ମନମୁଣ୍ଡା,(ବି.ବି.ନୁ୍ୟଜ୍): ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ଅଧୀନ ଗୁନ୍ଦୁଲିଆ ପଞ୍ଚାୟତ ଦମାଗୋରାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କୀଟନାଶକ ପିଇ ମୃତୁ୍ୟ ହୋଇଥିବା ଶବ ବ୍ୟବଚ୍ଛେଦ କରାଇଥିବା ଡାକ୍ତର କହିଛନ୍ତି । ମୃତ ଚାଷୀ ଜଣକ ହେଉଛନ୍ତି ଦମାଗୋରାର ରାଜା ଭବସାଗର(୫୮) । କେଉଁ କାରଣରୁ ରାଜା ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ । ପୁଲିସ୍ ଶଗଡ଼ା ଫାଣ୍ଡିରେ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।
ଅଭିଯୋଗମତେ ଆଜି ସକାଳ ସାଢେ଼ ୯ଟାରେ ବାଘନଦୀ ବ୍ୟାରେଜ କେନାଲ ନିକଟରେ ରାଜା ଅଚେତ ଅବସ୍ଥାରେ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । ମାତ୍ର ୨ ଘଣ୍ଟା ବିଳମ୍ବରେ ଆମ୍ବୁଲାନ୍ସ ସେଠାରେ ପହଞ୍ଚି ରାଜାଙ୍କୁ ଡାକ୍ତରଖାନା ନେଇଥିଲା । ଶଗଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୮ ମାସ ହେଲା ଡାକ୍ତର ନ ଥିବାରୁ ରାଜାଙ୍କୁ ଶଗଡ଼ା ଫାଣ୍ଡି ପୁଲିସ ସହାୟତାରେ ବାଉଁଶୁଣୀ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । ସେଠାରେ ରାଜାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ବାଉଁଶୁଣୀ, ମନମୁଣ୍ଡା କିମ୍ବା ସୋନପୁରରୁ ଆମ୍ବୁଲାନ୍ସ ଆସିଥିଲେ ଏବଂ ଶଗଡ଼ା ମେଡିକାଲରେ ଡାକ୍ତର ଥିଲେ ରାଜା ବଞ୍ଚିଯାଇଥାନ୍ତେ ବୋଲି ଲୋକଙ୍କ ଭିତରେ ଚର୍ଚ୍ଚା ଜୋର୍ ଧରିଛି । ବିଷାକ୍ତ କୀଟନାଶକ ପାନ କରି ରାଜାଙ୍କ ମୃତୁ୍ୟ ହୋଇଥିବା ଶବ ବ୍ୟବଚ୍ଛେଦ କରାଇଥିବା ଡାକ୍ତର ମନୋଜ ନାୟକ ସୂଚନା ଦେଇଛନ୍ତି । ଭିସେରା ଟେଷ୍ଟ ପରେ ପ୍ରକୃତ ଘଟଣା ସ୍ପଷ୍ଟ ହେବ ବୋଲି ଡା. ଶ୍ରୀ ନାୟକ କହିଛନ୍ତି । ଶଗଡ଼ା ଫାଣ୍ଡି ଅଧିକାରୀ ଏସ୍ଆଇ ଅରୁଣ କୁମାର ସିଂ ଶବ ଜବତ କରି ମନମୁଣ୍ଡା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଇଥିଲେ । ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ପୁଲିସ୍ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି । ସୂଚନାଯୋଗ୍ୟ, ମୃତ ଚାଷୀ ରାଜାଙ୍କ ୧ ଏକର ଜମି ଅଛି । ସେ ବୌଦ୍ଧ ଏଲ୍ଏମ୍ଟିରୁ ୩୦ ହଜାର ଟଙ୍କା ଋଣ କରିଥିଲେ ବୋଲି ପରିବାର ଲୋକେ କହିଛନ୍ତି । ରାଜାଙ୍କ ପତ୍ନୀ, ଗୋଟିଏ ଝିଅ ଓ ଗୋଟିଏ ପୁଅ ରହିଛନ୍ତି ।
Comments are closed, but trackbacks and pingbacks are open.