା ରାଷ୍ଟ୍ରପତି ଜେନେରାଲ ପରଭେଜ ମୁଶାରଫଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ହେଉଛି ତାର ପ୍ରମାଣ । କିନ୍ତୁ ଆମେରିକା ସହିତ ଆତଙ୍କବାଦ ବିରୋଧୀ ଲଢେ଼ଇରେ ପାକିସ୍ତାନ ସାମିଲ ହେବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ ଥିଲା । ଅତୀତର ସରକାର ଏହି ନିଷ୍ପତ୍ତି ନେଇ ବଡ ଭୁଲ କରିଥିଲେ ବୋଲି ଇମ୍ରାନ କହିଛନ୍ତି ।
ସେହିଭଳି ଇମ୍ରାନ ଆହୁରି ମଧ୍ୟ କହିଛନ୍ତି କି ଆମେରିକା ସହାୟତାରେ ପାକିସ୍ତାନ ସୋଭିଏତ୍ ୟୁନିୟନ ବିରୋଧରେ ଜିହାଦ ଡାକରା ଦେଇଥିଲା । ଆଇଏସ୍ଆଇ ବିଶ୍ୱର ମୁସଲିମ ଦେଶରେ ରହୁଥିବା ଆତଙ୍କୀମାନଙ୍କୁ ଡକାଇ ଟ୍ରେନିଂ ଦେଇଥିଲା । ଯାହାଫଳରେ ସେମାନେ ସୋଭିଏତ୍ ସେନା ବିରୋଧରେ ଲଢ଼ିଥିଲେ । ଅନ୍ୟପକ୍ଷରେ ତାଲିବାନ୍ ସହ ଶାନ୍ତି କଥାବାର୍ତ୍ତାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓହରିଯିବା ଉପରେ ଇମ୍ରାନ କହିଛନ୍ତି କି ଆଫଗାନିସ୍ତାନର ସମସ୍ୟା ସାମରିକ ଶକ୍ତି ମାଧ୍ୟମରେ କରାଯାଇପାରିବ ନାହିଁ । ଏକଥା ପାକିସ୍ତାନ ୨୦୦୮ରେ ଓବାମା ପ୍ରଶାସନକୁ କହିଥିଲା । କିନ୍ତୁ ତକ୍ରାଳୀନ ରାଷ୍ଟ୍ରପତି ବାରାକ ଓବାମା ଆମକୁ ବିଶ୍ୱାସକୁ ନେଲେ ନାହିଁ । ତାଲିବାନ ମଧ୍ୟ ଜାଣିଛି ଯେ ଆଫଗାନ ସେନାକୁ ହରାଇ ପୁଣି ଦେଶକୁ କବ୍ଜା କରିବା ସମ୍ଭବ ନୁହେଁ । ଏହାର ରାଜନୈତିକ ସମାଧାନ ହିଁ ଏକମାତ୍ର ବାଟ । ନହେଲେ ଆମେରିକା ସେଠାରୁ ସୈନ୍ୟ ଫେରାଇ ନେଇପାରିବ ନାହିଁ ।
ଇମ୍ରାନ ଅଭିଯୋଗ କରିଛନ୍ତି କି ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇ ଭାରତ ସରକାର ଜାତିସଂଘ ସାଧାରଣ ପରିଷଦ ସଙ୍କଳ୍ପନାମା, ସିମଲା ରାଜିନାମା ଏପରିକି ନିଜ ଦେଶର ସମ୍ବିଧାନକୁ ଅଣଦେଖା କରିଛି । ତେଣୁ ସେ କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଲାଗି ଜାତିସଂଘକୁ ଅନୁରୋଧ କରିଛନ୍ତି । ଅଲ୍-କାଏଦା ମୁଖ୍ୟ ଓସାମା ବିନ୍ ଲାଡେନ ପାକିସ୍ତାନର ଆବୋଟ୍ଟାବାଦରେ ବହୁଦିନ ଧରି ଲୁଚି ରହିବା ଓ ଆମେରିକାର ନାଭିସିଲ୍ କମାଣ୍ଡେମାନେ ତାକୁ ସେଠାରେ ହତ୍ୟା କରିବା ଘଟଣାର ତଦନ୍ତ କାହିଁକି ପାକିସ୍ତାନ ସରକାର କଲେ ନାହିଁ ବୋଲି ଏକ ପ୍ରଶ୍ନର ଉତ୍ତରରେ ଇମ୍ରାନ କହିଲେ ଯେ ଏହାର ତଦନ୍ତ କରାଯାଇଥିଲା । ତିନି ମାସ ଭିତରେ ଇମ୍ରାନଙ୍କର ଏହା ଦ୍ୱିତୀୟ ବଡ଼ ସ୍ୱୀକାରୋକ୍ତି । ଗତ ଜୁଲାଇ ମାସରେ ସେ ମାନିଥିଲେ ଯେ ଆବୋଟ୍ଟାବାଦରେ ଲାଡେନ ରହିବା ବିଷୟ ପାକିସ୍ତାନୀ ସେନା ଓ ଆଇଏସ୍ଆଇକୁ ଜଣାଥିଲା । ସେମାନେ ସିଆଇଏକୁ ହିଁ ଏହି ସୂଚନା ଦେଇଥିଲେ । ସେମାନଙ୍କ ସୂଚନା ଆଧାରରେ ଆମେରିକାର ନାଭିସିଲ୍ ଲାଡେନକୁ ଖୋଜି ହତ୍ୟା କରିଥିଲା । ସୂଚନାଯୋଗ୍ୟ, ୨୦୧୧ ମେ ୨ ତାରିଖ ରାତିରେ ଆମେରିକାର ନାଭିସିଲ୍ କମାଣ୍ଡୋମାନେ ଗୋପନ ଅପରେସନରେ ପାକିସ୍ତାନ ଭିତରେ ପଶି ଆବୋଟ୍ଟାବାଦରେ ରହୁଥିବା ଲାଡେନକୁ ହତ୍ୟା କରିଥିଲେ ।
ଗତକାଲି ଇମ୍ରାନ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିବା ବେଳେ କାଶ୍ମୀର ପ୍ରସଙ୍ଗ ଉଠାଇ ଥିଲେ ମଧ୍ୟ ତାଙ୍କ ଠାରୁ କୌଣସି ଆଶ୍ୱାସନା ପାଇନଥିଲେ । ବରଂ ତାଙ୍କ ସାମ୍ନାରେ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବେଶ୍ ପ୍ରଶଂସା କରିଥିଲେ । ଫଳରେ କାଶ୍ମୀର ପ୍ରସଙ୍ଗ ଉଠାଇ ଇମ୍ରାନଙ୍କୁ ଅପମାନିତ ହେବାକୁ ପଡ଼ିଥିଲା । ଇମ୍ରାନ କହିଥିଲେ କାଶ୍ମୀର ପ୍ରସଙ୍ଗରେ ସେ ଆଲୋଚନା କରିବାକୁ ଚାହୁଁଛନ୍ତି । କିନ୍ତୁ ଭାରତ ରାଜି ହେଉନାହିଁ । ତେଣୁ ଟ୍ରମ୍ପଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ଟ୍ରମ୍ପ କହିଥିଲେ ଭାରତ ସହିତ ତାଙ୍କର ଭଲ ସମ୍ପର୍କ ରହିଛି । ଉଭୟ ଭାରତ ଓ ପାକିସ୍ତାନ ଏହି ସମସ୍ୟାର ସମାଧାନ କରିବା ଆବଶ୍ୟକ । ଅବଶ୍ୟ ଏଥିରେ ହସ୍ତକ୍ଷେପ କରିବାକୁ ଟ୍ରମ୍ପ ଆଗ୍ରହ ପ୍ରକାଶ କରିଥିଲେ । କିନ୍ତୁ ସ୍ପଷ୍ଟ କରିଦେଇଥିଲେ ଯେ ଯଦି ଭାରତ ଚାହିଁବ ସେ ମଧ୍ୟସ୍ଥି ହୋଇ ଏହି ସମସ୍ୟା ସମାଧାନ କରିବାକୁ ରାଜି ଅଛନ୍ତି । ହୁ୍ୟଷ୍ଟନରେ ଅନୁÂିତ ହାଓଡି ମୋଦି କାର୍ଯ୍ୟକ୍ରମ କଥା ଉଲ୍ଲେଖ କରି ଟ୍ରମ୍ପ କହିଲେ ଯେ କାଶ୍ମୀର ଓ ୩୭୦ ଧାରା ପ୍ରସଙ୍ଗରେ ମୋଦିଙ୍କ ଭାଷଣ ବେଶ୍ ଆକ୍ରମଣାତ୍ମକ ଥିଲା । ଯାହାକୁ ୫୯ ହଜାର ଲୋକ ମନଦେଇ ଶୁଣିଥିଲେ ।
ଅପରପକ୍ଷରେ ଟ୍ରମ୍ପ ଓ ଇମ୍ରାନଙ୍କ ପ୍ରେସମିଟ୍ ବେଳେ କାଶ୍ମୀର ପ୍ରସଙ୍ଗ ଉଠାଇଥିବା ଜଣେ ସାମ୍ବାଦିକ ନିଜେ ଅପମାନିତ ହେବା ସହିତ ଇମ୍ରାନଙ୍କୁ ମଧ୍ୟ ଅପମାନିତ କରିଥିଲେ । ସମ୍ପୃକ୍ତ ସାମ୍ବାଦିକ ଟ୍ରମ୍ପଙ୍କୁ ପଚାରିଥିଲେ ଯେ କାଶ୍ମୀରରେ ଗତ ୫୦ ଦିନ ହେଲା ଇଣ୍ଟରନେଟ ସେବା ବନ୍ଦ ଅଛି ଓ ସେଠାରେ ବ୍ୟାପକ ମାନବାଧିକାର ଉଲ୍ଲଂଘନ ହେଉଛି । ଏହାର ଉତ୍ତର ଦେବା ବେଳେ ଟ୍ରମ୍ପ ଇମ୍ରାନଙ୍କୁ ପଚାରିଥିଲେ ଆପଣ ଏଭଳି ସାମ୍ବାଦିକଙ୍କୁ କେଉଁଠାରୁ ଖୋଜି ଆଣିଛନ୍ତି? ଅନ୍ୟ ଜଣେ ସାମ୍ବାଦିକ କହିଥିଲେ ଯେ ବହୁଦିନ ପରେ ଆମେରିକା ଜଣେ ଭଲ ରାଷ୍ଟ୍ରପତିଙ୍କୁ ପାଇଛି । ଏହାର ଉତ୍ତରରେ ଟ୍ରମ୍ପ କହିଥିଲେ ଆପଣ ଏକଥା ମାନୁଛନ୍ତି । କିନ୍ତୁ ପାକିସ୍ତାନୀଙ୍କ ପ୍ରତି ସେ ବହୁତ କଠୋର । ସେହିଭଳି ଇମ୍ରାନଙ୍କୁ ଆଇନା ଦେଖାଇ ଟ୍ରମ୍ପ କହିଥିଲେ ଯେ ପାକିସ୍ତାନ ଉପରେ ତାଙ୍କର ବହୁତ ଭରସା ଅଛି । କିନ୍ତୁ ତାଙ୍କ ସାମ୍ନାରେ ଯେଉଁ ଲୋକ ବସିଛନ୍ତି ସେ ପାକିସ୍ତାନକୁ ଆଦୌ ବିଶ୍ୱାସକୁ ନେଉନାହାନ୍ତି ।
Comments are closed, but trackbacks and pingbacks are open.