ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଚାର୍ଯ୍ୟବିହାରରେ ଥିବା ଆଞ୍ଚଳିକ ପରିବହନ ଅଧିକାରୀ(ଆର୍ଟିଓ-୧)ଅଫିସ୍ ପରିସରରୁ ଆଜି ଦଲାଲ ହାଟ ହଟିଛି । ଅଫିସ ଚାରିପାଖେ ଆସ୍ଥାନ ଜମାଇଥିବା ଜବରଦଖଲକାରୀଙ୍କ ବେଆଇନ ନିର୍ମାଣକୁ ଏନ୍ଫୋର୍ସମେଣ୍ଟ ଟିମ ମାଟିରେ ମିଶାଇ ଦେଇଛି । ପ୍ରାୟ ୭୦ଟି ଦୋକାନ ଏସ୍କାଭେଟର ମାଡ଼ରେ ନିଶ୍ଚିହ୍ନ ହୋଇଛି । ମଙ୍ଗଳବାର ଆରଟିଓ-୨ ପରିସରରୁ ଜବରଦଖଲ ହଟାଯିବ ବୋଲି ନିଷ୍ପତ୍ତି ହୋଇଛି ।
ରାଜଧାନୀର ଦୁଇଟି ଆରଟିଓ ଅଫିସ୍ ସମେତ କ୍ୟାପିଟାଲ ହସ୍ପିଟାଲ ପରିସରରୁ ଜବରଦଖଲ ହଟାଇବାକୁ ଖୋର୍ଦ୍ଧା ଜିଲ୍ଲାପାଳ ଶୀତାଂଶୁ କୁମାର ରାଉତ ବିଏମସି ଓ ବିଡିଏକୁ ନିଦେ୍ର୍ଧଶ ଦେଇଥିଲେ । ବିଏମ୍ସି, ବିଡିଏ ଓ ପୁଲିସର ମିଳିତ ଏନଫୋର୍ସମେଣ୍ଟ ଟିମ(ସିଇଏମ୍ସି) ଆଜି ସକାଳୁ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ କରିଥିଲେ । ପ୍ରଥମେ ଅଫିସ୍ ପରିସରରେ ତିଆରି ହୋଇଥିବା ଦୋକାନକୁ ଭଙ୍ଗା ଯାଇଥିଲା । ଏଠାରେ ଦଲାଲମାନେ ଆଡ୍ଡା ଜମାଉଥିଲେ । ଅଫିସ୍ ପାଚେରୀକୁ ଲାଗି ଜେରକ୍ସ, ଓମଫେଡ୍ କାଉଣ୍ଟର, ହୋଟେଲ ଆଦି ତିଆରି ହୋଇଥିଲା । ଏଠାରେ ଦଲାଲମାନେ ଏକାଠି ହେଉଥିଲେ ।
ପାଚେରୀକୁ ଲାଗି ତିଆରି ହୋଇଥିବା ଏକ ହନୁମାନ ମନ୍ଦିରଙ୍କୁ ମଧ୍ୟ ଭଙ୍ଗାଯାଇଛି । ଏଥିସହ ପାଖରେ ଥିବା ମହାରାଜା ହଲ ପାଖ ରାସ୍ତାରୁ ଅଫିସ ପଛ ଯାଏ ଲମ୍ବିଥିବା ରାସ୍ତାର ଦୁଇ ପାଖରୁ ପଲିଥିନ୍ ଛପର ଦୋକାନକୁ ଭଙ୍ଗାଯାଇଛି । ଅଫିସ୍ ପଛ ପାଶ୍ୱର୍ରେ ସରକାରୀ ରାସ୍ତା ଉପରେ ନିର୍ମାଣ ହୋଇଥିବା ଏକ ୬୦ ଫୁଟର ପାଚେରୀକୁ ମଧ୍ୟ ଭଙ୍ଗାଯାଇଛି । ୬୬ଟି ଦୋକାନ, ଗୋଟିଏ ଓମ୍ଫେଡ୍ ବୁଥ୍, ଗୋଟିଏ ଓପୋଲଫେଡ୍ ବୁଥ୍କୁ ହଟାାଯାଇଛି ।
ଏନ୍ଫୋର୍ସମେଣ୍ଟ ଟିମ୍ରେ ବିଡିଏ ଅତିରିକ୍ତ କମିଶନର(ଏନ୍ଫୋର୍ସମେଣ୍ଟ)ହରିଶ ଚନ୍ଦ୍ର ନାୟକ, ଏନ୍ଫୋର୍ସମେଣ୍ଟ ଅଧିକାରୀ-୨ ପ୍ରମୋଦ କୁମାର ପାତ୍ର, ଲିଆସନିଂ ଅଫିସର ଶୁଭ୍ରାଶୁଂ ଶେଖର ମହାନ୍ତି ଉପସ୍ଥିତ ଥିଲେ । ସୁରକ୍ଷା ପାଇଁ ଏସିପି ଅନୀଲ କୁମାର ମିଶ୍ର, ସହିଦନଗର ଥାନା ଅଧିକାରୀ ବିରଞ୍ଚି ପତି ଓ ପୁଲିସ ଫୋର୍ସ ଉପସ୍ଥିତ ଥିଲେ । ଜାତୀୟ ରାଜପଥ କଡ଼ରେ ଥିବା ଆରଟିଓ ଅଫିସ୍ ସମ୍ମୁଖରେ ପାର୍କିଂ ସମସ୍ୟା ଅସମ୍ଭାଳ ହେଉଥିଲା । ଦିନ ବେଳା ମୁଖ୍ୟ ରାସ୍ତା କଡ଼ରେ ଥିବା ସର୍ଭିସ୍ ରୋଡରେ ଲୋକେ ପାର୍କିଂ କରୁଥିଲେ । ରାସ୍ତା ଉପରେ ବାଇକ୍ ଓ କାର ପାର୍କିଂ ହେଉଥିଲା । ଏଥିପାଇଁ ଅସମ୍ଭାଳ ଟ୍ରାଫିକ୍ ଜାମ ହେଉଥିଲା । ସହିଦନଗର ଥାନା ଯାଏ ଗାଡ଼ିର ଲମ୍ବା ଲାଇନ୍ ହେଉଥିଲା । ଦିନରେ ଆର୍ଟିଓ ଅଫିସ ସମ୍ମୁଖ ରାସ୍ତା ପାର୍ ହେବାକୁ ଲୋକେ ନାକେଦମ୍ ହେଉଥିଲେ । କିଛି ଦଲାଲ ଓ ଜବରଦଖଲକାରୀ ମିଶି ସର୍ଭିସ୍ ରୋଡ୍କୁ ମାଡ଼ି ବସିଥିଲେ । ଆଜି ଜବରଦଖଲ ହଟିବା ପରେ ଏହାକୁ ସ୍ଥାୟୀ ପାର୍କିଂ ସ୍ଥଳୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।
Comments are closed, but trackbacks and pingbacks are open.