ବାଲେଶ୍ୱର:ଜୀଇଁଥିବାବେଳେ ନୁହେଁ, ମୃତ୍ୟୁ ପରେ ପ୍ରମାଣ ଦେଇଗଲେ-କେତେ ନିବିଡ଼ ଥିଲା ସେମାନଙ୍କର ଭଲ ପାଇବା । ଜଣକ ବିନା ଅନ୍ୟ ଜଣେ ଯେ ବଞ୍ଚି ପାରିବେନି ଏହା ପ୍ରକୃତରେ ସତ୍ୟ ଥିଲା ଉଭୟଙ୍କ ପାଇଁ। ତେଣୁ ଦୁହେଁ ହାତ ଧରି ବିଦାୟ ନେଲେ ଇହଧାମରୁ। ଆମେ କହୁଛୁ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ବଣପାରିଆ ଗାଁର ଏଇ ଦମ୍ପତିଙ୍କ କଥା ଯିଏ ହାତ ଧରାଧରି ହୋଇ ଚାଲିଗଲେ ଆରପାରିକୁ।
ବଣପାରିଆ ଗାଁର ସୁରେନ୍ଦ୍ର ମଲ୍ଲିକ ଓ ସରସ୍ୱତୀ ମଲ୍ଲିକ। ବାହାହୋଇ ସରସ୍ୱତୀଙ୍କ ହାତଧରି ଘରକୁ ଆଣିଥିଲେ। କଥା ଦେଇଥିଲେ ସାରା ଜୀବନ ହାତ ଧରି ଚାଲିବେ। ଏକାଠି ଜୀଇଁବେ, ଏକାଠି ମରିବେ। ୩ପୁଅ ଓ ଗୋଟିଏ ଝିଅକୁ ନେଇ ତାଙ୍କର ସଂସାର ଚକ ଗଡ଼ି ଚାଲିଥିଲା । ଜୀବନର ସାୟାହ୍ନରେ ବି ଥିଲା ଅନାବିଳ ପ୍ରେମ।
ଗତକାଲି ରାତିରେ ଘଟିଥିଲା ଅଭାବନୀୟ ଘଟଣା। ପରିବାରରେ ସମସ୍ତେ ଖାଇ ପିଇ ଶୋଇଥିଲେ। ହେଲେ ସକାଳୁ ପରିବାର ଲୋକେ ସୁରେନ୍ଦ୍ରଙ୍କୁ ଉଠାଇବାରୁ ସେ ଉଠି ନ ଥିଲେ। ଶୋଇ ଯାଇଥିଲେ ସବୁଦିନ ପାଇଁ। ଏପଟେ ସ୍ୱାମୀଙ୍କ ମୃତ୍ୟୁର ଦୁଃଖ ସହିନପାରି ଘନ ଘନ ଚେତା ହରାଉଥିଲେ ପତ୍ନୀ ସରସ୍ୱତୀ।
ଏସବୁ ଦୁଃଖ ଭିତରେ ପରିବାର ଲୋକେ ସୁରେନ୍ଦ୍ରଙ୍କର ଶବ ସତ୍କାରରେ ଲାଗି ପଡ଼ିଥିଲେ। କୋକେଇ ସଜାଡିଲେ। ମଶାଣୀରେ ଚାଲିଥାଏ ଶେଷକୃତ୍ୟ। ହଠାତ୍ ଖବର ଆସିଲା ସରସ୍ୱତୀଙ୍କର ପରଲୋକ ହୋଇ ଯାଇଛି। ଶ୍ମଶାନରେ କାମ ଛାଡ଼ି ପରିବାର ଲୋକେ ଘରକୁ ଅସିଲେ। ମା‘ଙ୍କର ଅକାଳ ବିୟୋଗରେ ଦୁଃଖରେ ଭାଙ୍ଗି ପଡିଥିଲେ ପୁଅ-ଝିଅ। ଶେଷରେ ମା’ଙ୍କର ଶେଷକୃତ୍ୟ କରିଥିଲେ। ଗୋଟିଏ ମଶାଣିରେ ପାଖାପାଖି ଜଳିଥିଲା ଦୁଇଟି ଶବ ସୁରେନ୍ଦ୍ର ଓ ସରସ୍ୱତୀଙ୍କର।
Comments are closed, but trackbacks and pingbacks are open.