ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବରଗଡ଼ ଜିଲ୍ଲା କଂଗ୍ରେସ ଉପସଭାପତି ଦିଲ୍ଲୀପ କୁମାର ପଣ୍ଡା ହେବେ ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ । ଅଖିଳ ଭାରତ କଂଗ୍ରେସ କମିଟି ଶ୍ରୀ ପଣ୍ଡାଙ୍କ ନାମରେ ମୋହର ମାରିଛି । ଗତକାଲି ପ୍ରଦେଶ କଂଗ୍ରେସ କମିଟି ଚୂଡାନ୍ତ ତାଲିକାରେ ୫ ଜଣଙ୍କ ନାମ ଏଆଇସିସିକୁ ପଠାଇଥିଲା । ଆଜି ସନ୍ଧ୍ୟାରେ ଏଆଇସିସି ପ୍ରେସ୍ ବିଜ୍ଞପ୍ତି ଜାରି କରି ଦିଲ୍ଲୀପଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ବିଜେପୁର ପାଇଁ ଏ ଯାଏଁ ବିଜେଡି, ବିଜେପି ପ୍ରାର୍ଥୀ ଘୋଷଣା କରିନଥିବା ବେଳେ କଂଗ୍ରେସ ପ୍ରଥମେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏପରିକି ଦଳ ବିଜେପୁରରେ ଜିତିବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଦମ୍ଭୋକ୍ତି ବାଢିଛନ୍ତି । ଏହା ସହ ନିଜର ପୁରୁଣା ଗଡ଼ ବିଜେପୁରକୁ ପୁଣି ଥରେ ଦଖଲ କରିବା ପାଇଁ କଂଗ୍ରେସ ୯ ଜଣ ନେତାଙ୍କୁ ଦାୟିତ୍ୱ ଦେଇଛି ।
ପିସିସି ପ୍ରାର୍ଥୀ ଚୟନ ପାଇଁ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଢିଥିଲା । ଏହି କମିଟି ବିଜେପୁର ଗସ୍ତ କରି ଦଳର ପୁରୁଣା କର୍ମୀଙ୍କ ସମେତ ସାଧାରଣ ଲୋକଙ୍କୁ ଭେଟି ମତାମତ ସଂଗ୍ରହ କରିଥିଲେ । ଗତକାଲି ଏହି କମିଟି ସକାଳ ୧୦ଟା ୩୦ରେ ଭେଟି ଆଲୋଚନା କରିଥିଲା । ପରେ ସନ୍ଧ୍ୟାରେ ପିସିସି ସଭାପତି ନିରଞ୍ଜନଙ୍କୁ ଭେଟି ରିପୋର୍ଟ ଦେଇଥିଲା । ବିଜେପୁର ଉପନିର୍ବାଚନ ଲଢିବା ପାଇଁ କଂଗ୍ରେସରୁ ୨୦ଜଣ ଆଶାୟୀ ଥିଲେ ବୋଲି ପ୍ରାର୍ଥୀ ଖୋଜା କମିଟି ଅଧ୍ୟକ୍ଷ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ସେଥି ମଧ୍ୟରୁ ଚୂଡାନ୍ତ ପର୍ଯ୍ୟୟରେ ଅଭିଷେକ ସେଠ୍, ଦିଲ୍ଲୀପ ପଣ୍ଡା, ସୁରେନ୍ଦ୍ର ପାତ୍ର, ସ୍ୱାଧୀସ୍ମିତା ସୌରା ଓ ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ରବୀନ୍ଦ୍ର କୁମାର ପଣ୍ଡାଙ୍କ ନାମ ଥିଲା । ମାତ୍ର ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କ ଅନୁମୋଦନ ପରେ ଦିଲ୍ଲୀପଙ୍କୁ ପ୍ରାର୍ଥୀ କରାଯାଇଛି ବୋଲି ସାଧାରଣ ସମ୍ପାଦକ ତଥା କଂଗ୍ରେସ ନିର୍ବାଚନ କମିଟି(ସିଇସି)ର ଭାରପ୍ରାପ୍ତ ଅଧିକାରୀ ମୁକୁଲ୍ ୱାସନିକ୍ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.