କୋଇଲା ବୋଝେଇ ଟ୍ରେନର ୧୦ ବଗି ଲାଇନ୍ଚୁ୍ୟତ

Get real time updates directly on you device, subscribe now.

ତିହିଡି,(ବି.ବି.ନୁ୍ୟଜ୍): ଆଜି ଭଦ୍ରକ-ଧାମରା ରେଳପଥରେ ଘଟିଛି ଏକ ବଡ ଧରଣର ଦୁର୍ଘଟଣା । ଏକ କୋଇଲା ବୋଝଇ ମାଲବାହୀ ଟ୍ରେନ୍ରୁ ୧୦ଟି ବଗି ଲାଇନଚ୍ୟୁତ ହୋଇଛି । ଏଥି ମଧ୍ୟରୁ ୭ ଟି ବଗି ସଂପୂର୍ଣ୍ଣ ତଳକୁ ଓଲଟି ପଡିଥିବା ବେଳେ ୩ଟି ବଗି ଧାରଣା ବାହାରକୁ ଗଡ଼ିରହିଛି । ଦୁର୍ଘଟଣା ଏପରି ଥିଲା ଯେ ସ୍ଥାନୀୟ ଲୋକଙ୍କ ମନରେ ବଡଧରଣର ବିସ୍ଫୋରଣର ଭ୍ରମ ସୃଷ୍ଟି ହୋଇଥିଲା । କେହି କିଛି ବୁଝିବା ପୂର୍ବରୁ ତମାମ ଅଞ୍ଚଳ ଧୂଆଁମୟ ହୋଇଥିଲା । ଟ୍ରେନ ଲାଇନରେ ସଂଯୋଗ ହୋଇଥିବା ବିଦୁ୍ୟତ ତାର ଛିଡି ସ୍ପାର୍କିଂ ହେବାରୁ ସେଥିରୁ ବାହାରୁଥିବା ନିଅାଁକୁ ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ ।
ଖବରରୁ ପ୍ରକାଶ, ରବିବାର ରାତି ୩ ଟା ୨୫ ମିନିଟ ସମୟରେ ଧାମରା ବନ୍ଦରରୁ କୋଇଲା ଲୋଡକରି ଆସୁଥିବା ସିଆରବିଜେ-୩୨୫୧୧ ମାଲବାହୀ ଟ୍ରେନ ତିହିଡି ଅତିକ୍ରମ କଲାପରେ କନ୍ଦପୁର ଓ ଜିଝାରପୁର ମଧ୍ୟରେ ସକାଳ ୬ ଟା ୧୫ ମିନିଟ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ସ୍ଥାନରେ ରେଳଧାରଣା ଭାଙ୍ଗିଯିବା ସହ ଧାରଣା ତଳେ ପଡିଥିବା କଂକ୍ରିଟ ସିଲପଟ ଓ ପାଶ୍ୱର୍ରେ ଥିବା ବିଦୁ୍ୟତ ଖୁଣ୍ଟ ଗୁଡିକ ଭାଙ୍ଗି ପଡିବାରୁ ଟ୍ରେନଟି ଲାଇନଚୁ୍ୟତ ହୋଇଥିଲା । ଆଗ ଇଞ୍ଜିନକୁ ଲାଗି ୨ଟି ବଗିକୁ ଛାଡି ପଛକୁ ୯ଟି ବଗି ଧାରଣାରୁ ସଂପୂର୍ଣ୍ଣ ରୂପେ ବିଚୁ୍ୟତ ହୋଇଯାଇଥିଲା । ଦୁର୍ଘଟଣା ପରେ ଟ୍ରେନ ଇଞ୍ଜିନଟି ୨ଟି ବଗିକୁ ଧରି ପ୍ରାୟ ୧ କିଲୋମିଟର ଆଗକୁ ଚାଲିଯାଇଥିବା ଦେଖାଯାଇଥିଲା । ଏହି ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ । ଖବର ପାଇ ସୋମବାର ସକାଳ ୮ ଟାରେ ଭଦ୍ରକ ରେଳଷ୍ଟେସନର ରେଳ କର୍ତ୍ତୃପକ୍ଷ ଓ ଧାମରା ବନ୍ଦର କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପରେ ଦିନ ୧୧ ଟାରେ ଖୋର୍ଦ୍ଧା ରେଳ ଡିଭିଜନରୁ ଏକ ତଦନ୍ତକାରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚାଲୁ ରଖିଛନ୍ତି ।
ଧାମରା ବନ୍ଦରରୁ ୫୯ ବଗି ବିଶିଷ୍ଟ ଏହି ମାଲବାହୀ ଟ୍ରେନଟି କୋଇଲା ନେଇ ପଶ୍ଚିମବଙ୍ଗର ଖଡଗପୁରସ୍ଥିତ ବିପିଟିସି ପାୱାର ପ୍ଲାଣ୍ଟକୁ ଯାଉଥିଲା । ଏହି ଟ୍ରେନରେ ୪୨୦୦ ଟନ୍ କୋଇଲା ଲୋଡ ହୋଇଯାଉଥିଲା । ଦୁର୍ଘଟଣା ପରେ ୧୦୦୦ ଟନ୍ କୋଇଲା କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦୁର୍ଘଟଣା ସ୍ଥଳରେ କ୍ଷତିକୁ ମିଶାଇଲେ କୋଟିଏ ଟଙ୍କା କ୍ଷତି ହେବ ବୋଲି ପ୍ରାଥମିକ ଆକଳନରୁ ଜଣାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଧାମରାରୁ ଭଦ୍ରକ ଯାଏ ୬୩ କିଲୋମିଟର ଲମ୍ବ ଏହି ରେଳପଥର ରକ୍ଷଣାବେକ୍ଷଣ ଓ ପରିଚାଳନା ତଦାରଖ କରିବା ପାଇଁ ପୁରୁଣା ଠିକା କମ୍ପାନୀକୁ ହଟାଇ ଓଡିଶାର ଲିଫ୍ଟ ଏଣ୍ଡ ସିଫ୍ଟ କମ୍ପାନିକୁ ଦାୟିତ୍ୱ ଦିଆଯାଇଛି । ଏହି ତଦାରଖ କମ୍ପାନି ୬୩ କିଲୋମିଟର ରେଳପଥ ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ପଏଣ୍ଟ ମେନ ଏବଂ କି ମେନ ଭାବରେ ୧୧୧ ଜଣଙ୍କୁ ନିଯୁକ୍ତି ଦେଇଛି । ଏମାନେ ରକ୍ଷଣାବେକ୍ଷଣ କାମ କରିବା ପରିବର୍ତ୍ତେ ବୋଲେରୋ ଗାଡିରେ ଭଦ୍ରକ-ଚାନ୍ଦବାଲି ରାସ୍ତାରେ କେବଳ ବୁଲି ବୁଲି ସମୟ କଟାଉଥିବା ବେଳେ କେବେହେଲେ ରେଳପଥରେ ଏମାନଙ୍କୁ ଦେଖିବାକୁ ମିଳେନି । ରେଲୱେ ଟ୍ରାକ କେଉଁଠି ଦବିଯାଉଛି ତାହା ସଜାଡିବା ଦୂରର କଥା ଦେଖିବା ପାଇଁ ମଧ୍ୟ ଏମାନେ ଟ୍ରାକ ଉପରକୁ ଯାଆନ୍ତି ନାହିଁ । ଯେଉଁଥିପାଇଁ ଆଜି ଏପରି ଏକ ବଡ ଧରଣର ଦୁର୍ଘଟଣା ଘଟିଲା । ୨୦୧୧ ମସିହାରୁ ଏହି ରେଳପଥରେ ରେଳ ଚଳାଚଳ ଆରମ୍ଭ ହୋଇଥିଲେ ହେଁ କେବେହେଲେ ଏଭଳି ଦୁର୍ଘଟଣା ଘଟିନଥିଲା । ଆଜି ଏହି ଦୁର୍ଘଟଣା ପରେ ଧାମରା ବନ୍ଦରର ମୁଖ୍ୟ ପରିଚାଳନା ଅଧିକାରୀ ସୁଦୀପ ଦାସଗୁପ୍ତା, ଭାଇସପ୍ରେସିଡେଣ୍ଟ ଜଗତ୍ ପରିଜା, ଅପରେସନ ମୁଖ୍ୟ ମୁଥ୍ ରାମଲିଙ୍ଗମ, ବନ୍ଦର ରେଲୱେ ମୁଖ୍ୟ ଚିନ୍ମୟ ଦାସଙ୍କ ସମେତ ପୂର୍ବତଟ ରେଲୱେର ସିନିୟର ଡିଭିଜିନାଲ ଇଂଜିନିୟର, ଇଲେକ୍ଟ୍ରିକାଲ ଇଂଜିନିୟରଙ୍କ ସମେତ ଡିଭିଜିନାଲ ଅପରେସନ ମେନେଜର ସୁଜିତ କନଗା, ଏରିଆ ମେନେଜର ଗୌରବ ତିୱାରୀ, ସିନିୟର ଡିଭିଜନର ଟ୍ରାନ୍ସମିଶନ ଓ ସୁରକ୍ଷା ବାହିନୀ ଅଧିକାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons